ଭୁବନେଶ୍ୱରର ଅଧିକାଂଶ କରୋନା ଆକ୍ରାନ୍ତ ସୂର୍ଯ୍ୟନଗର ଓ ବମିଖାଲର ପ୍ରଥମ ସଂକ୍ରମଣ ସହ ସମ୍ପୃକ୍ତ, ବମିଖାଲର ସମସ୍ତେ ଗୋଟିଏ ପରିବାରର

ଭୁବନେଶ୍ୱର: ଭୁବନେଶ୍ୱରର ଅଧିକାଂଶ  କରୋନାଭାଇରସ୍ ଆକ୍ରାନ୍ତ ସୂର୍ଯ୍ୟନଗର ଓ ବମିଖାଲ୍ ଆକ୍ରାନ୍ତଙ୍କ ସହ ସମ୍ପୃକ୍ତ ଥିବା କଥା ଆଜି ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି ।

ଟୁଇଟ୍ କରି ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲେଖିଛି ଯେ ଭୁବନେଶ୍ୱରେ ପ୍ରାୟ ୩୦ଟି ସକ୍ରିୟ କୋଭିଡ୍-୧୯ ଆକ୍ରାନ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ସୂର୍ଯ୍ୟନଗର ଓ ବମିଖାଲର ପ୍ରଥମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ବମିଖାଲର ପ୍ରାୟ ସମସ୍ତ ଆକ୍ରାନ୍ତ ଗୋଟିଏ ପରିବାରର । ଉଭୟ ଅଞ୍ଚଳକୁ ସିଲ୍ କରାଯାଇ ସକ୍ରିୟ ସର୍ଭିଲେନସରେ ରଖାଯାଇଛି । ଭୟଭୀତ ହେବା ଅନାବଶ୍ୟକ ।

ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନ୍ୟ ଏକ ଟୁଇଟରେ ଲେଖିଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୋଭିଡ୍ ପରିସ୍ଥିତି ଉପରେ କଡା ନଜର ରଖିଛନ୍ତି । ସଂକ୍ରମଣ ଥିବାରୁ ସିଲ୍ ହୋଇଥିବା ଅଞ୍ଚଳବାସୀଙ୍କ ପାଇଁ ମୌଳିକ ଆବଶ୍ୟକତା ଯୋଗାଇ ଦେବାକୁ ସେ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । ଏହାଛଡ଼ା ଘର ଘର ବୁଲି ସର୍ଭେ କରୁଥିବା ଡାକ୍ତର ଓ ସରକାରୀ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଆରୋପ କରିବାକୁ କହିଛନ୍ତି।

ରବିବାର ରାତିରେ ଭୁବନେଶ୍ବରର ବମିଖାଲ୍ ଅଞ୍ଚଳରୁ ଏକାବେଳେକେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମାତ୍ର ୩ ଦିନ ମଧ୍ୟରେ ଏଠାରୁ ୧୯ ଜଣ ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଥିସହ ରାଜଧାନୀ ସହରର ଏହା କରୋନା ହଟସ୍ପଟ୍ ପାଲଟି ଯାଇଛି।

୩ ତାରିଖ ରାତିରେ ବମିଖାଲରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପୁଣି ଏହି ୩ ଜଣ ଗୋଟିଏ ପରିବାରର ବୋଲି ଜଣାପଡ଼ିଥିଲା। ଗତକାଲି ଏହି ୩ ଜଣଙ୍କର ଗସ୍ତ ବିବରଣୀ ଦେଇ ବିଏମସି କମିସନର କରିଥିଲେ ଯେ  ଜଣେ କରୋନା ଆକ୍ରାନ୍ତଙ୍କ ବାପା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଯାଇଥିଲେ। ସେଠାରୁ ସେ ସଂକ୍ରମିତ ହୋଇ ଆସିଥାଇ ପାରନ୍ତି।

ସମ୍ବନ୍ଧିତ ଖବର