ମା’ ମୃତ, ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁ

ଚାନ୍ଦିପୁର ରାସ୍ତାରେ ଦୁର୍ଘଟଣା

ବାଲେଶ୍ୱର/ଚାନ୍ଦିପୁର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ପାନ୍ଥନିବାସ ଛକରେ ଏକ ପିକ୍‌ଅପ ଭ୍ୟାନ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମିଳିଥିବା ଖବର ଅନୁଯାୟୀ, ଆଜି ପୂର୍ବାହ୍ନରେ ଖନ୍ତାପଡ଼ା ଥାନା ଇଞ୍ଚୁଡ଼ି କଳାମାଠିଆ ପାହି ଗାଁର ଚନ୍ଦନ ମାନ୍ନାଙ୍କ ସ୍ତ୍ରୀ ମମତା ମାନ୍ନା(୩୦) ଦୁଇ ଶିଶୁକନ୍ୟା ଝିଲ୍ଲୀ(୪) ଓ ବୁଲି(୬)ଙ୍କୁ ଧରି ତାଙ୍କ ଦିଅର ଗୋପୀନାଥଙ୍କ ସହ ଏକ ନୂଆ ହିରୋ ସୁପର ସ୍ପ୍ଲେଣ୍ଡର ବାଇକରେ ଚାନ୍ଦିପୁର ବୁଲିବାକୁ ଯାଇଥିଲେ। ବୁଲାବୁଲି ସାରି ବଳରାମଗଡ଼ି ଆଡ଼ୁ ଫେରୁଥିବା ବେଳେ ଚାନ୍ଦିପୁର ପାନ୍ଥନିବାସ ଛକ ନିକଟରେ ମମତା ଭାରସାମ୍ୟ ହରାଇ ଗାଡ଼ିରୁ ପଡ଼ି ଯାଇଥିଲେ। ଏହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଯାଉଥିବା ପିକ୍‌ଅପ ଭ୍ୟାନ ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମମତାଙ୍କର ମୃତ୍ୟୁ ହୋଇଥିଲା। ଦୁଇ ଶିଶୁକନ୍ୟା ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ବାଲେଶ୍ୱର ସଦର ଡାକ୍ତରଖାନାକୁ ଅଣାଯାଇଥିଲା। ଏ ନେଇ ମମତାଙ୍କ ସ୍ୱାମୀ ଚନ୍ଦନ ମାନ୍ନାଙ୍କ ଅଭିଯୋଗ କ୍ରମେ ଚାନ୍ଦିପୁର ପୁଲିସ ୧୦୧/୧୭ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାଇଛି। ଧକ୍କା ଦେଇ ପିକ୍‌ଅପ ଭ୍ୟାନ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।

 

ସମ୍ବନ୍ଧିତ ଖବର