ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଲା କେନ୍ଦ୍ର : ରାଜ୍ୟ କୋହଳ କରିପାରିବେନି ମୋଟର ଯାନ ଜରିମାନା ପରିମାଣ

ଆଟର୍ଣ୍ଣି ଜେନେରାଲଙ୍କ ମତରେ ଅଲଗା ଆଇନ ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ଦରକାର

ଭୁବନେଶ୍ବର : କୌଣସି ରାଜ୍ୟ ସରକାର କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ କେନ୍ଦ୍ର ମୋଟର ଯାନ ଆଇନ-୨୦୧୯ରେ ଥିବା ଆର୍ଥିକ ଜରିମାନା ବ୍ୟବସ୍ଥାକୁ କୋହଳ କରିପାରିବେନି। ଏ ନେଇ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପରିବହନ ସଚିବ ଓ କମିସନରଙ୍କୁ ଚିଠି ଲେଖିଛି। ଦେଶରେ ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନୂଆ ମୋଟର ଯାନ ଆଇନରେ ଏପରି କଡ଼ାକଡ଼ି ବ୍ୟବସ୍ଥା କରିଛନ୍ତି। ଯଦି କୌଣସି ରାଜ୍ୟ ସରକାର ମୋଟର ଯାନ ନେଇ ସ୍ବତନ୍ତ୍ର ଅଲଗା ଆଇନ କରନ୍ତି ତା ହେଲେ ସେହି ଆଇନ ପାଇଁ ରାଷ୍ଟ୍ରପତିଙ୍କ ସ୍ବୀକୃତି ମିଳିବା ଆବଶ୍ୟକ ବୋଲି ଆଟର୍ଣ୍ଣି ଜେନେରାଲ ମତ ଦେଇଥିବା ସଡ଼କ ପରିବହନ ମନ୍ତ୍ରଣାଳୟ ଜଣାଇଛି।

ବେପରୁଆ ଗାଡ଼ି ଚାଳନା ଯୋଗୁଁ ସଡ଼କ ଦୁର୍ଘଟଣା କମାଇବାକୁ ଭାରତ ସରକାର ମୂଳ ମୋଟର ଯାନ ଆଇନ-୧୯୮୮ରେ ଗତବର୍ଷ ଆବଶ୍ୟକ ସଂଶୋଧନ ଆଣିଥିଲେ। ଏଥିପାଇଁ ନୂଆ ମୋଟର ଯାନ (ସଂଶୋଧନ) ଆଇନ-୨୦୧୯ ସଂସଦରେ ପାରିତ କରାଇଲେ। ୨୦୧୯ ଅଗଷ୍ଟ ୯ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗତ ସେପ୍ଟେମ୍ବର ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଆଇନକୁ ଓଡ଼ିଶା ସମେତ ସାରା ଦେଶରେ ଅଧିକାଂଶ ରାଜ୍ୟ କଡ଼ାକଡ଼ି ଲାଗୁ କରିଛନ୍ତି। ଟ୍ରାଫିକ୍ ନିୟମ ଉଲଂଘନ କଲେ ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଆର୍ଥିକ ଜରିମାନା ପରିମାଣ ଅଧିକ ହେଉଥିବା ନେଇ ବିରୋଧ ହେଲା। ରାଜ୍ୟମାନେ ସେମାନଙ୍କ ବିଧାନସଭାରେ ସ୍ବତନ୍ତ୍ର ଆଇନ ପାରିତ କରି ଏହି ଜରିମାନା ପରିମାଣକୁ କମ କରିବା ନେଇ ଚର୍ଚ୍ଚା ହେଲା। ଜରିମାନା ରାଶି କମ୍ କରିବାକୁ କେତେକ ରାଜ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିବାକୁ ମଧ୍ୟ ପଛାଇନଥିଲେ।

କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟର ଅନୁସଚିବ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ଏ ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ମତାମତ ଲୋଡ଼ାଯାଇଥିଲା। ଆଟର୍ଣ୍ଣି ଜେନେରାଲଙ୍କ ପରାମର୍ଶ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଜଣାଇଛି ଯେ, ନୂଆ ମୋଟର ଯାନ ଆଇନ କେନ୍ଦ୍ରୀୟ ଆଇନ ହୋଇଥିବାରୁ ଏହାକୁ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ଏହା ବଦଳରେ ସ୍ବତନ୍ତ୍ର ଆଇନ ଆଣିପାରିବେନି କି କୌଣସି ପ୍ରକାର ପ୍ରାଶାସନିକ ନିର୍ଦେଶ ଦେଇ ପ୍ରଚଳିତ ଆଇନକୁ କୋହଳ କରିପାରିବେନି। ସମ୍ବିଧାନର ୩୫୬ ଧାରା ଅନୁଯାୟୀ ଏହାକୁ ସବୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବା ବାଞ୍ଛନୀୟ। ସଡ଼କ ଦୁର୍ଘଟଣା ରୋକିବା ସହିତ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ମୋଟର ଯାନ (ସଂଶୋଧନ) ଆଇନରେ କଡ଼ାକଡ଼ି ବ୍ୟବସ୍ଥା କରିବା ଭାରତ ସରକାରଙ୍କ ମୂଳ ଉଦ୍ଦେଶ୍ୟ ବୋଲି ଅନୁସଚିବ ଚିଠିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର