କୂଅ ଭିତରେ ଖସିପଡ଼ିଲା ପୁଅ, ଡେଇଁପଡ଼ିଲେ ମା’

ବଲାଙ୍ଗୀର : ଗଭୀର କୂଅରେ ଅଜାଣତରେ ଖସି ପଡିଲା ୪ ବର୍ଷର ପୁଅ। ପୁଅକୁ ଖୋଜି ଖୋଜି ମା’ ପହଞ୍ଚିଥିଲେ କୂଅ ପାଖରେ। ପୁଅ କୂଅରେ ଗଳି ପଡ଼ି କାନ୍ଦୁଥିବା ଦେଖି ମା’ ନିଜକୁ ସମ୍ଭାଳି ପାରିଲେ ନାହିଁ। ପୁଅକୁ ଉଦ୍ଧାର କରିବା ପାଇଁ ମା’ ବି କୂଅ ଭିତରକୁ ଡେଇଁ ପଡିଲେ। ପୁଅକୁ ସିନା ରକ୍ଷା କଲେ ହେଲେ କୂଅରୁ ବାହାରିବେ କେମିତି? ସ୍ଥାନୀୟ ଲୋକେ ବି ଜମା ହୋଇଗଲେ। ଦମକଳ ବାହିନୀକୁ ଯୋଗାଯୋଗ କରାଗଲା। ଦମକଳ କର୍ମଚାରୀ ପହଞ୍ଚି ମା’ ଓ ପୁଅକୁ ସୁରକ୍ଷିତ ଭାବେ କୂଅ ଭିତରକୁ ଉଦ୍ଧାର କଲେ। ଗୁରୁବାର ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ସହରର ତାଲପାଲିପଡ଼ା ଅଞ୍ଚଳରେ।

ତାଲପାଲିପଡ଼ା ଦୁର୍ଗା ମଣ୍ଡପ ପଛ ପଟେ ରହନ୍ତି ଚମ୍ପେଶ୍ୱରୀ ପୋଢ। ୪ ବର୍ଷର ପୁଅ ସତୀଶ ଖେଳୁଥିବା ବେଳେ ଦିନ ୫ଟା ସମୟରେ ନିକଟରେ ଥିବା କୂଅରେ ଖସି ପଡିଥିଲେ। ପୁଅ କୂଅରେ ଖସି ପଡିଥିବା ବେଳେ ଜାଣିବା ପରେ ମା’ ନିଜକୁ ସମ୍ଭାଳି ନପାରି ପୁଅର ଜୀବନ ବଞ୍ଚାଇବାକୁ କୂଅକୁ ଡେଇଁଲେ। ପାଣି କମ୍‌ ଥିଲେ ବି ଏହା ସତୀଶ ପାଇଁ ବିପଦ। ତେଣୁ ମା’ ଚମ୍ପେଶ୍ୱରୀ ତାଙ୍କୁ ଧରି ରଖିଲେ। ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦମକଳ ବିଭାଗ ପକ୍ଷରୁ କୂଅ ଭିତରକୁ ଦୌଡି ଓ ଶିଡ଼ି ପକା ଯାଇଥିଲା। ଜଣେ କର୍ମଚାରୀ କୂଅ ଭିତରକୁ ପ୍ରବେଶ କରି ପ୍ରଥମେ ପୁଅକୁ ସୁରକ୍ଷିତ ଭାବେ ଉପରକୁ କାଢିଥିଲେ। ପରେ ମହିଳା ଜଣଙ୍କ ରଶି ଧରି ଶିଡ଼ିରେ ଚଢ଼ି ଚଢ଼ି ଉପରକୁ ଆସିଥିଲେ। ପ୍ରାୟ ଅଧା ଘଣ୍ଟା ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ। ପୁଅ ସତୀଶ ମୁଣ୍ଡରେ ଆଘାତ ଲାଗିଥିବାରୁ ତାକୁ ଡାକ୍ତରଖାନାକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା।

ସମ୍ବନ୍ଧିତ ଖବର