ଗ୍ୟାସ୍‌ ଚୁଲାରେ ଜଳିଗଲେ ମା’, ଝିଅ

ଭୁବନ : ଖୁସିରେ ଘରକୁ ଆଣିଥିଲେ ମାଗଣା ଉଜ୍ଜଳା ଗ୍ୟାସ୍‌। କିନ୍ତୁ, ଗ୍ୟାସ୍‌ ଜାଳିବାର ଖୁସିକୁ ବର୍ଷେ ପୂରିନି ରୋଷେଇ ଘରେ ଆଜି ଭୟାନକ ଅଗ୍ନିକାଣ୍ଡରେ ମା’-ଝିଅ ଜଳିଗଲେ। ଏଭଳି ଏକ ହୃଦୟଫଟା ଦୁର୍ଘଟଣାରେ ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍‌ଏସି ୩ନମ୍ବର ଓ୍ଵାର୍ଡ ଗୋଡ଼ିପାଟଣା ସାହିର ଦୁର୍ଯ୍ୟୋଧନ ପୋଥାଳଙ୍କ ସୁଖର ପରିବାର ଉଜୁଡ଼ି ଯାଇଛି। ଦୁର୍ଯ୍ୟୋଧନଙ୍କ ପାଇଁ ଚା’ ତିଆରି କରିବାକୁ ଗଲା ବେଳେ ୧୩ବର୍ଷ ବୟସର ନାବାଳିକା ଝିଅ ଜ୍ୟୋତ୍ସ୍ନାଙ୍କ ସହିତ ସ୍ତ୍ରୀ ମମତା(୩୮) ଜିଅନ୍ତା ଜଳି ଯାଇଛନ୍ତି। ସ୍ତ୍ରୀ ଓ ଝିଅକୁ ବଞ୍ଚାଇବାକୁ ଯାଇ ଦୁର୍ଯ୍ୟୋଧନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ ୯ବର୍ଷର ପୁଅ ଶିବାନନ୍ଦ ଏହି ଅଘଟଣରୁ ବର୍ତ୍ତିଯାଇଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଆଜି ଭୋର୍‌ ପ୍ରାୟ ୫ଟା ୪୫ମିନିଟ୍‌ ସମୟରେ ଏହି ଅଘଟଣ ଘଟିଥିଲା। ଦୁର୍ଯ୍ୟୋଧନ ଶୌଚ ପାଇଁ ପୋଖରୀକୁ ଯାଇଥିବା ବେଳେ ସ୍ତ୍ରୀ ମମତା ଫୁଲ ତୋଳିବାକୁ ବାହାରକୁ ଯାଇଥିଲେ। ଏହି ସମୟରେ ଝିଅ ଜ୍ୟୋତ୍ସ୍ନା ବାପାଙ୍କ ପାଇଁ ଚା’ ତିଆରି କରିବାକୁ ଗ୍ୟାସ୍‌ ପାଖକୁ ଯାଇଥିଲେ। ସେ ଷ୍ଟୋଭରେ ନିଆଁ ଧରାଇବା ମାତ୍ରେ ହଠାତ୍‌ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ଦେହ ସହିତ ଘର ହୁତ୍‌ହୁତ୍‌ ହୋଇ ଜଳିଥିଲା। ଝିଅ ଜ୍ୟୋତ୍ସ୍ନାର ଆର୍ତ୍ତ ଚିତ୍କାର ଶୁଣି ମା’ ମମତା ଧାଇଁ ଆସିଥିଲେ। ଘରୁ ଝିଅକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ସେ ବି ଜିଅନ୍ତା ଜଳି ଯାଇଥିଲେ। ଖବର ପାଇ ଦୁର୍ଯ୍ୟୋଧନ ଆସିଲା ବେଳକୁ ଅଘଟଣ ଘଟି ସାରିଥିଲା। ଏଥିରେ ତାଙ୍କର ଦୁଇ ଗୋଡ଼ ମଧ୍ୟ ପୋଡ଼ି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଅ ଶିବାନନ୍ଦ ସେତେବେଳେ ପଡ଼ୋଶୀ ଦାଦାଙ୍କ ଘରକୁ ଯାଇଥିବାରୁ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଭୁବନ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର