ପାଟଣାଗଡ଼ର ରାମପୁରରେ ମା’ଙ୍କୁ ମୁଖାଗ୍ନି ଦେଲେ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର

ପାଟଣାଗଡ଼: ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଆଜି ନିଜର ମା’ ଇନ୍ଦୁମତୀ ମେହେରଙ୍କୁ ପାଟଣାଗଡ଼ ବିଜ୍ଞପେିତ ଅଞ୍ଚଳ ପରିଷଦ (ଏନଏସି) ଅନ୍ତର୍ଗତ ରାମପୁର ଗାଁରେ ମୁଖାଗ୍ନି ଦେଇଛନ୍ତି। ପୁଞ୍ଜିଲାଲ ମେହେରଙ୍କୁ କଡ଼ାସୁରକ୍ଷା ବଳୟରେ ବଲାଙ୍ଗୀର ଜେଲରୁ ପାଟଣାଗଡ଼ ଥାନାକୁ ଅଣାଯାଇଥିଲା। ଏହା ପରେ ଗତ ଶୁକ୍ରବାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରୁ ଇନ୍ଦୁମତୀଙ୍କ ମରଶରୀର ରାମପୁରରେ ପହଞ୍ଚିଥିଲା। ମା’ଙ୍କ ମରଶୀରର ଗାଁରେ ପହଞ୍ଚିବା ପରେ ସଂପର୍କୀୟଙ୍କ ସହିତ ପୁଞ୍ଜିଲାଲ ରାମପୁରସ୍ଥିତ ମଶାଣୀକୁ ଯାଇଥିଲେ। ସେଠାରେ ଇନ୍ଦୁମତୀଙ୍କ ଶେଷକୃତ୍ୟ କରାଯାଇଥିଲା।

ସୂଚନାଯୋଗ୍ୟ ପୁଞ୍ଜିଲାଲ ଏକମାତ୍ର ପୁଅ ହୋଇଥିବାରୁ ମା’ଙ୍କ ମୁଖାଗ୍ନି ପାଇଁ ଜାମିନରେ ଯିବାକୁ ଆବେଦନ କରିଥିଲେ। ସେ ବଲାଙ୍ଗୀର ଜେଲରୁ ଏସ୍‌କର୍ଟରେ ଯାଇ ପାଟଣାଗଡ଼ ପହଞ୍ଚିଥିଲେ। ମା’ଙ୍କ ଶେଷକୃତ୍ୟ ସରିବା ପରେ ପୁଞ୍ଜିଲାଲଙ୍କୁ ଜେଲରେ ପହଞ୍ଚାଇବାର ନିର୍ଦ୍ଦେଶ ଅଛି।

ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେରଙ୍କ ବଲାଙ୍ଗୀରସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଶୁକ୍ରବାର ସକାଳୁ ଇନ୍ଦୁମତୀଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୁଞ୍ଜିଲାଲ ପାଟଣାଗଡ଼ରେ ୧୫ ଦିନ ଲାଗି ଜାମିନରେ ଯିବାକୁ ଆବେଦନ କରିଥିଲେ। ତାଙ୍କ ହାଇକୋର୍ଟ ଓକିଲ ତୀର୍ଥକୁମାର ସାହୁ ଓ ପାଟଣାଗଡ଼ର ଓକିଲ ଶ୍ରୀମତ୍‌ ପାଣିଗ୍ରାହୀ ଶନିବାର ଦିନ ୨ଟା ବେଳେ ଏହି ଆବେଦନ କରିଥିଲେ। ଦ୍ଵିତୀୟ ଶନିବାର ଥିବା ଯୋଗୁଁ ଏଡିଜେଙ୍କ ବାସଭବନରେ ଜାମିନ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି ପାଟଣାଗଡ଼ ଏଡିଜେ କୋର୍ଟ ପୁଲିସ ସୁରକ୍ଷା ବଳୟରେ ଦିନକ ପାଇଁ ପୁଞ୍ଜିଲାଲ ତାଙ୍କର ମା’ଙ୍କ ମୁଖାଗ୍ନି ଦେବା ପାଇଁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ ବୋଲି ପୁଞ୍ଜିଲାଲଙ୍କ ଓକିଲ ଦ୍ଵୟଙ୍କ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର