ପୁଅ ମଲା ବୋଲି ବିଷ ପିଇଦେଲେ ମା’, ଦୁଇ ଝିଅ

ଯାଜପୁରସଦର/ବିଂଝାରପୁର : ରୋଜଗାରିଆ ପୁଅ। କେରଳରେ କାମ କରୁଥିଲେ। ଯାହା ରୋଜଗାର, ମାସକୁ ମାସ ଘରକୁ ପଠାଉଥିଲେ। ପୁଅ ରୋଜଗାର ଅର୍ଥରେ ପରିବାର ଚଳୁଥିଲା। ବାପା, ମା’ ଓ ଦୁଇ ଭଉଣୀଙ୍କ ପେଟକୁ ଦାନା ଯାଉଥିଲା। କିନ୍ତୁ ଦଇବ ସହିଲାନି, ରୋଜଗାରିଆ ଯବାନ୍‌ ପୁଅର କେରଳରେ ଆକସ୍ମିକ ବିୟୋଗ ଘଟିଲା। ଦୁଇ ଦିନ ତଳେ ପୁଅର ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ଧୈର୍ଯ୍ୟହରା ମା’ ଓ ଦୁଇ ଭଉଣୀ ଜୀବନ ହାରିଦେବାକୁ ଉଦ୍ୟମ କରିଛନ୍ତି। ପ୍ରଥମେ ପୋଖରୀରେ ଡେଇଁ ଆତ୍ମହତ୍ୟା ଉଦ୍ୟମ ବିଫଳ ହେବା ପରେ ସମସ୍ତେ ଏକତ୍ର ହେଇ ଆଜି ବିଷ ପିଇଦେବା ଘଟଣା ବିଂଝାରପୁର ବ୍ଲକ୍‌ ଗୁହାଳି ପଞ୍ଚାୟତର ପଦା ସାହି ଗ୍ରାମବାସୀଙ୍କୁ ହତବାକ୍‌ କରିଦେଇଛି। ଗୁରୁତର ଅବସ୍ଥାରେ ମା’ ଓ ଦୁଇ ଝିଅଙ୍କୁ ଯାଜପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟପଟେ ମଣ୍ଟୁଙ୍କ ଶବ ଆଣିବା ପାଇଁ ମାମୁ ଓ ସଂପର୍କୀୟ କେରଳ ଯାଇଛନ୍ତି।

ସୂଚନାନୁଯାୟୀ, ପଦାସାହି ଗ୍ରାମର କେତକୀ ଜେନା(୫୨)ଙ୍କ ଏକମାତ୍ର ପୁଅ ମଣ୍ଟୁ ଜେନା କେରଳରେ ଏକ କଂପାନିରେ ଶ୍ରମିକ ଭାବେ କାମ କରୁଥିଲେ। ଗରିବ ହୋଇଥିବାରୁ ପୂରା ପରିବାର ତାଙ୍କ ରୋଜଗାର ଉପରେ ନିର୍ଭର କରୁଥିଲା। କିନ୍ତୁ କୌଣସି କାରଣରୁ ଦୁଇ ଦିନ ତଳେ ମଣ୍ଟୁଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା। ମଣ୍ଟୁଙ୍କ ସହଯୋଗୀ ଏ ଖବର ତାଙ୍କ ପରିବାରକୁ ଜଣାଇବା ପରେ ବାପା, ମା ଓ ଭଉଣୀଙ୍କ ପାଦତଳୁ ମାଟି ଖସିପଡ଼ିଲା। ସେମାନେ ସହଜରେ ଏ ଖବରକୁ ବିଶ୍ୱାସ କରିପାରିନଥିଲେ। ପରେ ପୁଅର ମୃତ୍ୟୁ ନିଶ୍ଚିତ ହେବା ପରେ ମାନସିକ ବିକାରଗ୍ରସ୍ତ ବାପା ସମେତ ମା’ କେତକୀ ଓ ଦୁଇ ଭଉଣୀ ଗୁରୁବାରୀ ଜେନା(୨୨) ଓ ମମତା ଜେନା(୨୦) ସଂପୂର୍ଣ୍ଣ ଭାଂଗି ପଡ଼ିଥିଲେ। ପରିବାର କିପରି ଚଳିବ, ସେ ଚିନ୍ତା ଏତେ ମାତ୍ରାରେ ଘାରିଲା ଯେ ଶେଷରେ ମା’ ଓ ଦୁଇ ଝିଅ ଜୀବନ ହାରିଦେବା ଭଳି ଚରମ ନିଷ୍ପତ୍ତି ନେଲେ। ପ୍ରଥମେ ଗାଁ ପୋଖରୀକୁ ଡେଇଁ ମା, ଦୁଇ ଝିଅ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ସଫଳ ହେଲେନି। ଶେଷରେ ଆଜି ଦିନ ପ୍ରାୟ ୧୧ଟା ବେଳେ ଘରେ ସମସ୍ତେ ବିଷ ପିଇ ଦେଇଥିଲେ। ପଡ଼ିଶା ଲୋକ ଏହା ଦେଖି ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଡାକ୍ତର କହିଛନ୍ତି। ଏପଟେ ମଣ୍ଟୁଙ୍କ ଶବ ଆଣିବା ପାଇଁ ତାଙ୍କ ମାମୁ ଓ ସଂର୍ପକୀୟ କେରଳ ଯାଇଛନ୍ତି। ଗୋଟିଏପଟେ ପୁଅର ମୃତ୍ୟୁ ଏବଂ ଅନ୍ୟପଟେ ମା’ ଓ ଦୁଇ ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ ସ୍ଥାନୀୟ ଅଂଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର