ମଦ ନିଶାରେ ଅମାନବୀୟ କାଣ୍ଡ : ପୁଅ, ଝିଅଙ୍କ ତଣ୍ଟି କାଟିଲା ମା’

ମାଲକାନଗିରି : ମଦ ନିଶାରେ ନୃଶଂସ ସାଜିଲା ମା’। ନିଜ ଜନ୍ମକଲା ପୁଅ, ଝିଅଙ୍କ ତଣ୍ଟି କାଟିବାକୁ ବି ପଛାଇଲା ନାହିଁ। ଏଭଳି ଅମାନବୀୟ କାଣ୍ଡ ଘଟାଇ ଶେଷରେ ନିଜ ତଣ୍ଟିକୁ ବ୍ଲେଡ୍‌ରେ କାଟି ଦେଇଥିଲା। ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଚିନ୍ତଲୱାଡା ପଞ୍ଚାୟତ ଅନ୍ତର୍ଗତ ସିନ୍ଧିଗୁଡା ଗାଁରେ ଘଟିଛି। ସମସ୍ତଙ୍କୁ ଉଦ୍ଧାର କରିବା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ତେବେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ପୁଅର ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ସିନ୍ଧିଗୁଡାରେ ପତ୍ନୀ ଗାଙ୍ଗା କବାସୀ ଏବଂ ୩ପୁଅ, ଝିଅଙ୍କ ସହ ରହୁଛନ୍ତି ଦେବା କବାସୀ। ଆଜି ସକାଳେ ସେ ‌ମହୁଲ ଗଛ ତଳେ ରହିଥିବା ଘାସ ବାଛିବା ପାଇଁ ଯାଇଥିଲେ। ଘରେ ପତ୍ନୀ, ୮ବର୍ଷର ପୁଅ, ୫ବର୍ଷର ଝିଅ ସହ ଦେଢ଼ ମାସର ସାନ ଝିଅ ଥିଲେ। ତେବେ ସକାଳୁ ସକାଳୁ ମଦ ପିଇଥିବା ଗାଙ୍ଗା ଆଦୌ ହୋସ୍‌ରେ ନଥିଲେ। ନିଶାସକ୍ତ ଅବସ୍ଥାରେ ପୁଅ ଓ ଝିଅର ତଣ୍ଟିକୁ ଅତି ନିର୍ମମ ଭାବେ ଗୋଟିଏ ବ୍ଲେଡରେ କାଟି ଦେଇଥିଲେ। ଏଭଳି ନାରକୀୟ କାଣ୍ଡ ପରେ ବି ଆଦୌ ବିଚଳିତ ହୋଇ ନଥିଲା। ଶେଷରେ ନିଜ ତଣ୍ଟିକୁ ବି କାଟି ଦେଇଥିଲା। ସେତେବେଳକୁ ଦେଢ଼ ମାସର ଶିଶୁକନ୍ୟା କୋଳରେ ଥିଲା।

ଗାଁ ଲୋକ ଏଭଳି ରକ୍ତାକ୍ତ କାଣ୍ଡ ଦେଖିବା ପରେ ଦେବାଙ୍କୁ ଖବର ଦେଇଥିଲେ। ସେ ପହଞ୍ଚିବା ବେଳକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦୁଇ ପୁଅ, ଝିଅଙ୍କ ସହ ପତ୍ନୀ ତଳେ ପଡ଼ିଥିଲେ। ବିଳମ୍ବ ନକରି ସମସ୍ତଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମା’ ଓ ଝିଅର ଅବସ୍ଥା ସ୍ଥିର ରହିଥିବା ବେଳେ ପୁଅ ଅବସ୍ଥାରେ ଅବନତି ଘଟୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର