କେନ୍ଦ୍ରାପଡା ସା˚ସଦ ଅନୁଭବ ମହାନ୍ତିଙ୍କୁ ପୁରୀଘାଟ ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ଅଭିଯୋଗ

କଟକ : କେନ୍ଦ୍ରାପଡା ସା˚ସଦ ଅନୁଭବ ମହାନ୍ତିଙ୍କୁ ପୁରୀଘାଟ ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏ ସ˚କ୍ରାନ୍ତରେ ସା˚ସଦ ଟୁଇଟ୍‌ କରିବା ପରେ ଏହି ଘଟଣାକୁ ନେଇ ଆଜି ସୋସିଆଲ୍‌ ମିଡିଆରେ ଦିନସାରା ଚର୍ଚ୍ଚା ଜାରି ରହିଛି।

ଅଭିଯୋଗ ଅନୁଯାୟୀ, ପୁରୀଘାଟ ଥାନା ଅନ୍ତର୍ଗତ ନନ୍ଦୀ ସାହିରେ ଗତକାଲି ରାତି ପ୍ରାୟ ୧୨ଟା ୪୫ ବେଳେ ମଦନ କୁମାର ଆସ୍‌ ନାମକ ଜଣେ ଯୁବକଙ୍କୁ ଅନ୍ୟ କେତେ ଜଣ ଯୁବକ କୌଣସି କାରଣରୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ସା˚ସଦ ଶ୍ରୀ ମହାନ୍ତିଙ୍କ ଘର ସାମ୍‌ନାରେ ଏଭଳି ଘଟଣା ଘଟିଥିଲା। ଯୁବକଙ୍କ ପାଟିତୁଣ୍ଡ ଶୁଣି ସା˚ସଦ ବାହାରକୁ ଆସି ଘଟଣା ସମ୍ପର୍କରେ ବୁଝୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ବି ଗାଳିଗୁଲଜ କରିଥିଲେ। ସେ ଏ ସମ୍ପର୍କରେ ପୁରୀଘାଟ ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କୁ ଖବର ଦେବାରୁ ଆଇଆଇସି ଏବ˚ ଅନ୍ୟ ପୁଲିସ ଅଫିସର ଘଟଣାସ୍ଥଳରେ ପହଞ୍ଚି ଥିଲେ। ପୁଲିସ କହିବା ଅନୁଯାୟୀ ସାଂସଦ ଶ୍ରୀ ମହାନ୍ତି ସଂପୃକ୍ତ ଗଣ୍ଡଗୋଳକାରୀଙ୍କୁ ଗିରଫ କରିବାକୁ କହିଥିଲେ। କିନ୍ତୁ ତାଙ୍କୁ ଲିଖିତ ଅଭିଯୋଗ କରିବାକୁ ଅନୁରୋଧ କରାଯାଇଥିଲେ ବି ସେ ତାହା କରି ନଥିଲେ। ଅନ୍ୟପଟେ ଆଜି ପୁଲିସ ବିରୋଧରେ ସାଂସଦଙ୍କର ଏଭଳି ଟୁଇଟ୍ ସାମ୍‌ନାକୁ ଆସିଛି।

ଡିସିପି ଅଖିଳେଶ୍ବର ସିଂହ କହିଛନ୍ତି ଯେ ସାଂସଦ ଏ ସଂକ୍ରାନ୍ତରେ କୌଣସି ଲିଖିତ ଅଭିଯୋଗ ଏଯାଏ କରି ନାହାନ୍ତି। ସାଂସଦ ଯଦି ଅଭିଯୋଗ କରନ୍ତି ତେବେ ଘଟଣାର ତଦନ୍ତ କରାଯାଇ ଆଇଆଇସିଙ୍କର ଦୋଷ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ୟପଟେ ଆଜି ସନ୍ଧ୍ୟାରେ ମଦନଙ୍କୁ ଆକ୍ରମଣ ଘଟଣାରେ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ମଦନ କୁମାର ଆସ କରିଥିବା ଅଭିଯୋଗ ଅନୁଯାୟୀ ଫ୍ରେଣ୍ଡସ ୟୁନାଇଟେଡ କ୍ଲବ୍‌ ସାମନାରେ ସେ ଛିଡା ହୋଇଥିବା ସମୟରେ ମନଜିତ ଦାସ, ମାନସ ଦତ୍ତ, ଚନ୍ଦନ ବେହେରା, ଦୀପଙ୍କର ସେନ ସେଠାରେ ପହଞ୍ଚି ତାଙ୍କୁ ଗାଳିଗୁଲଜ କରି ଆକ୍ରମଣ କରିଥିଲେ। ତାଙ୍କର ସୁନା ଚେନ ଛିଡାଇ ନେଇଥିଲେ। ସେହି ସମୟରେ ସାଂସଦ ଅନୁଭବ ବାହାରକୁ ଆସିବାରୁ ମନଜିତ ତାଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ସାଂସଦ ଥାନା ଆଇଆଇସିଙ୍କୁ ଖବର ଦେବା ପରେ ସେ ସେଠାରେ ପହଞ୍ଚିଥିଲେ। ଏବଂ ଆଇଆଇସିଙ୍କୁ ସାଂସଦ ଶ୍ରୀ ମହାନ୍ତି ସବୁ କଥା କହିଥିଲେ ବୋଲି ମଦନ ନିଜ ଲିଖିତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ପୁଲିସ ଏହି ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି କରିଛି। ଗତକାଲି ରାତିରେ ଘଟଣା ସ୍ଥଳରେ ଯେଉଁମାନେ ସବୁ ଉପସ୍ଥିତ ଥିଲେ ସେମାନଙ୍କ ବୟାନ ରେକର୍ଡ କରାଯିବ। ମାଡ଼ ଖାଇଥିବା ଯୁବକଙ୍କ ଇଞ୍ଜୁରି ରିପୋର୍ଟ ଯାଞ୍ଚ କରାଯିବ। ଆଇଆଇସିଙ୍କ ସମେତ ଅନ୍ୟ ଯେଉଁ ଅଫିସର ଗତକାଲି ରାତିରେ ନନ୍ଦି ସାହି ଯାଇଥିଲେ, ସେମାନଙ୍କୁ ମଧ୍ୟ ପଚରାଉଚରା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ସି˚ହ କହିଛନ୍ତି।

ସମ୍ବନ୍ଧିତ ଖବର