ପୁଅ ମୃତ୍ୟୁର ୨୪ ଘଣ୍ଟାରେ ଆଖି ବୁଜିଲେ ମା’

ଉଭୟଙ୍କ ଚକ୍ଷୁଦାନ

ବ୍ରହ୍ମପୁର : ମଶାଣିରେ ଜଳୁଥିଲା ଭେଣ୍ଡିଆ ପୁଅର ଜୁଇ। କାନ୍ଦ ବୋବାଳିରେ ଫାଟି ପଡୁଥିଲା ଘର। ହେଲେ ଏଭଳି ସ୍ଥିତିରେ ଆଉ ଏକ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଲା। ପୁଅର ଜୁଇ ପାଉଁଶ ନହେଉଣୁ ମ୍ରିୟମାଣ ମା’ ହୃଦ୍‌ଘାତରେ ଆଖି ବୁଜିଲେ। ସଂପୂର୍ଣ୍ଣ ପରିବାର ସ୍ତବ୍ଧ ପାଲଟିଗଲା। ଏଭଳି ଏକ ଘଟଣା ବ୍ରହ୍ମପୁର ସହର ଗାନ୍ଧୀନଗର ସପ୍ତମ ଲାଇନ୍‌ରେ ଘଟିଛି। ୨୪ ଘଣ୍ଟା ବ୍ୟବଧାନରେ ଏସ୍‌ବିଆଇ ଅବସରପ୍ରାପ୍ତ ଡେପୁଟି ମ୍ୟାନେଜର ଇପାରୀ ଦେବେନ୍ଦ୍ର ପାତ୍ରଙ୍କ ଦ୍ୱିତୀୟ ପୁତ୍ର ଅଶ୍ୱିନ୍‌ ସନ୍ତୋଷ ପାତ୍ର(୩୧) ଏବଂ ପତ୍ନୀ ସୁଲୋଚନା ପାତ୍ର(୫୮)ଙ୍କ ପରଲୋକ ଘଟିଛି। ଏଭଳି ଦୁଃଖଦ ମୁହୂର୍ତ୍ତରେ ପରିବାର ଲୋକେ ମୃତ ସନ୍ତୋଷ ଓ ତାଙ୍କ ମା’ ସୁଲୋଚନାଙ୍କ ଚକ୍ଷୁ ଦାନ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଫ୍ରେଣ୍ଡସ୍‌ ହେଲପିଂ କ୍ଲବ୍‌ ପକ୍ଷରୁ ଉଭୟଙ୍କ ଚକ୍ଷୁ ସଂଗ୍ରହ କରାଯାଇଛି।

ଗତ ୨୫ ତାରିଖ ବଡ଼ଦିନରେ ସମଗ୍ର ସହର ଉତ୍ସବମୁଖର ଥିବା ବେଳେ ଦେବେନ୍ଦ୍ରଙ୍କ ପରିବାର ଶୋକରେ ବୁଡ଼ି ଯାଇଥିଲେ। ବିଳମ୍ବିତ ରାତିରେ ୩୧ ବର୍ଷର ପୁଅ ସନ୍ତୋଷଙ୍କ ଅକାଳ ବିୟୋଗ ଘଟିଥିଲା। ସଂଗେ ସଂଗେ ଦେବେନ୍ଦ୍ରଙ୍କ ସମ୍ମତିରେ ଗତକାଲି ପୂର୍ବାହ୍ନରେ ବ୍ରହ୍ମପୁର ବଡ଼ମେଡିକାଲ ଚକ୍ଷୁ ବିଭାଗୀୟ ମୁଖ୍ୟ ଡ.ବି.ନାଗେଶ୍ୱର ରାଓ ସୁବୁଦ୍ଧିଙ୍କ ତତ୍ତ୍ୱାବଧାନରେ ସନ୍ତୋଷଙ୍କ ଦୁଇଟି ଚକ୍ଷୁ ତାଙ୍କ ଘରେ ସଂଗ୍ରହ କରାଯାଇଥିଲା। ତେବେ ବଡ଼ପୁଅ ଅରବିନ୍ଦ ଓ ତାଙ୍କ ପତ୍ନ ବେଙ୍ଗାଳୁରୁରୁ ପହଞ୍ଚିବା ପର୍ଯ୍ୟନ୍ତ ସନ୍ତୋଷଙ୍କ ଶବକୁ ଘରେ ରଖା ଯାଇଥିଲା। ଗତକାଲି ସନ୍ଧ୍ୟା ୬ଟାରେ ସେ ପହଞ୍ଚିବା ପରେ ସନ୍ତୋଷଙ୍କ ଶବ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା। ସେପଟେ ପୁଅକୁ ହରାଇ ମା’ ସୁଲୋଚନା ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ। ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ୧୫ ମିନିଟ୍‌ରେ ସୁଲୋଚନା ହୃଦ୍‌ଘାତରେ ଆଖି ବୁଜି ଦେଇଥିଲେ। ପ୍ରଥମେ ପୁଅ ଓ ତା’ପରେ ପତ୍ନୀଙ୍କ ମୃତ୍ୟୁ ଦେବେନ୍ଦ୍ରଙ୍କୁ ଶୋକର ସାଗରକୁ ଯେମିତି ଠେଲି ଦେଇଥିଲା। ତଥାପି ସେ ଧୈର୍ଯ୍ୟ ହରାଇ ନଥିଲେ। ସେପଟେ ପୁଅର ଜୁଇ ଜଳୁଥିବା ବେଳେ ଏପଟେ ମା’ ସୁଲୋଚନାଙ୍କ ଉଭୟ ଚକ୍ଷୁକୁ ସଂଗ୍ରହ କରାଯାଇ ଦାନ ଆକାରରେ ଦିଆଯାଇଥିଲା। ପରେ ଶୋକାକୁଳ ପରିବେଶରେ ସୁଲୋଚନାଙ୍କ ଅନ୍ତିମ ସଂସ୍କାର ନୀତି ସଂପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର