୨ ଦିନରେ କିଡ୍‌ନି ରୋଗରେ ମା’ ଓ ଝିଅ ମୃତ

ଖଡିଆଳ : ନୂଆପଡା ଜିଲ୍ଲା ଖଡିଆଳ ଏନଏସିସ୍ଥିତ ହାଟପଦାପଡାରେ ୨ ଦିନରେ ମା’ ଓ ଝିଅଙ୍କ କିଡନି ରୋଗରେ ମୃତ୍ୟୁ ଘଟିଛି। ହାଟପଦା ପଡାର ବୈବସୁତ ପଟେଲଙ୍କ ସ୍ତ୍ରୀ ବନୀତା (୩୭) ବହୁ ଦିନରୁ କିଡନି ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ବିଭିନ୍ନ ସ୍ଥାନରେ ଚିକିତ୍ସା କରାଯାଇଥିଲେ ମଧ୍ୟ ସୁଫଳ ମିଳିନଥିଲା। ଗତ ୧୫ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ବନୀତାଙ୍କ ୩ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଅନ୍ୟପକ୍ଷେ‌ ବୈବସୁତଙ୍କ ଆର୍ଥିକସ୍ଥିତି ସ୍ବଚ୍ଛଳ ନଥିବା ବେଳେ ପରିବାର ପ୍ରତିପୋଷଣରେ ଅସୁବିଧା ହେଉଛି। ସେହିପରି ବନୀତାଙ୍କ ମା’ ତଥା ବୈବସୁତଙ୍କ ଶାଶୂ ଧନମତୀ ପଟେଲ (୫୫)ଙ୍କ ଗତ ୧୬ ତାରିଖ ଦିନ କିଡନି ରୋଗରେ ମୃତ୍ୟୁ ହୋଇଯାଇଛି। ଏ ଅଞ୍ଚଳର ନଳକୂଅ ପାଣିରେ ‌େଫ୍ଲାରାଇଡ ଅଧିକ ପରିମାଣରେ ରହୁଥିବାରୁ ଲୋକେ କିଡନି ରୋଗରେ ଆକ୍ରାନ୍ତ ହେଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଏହି ଗରିବ ପରିବାରକୁ ଆର୍ଥିକ ସହାୟତା‌ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ଝାରବନ୍ଧରେ ୯ରୁ ଅଧିକ ଆକ୍ରାନ୍ତ

ଜୁନାଗଡ଼ : ଜୁନାଗଡ଼ ବ୍ଲକର ଚିଙ୍ଗୁଡିସର ପଞ୍ଚାୟତର ଝାରବନ୍ଧରେ କିଡ୍‌ନି ରୋଗରେ ୯ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ପ୍ରକାଶ ଯେ, ଚିଙ୍ଗୁଡିସର ପଞ୍ଚାୟତ ଝାରବନ୍ଧ ଗାଁର ଇନ୍ଦ୍ର ମାଝୀ(୪୦), ତମଲା ବାଗ(୩୧), କେଶରୀ ହରିଜନ(୨୩), ଲକ୍ଷ ପଟେଲ(୩୬), ଶଙ୍କର ବିଶ୍ବାଳ(୪୬), କରୁଣା ପଟେଲ, ଶୁଭ ବିଶ୍ବାଳ(୫୨), ରଜନୀ ପ୍ରଧାନ(୨୪) ସମେତ ୯ ରୁ ଅଧିକ ଲୋକେ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ପର୍ଯ୍ୟନ୍ତ କୌଣସି ଡାକ୍ତରୀ ଦଳ ଝାରବନ୍ଧରେ ପହଞ୍ଚିନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର