ମା’ପୁଅଙ୍କ ସନ୍ଦେହଜନକ ମୃତ୍ୟୁ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ାସ୍ଥିତ ବନେଇକଳା ନେପାଳି ହଟିଂରେ ମା’ପୁଅଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମା’ପୁଅ ହେଲେ ଭାରତୀ ଦାସ (୬୦) ଓ ପ୍ରଦୀପ କୁମାର ଦାସ (୩୫)। ଗତକାଲିଠାରୁ ଘର ନିକଟରୁ ଦୁର୍ଗନ୍ଧ ଆସୁଥିଲା। ଆଜି ଅଧିକ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ପହଞ୍ଚି ପ୍ରଦୀପଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା। ନିକଟରେ ତାଙ୍କ ମାଆ ଭାରତୀ ମୁମୂର୍ଷୁ ଅବସ୍ଥାରେ ପଡ଼ିରହିଥିଲେ। ତାଙ୍କୁ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଗାଡ଼ିରେ ଡାକ୍ତରଖାନା ନେବାକୁ ବାହାରିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଯୋଡ଼ା ଥାନା ଏସ୍‌ଆଇ ମନୋରଞ୍ଜନ ବିଶିଙ୍କ ସୂଚନା ଅନୁସାରେ, ପ୍ରଦୀପ ପ୍ରାୟ ୨-୩ ଦିନ ପୂର୍ବରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତାଙ୍କ ମା’ ଭାରତୀ ଦୀର୍ଘଦିନ ହେଲା ଅସୁସ୍ଥ ଥିବାରୁ ଘରେ ଚିକିତ୍ସା ହେଉଥିଲେ। ଘର ଭିତରୁ କେତେକ କାଗଜପତ୍ର ମଧ୍ୟ ମିଳିଛି। ସେଗୁଡ଼ିକ ମଧ୍ୟରେ ରୋଜଭେଲି ଚିଟ୍‌ଫଣ୍ଡ ସଂସ୍ଥାରେ ପ୍ରାୟ ୬ ଲକ୍ଷ ଟଙ୍କା ଜମା ହୋଇଥିବା କାଗଜପତ୍ର ରହିଛି। ଏହା ସେମାନଙ୍କ ମୃତ୍ୟୁର କାରଣ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ମଧ୍ୟ ଏହି ଘଟଣାର ତଦନ୍ତ କରିବ ବୋଲି କହିଛି।

ଭାରତୀଙ୍କ ସ୍ୱାମୀ ଏଠାରେ ବଙ୍ଗଳା ଭାଷା ଶିକ୍ଷକ ଥିଲେ। ଅବସର ପରେ ନେପାଳୀ ହଟିଂରେ ଘର କରି ରହିଯାଇଥିଲେ। କିଛି ବର୍ଷ ତଳେ ତାଙ୍କର ଦେହାନ୍ତ ହୋଇଥିଲା। ପ୍ରାୟ ୮ ବର୍ଷ ହେବ ଭାରତୀ ଓ ପୁଅ ପ୍ରଦୀପ ଏଠାରେ ରହୁଥିଲେ। ସେମାନଙ୍କ ମୂଳ ଘର ପଶ୍ଚିମବଙ୍ଗ ରାଜ୍ୟର ହୁଗୁଳି ଜିଲ୍ଲା ଗୋ-ଘାଟ ଥାନାର ମନ୍ଦାରନ ଗ୍ରାମରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର