କଟକ : ବଶିଷ୍ଟ ଶିକ୍ଷାବିତ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ମହମ୍ମଦ କମରୁଦ୍ଦିନ ଖାନ୍ଙ୍କ ୮୧ ବର୍ଷରେ ପରଲୋକ ଘଟିଛି। ତୁଳସୀପୁର ସୈଦାନି ବଗିଚାସ୍ଥିତ ତାଙ୍କ ବାସ ଭବନରେ ଆଜି ଭୋର ୫ଟାରେ ହୃଦଘାତର ଶିକାର ହୋଇ ତାଙ୍କର ପରଲୋକ ଘଟିଛି। ସ୍ବର୍ଗତ ଖାନ୍ଙ୍କ ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଆସି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଦରଘା ବଜାର ସ୍ଥିତ କଦମ୍ ରସୁଲ୍ ଠାରେ ସଂଧ୍ୟାରେ ତାଙ୍କୁ କବରସ୍ଥ କରାଯାଇଛି। ଶେଷ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ମୁବାରକ ଗ୍ୟାରେଟ, ପୁଅ ମହମ୍ମଦ କୈସର ଜମାଲ ଖାନ, ପ୍ରଫେସର ଅଖତର ଜମାଲ ଖାନ, ଅମ୍ବର ଜମାଲ ଖାଁ, ବୋହୂ ଡାକ୍ତର ମୁବିନ ଫରଦୌସ, ଉମେ ଆଲମାସ, ଆୟେଶା ଏବଂ ଅନ୍ୟ ପରିବାର ବର୍ଗ ଉପସ୍ଥିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
୧୯୩୮ ଜାନୁଆରି ୨୪ ତାରିଖରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ଏମ୍. କ୍ୟୁ ଖାନ୍ ସେମିନାରୀ ହାଇସ୍କୁଲରେ ସ୍କୁଲ ଶିକ୍ଷା େଶଷ ପରେ ଉତ୍କଳ ବିଶ୍ବବିଦ୍ୟାଳୟ ଅଧିନରେ ସ୍ନାତକ ଓ ୧୯୬୮ରେ ଇଂରାଜୀେର ସ୍ନାତକୋତ୍ତର ଶେଷ କରିଥିଲେ। ରାଜ୍ୟର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ସେ ଦୀର୍ଘ ୬୪ ବର୍ଷ ଧରି ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ ସେ।
ସ୍ବର୍ଗତ ଖାନ୍ ୧୯୮୩ରୁ ୧୯୯୨ ମଧ୍ୟରେ ରେଭେନ୍ସା କଲେଜର ଇଂରାଜୀ ବିଭାଗର ମୁଖ୍ୟ ଥିବା ବେଳେ ୧୯୯୨ରୁ ୧୯୯୫ ମଧ୍ୟରେ ଓଡ଼ିଶା ଟେକ୍ସଟ ବୁକ୍ ବ୍ୟୁେରାର ନିର୍ଦ୍ଦେଶକ ଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ଭାବେ ୧୯୯୫ରୁ ୧୯୯୮ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଓଡ଼ିଶାର ଅନୁଗୁଳ କଲେଜ, ବିଜେବି କଲେଜ, ଖଲ୍ଲିକୋଟ କଲେଜ, ରେଭେନ୍ସା କଲେଜ, ଚୌଦ୍ବାର କଲେଜ ପରି ବିଭିନ୍ନ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ ସେ।
ସ୍ବର୍ଗତ ଖାନ୍ ଓଡ଼ିଶା ଉର୍ଦ୍ଦୁ ଏକାଡେମିର ପ୍ରତିଷ୍ଠାତା, ଓଡ଼ିଶା ୱାକଫ୍ ବୋର୍ଡର ସଦସ୍ୟ, ଅଲ୍ ଇଣ୍ଡିଆ ଆସୋସିଏସନ୍ ଫର୍ ଇଂରାଜିର ଯୁଗ୍ମ ସଂପାଦକ, ଅଲ୍ ଓଡ଼ିଶା ଆସୋସିଏସନ୍ ଫର୍ ଇଂରାଜୀ ଷ୍ଟଡିଜ୍ର ସଭାପତି, ଖ୍ରୀଷ୍ଟ କଲେଜ ପରିଚାଳନା କମିଟିର ସଦସ୍ୟ, ଉତ୍କଳ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍ର ସଦସ୍ୟ ରହିଥିବା ବେଳେ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ କରାଯାଇଥିବା ମୌଲାନା ଆଜାଦ୍ ଉର୍ଦ୍ଦୁ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଓ ଉପଦେଷ୍ଟା ଥିଲେ।
ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ସମୀର ଦେ, କଂଗ୍ରେସ ନେତା ଇଂଜିନିୟର ମହମ୍ମଦ ମୋକିମ, ଡକ୍ଟର ହୁସେନ ରବି ଗାନ୍ଧୀ, ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ଇସାନ ପାତ୍ର, ଅଭିନେତା ଅରିନ୍ଦମ, ଧର୍ମେଶ ନାୟକ, ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ, ଶଶିଭୂଷଣ ଦାସ, ଡାକ୍ତର ରବିରଂଜନ ସାହୁ, ପ୍ରଶାନ୍ତ କୁମାର ସିଂହ, ଦେବାଂଶୁ କୁମାର ଦାସ, ସୂର୍ଯ୍ୟ ବେହେରା, ପ୍ରଫେସର ବିଜୟ ଦାସ, ଡକ୍ଟର ବିଲକେଶ ପରବିନ, ଡକ୍ଟର ପ୍ରଭାତ କୁମାର ମିଶ୍ର, ଡକ୍ଟର ବିଜୟାନନ୍ଦ ସିଂହ, ଡକ୍ଟର ଗୋବିନ୍ଦ ଭୂୟାଁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏମ୍. କ୍ୟୁଉ ଖାନ୍ଙ୍କ ବିୟୋଗରେ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଅପୂରଣୀୟ କ୍ଷତି ଘଟିଥିବା କହିଛନ୍ତି। କଟକ ହାବିଟେର୍ଡ, ନିୟୁ ଓ ଓଲ୍ଡ ଷ୍ଟିୱାର୍ଟ ସ୍କୁଲ, ବକଲି ଗାର୍ଲସ ହାଇସ୍କୁଲ, ଅଲ୍ ଓଡ଼ିଶା ସଂଖ୍ୟାଲଘୁ ଫୋରମ୍ରର ସଦସ୍ୟ, ଓଡ଼ିଶା ରିସର୍ଚ୍ଚର୍ସ ଆସୋସିଏସନର କର୍ମକର୍ତ୍ତା, ବିଶ୍ବବିଦ୍ୟାଳୟ ବହୁ ଅଧ୍ୟାପକ ଓ ଅଧ୍ୟାପିକା ସ୍ବର୍ଗତ ଖାନ୍ଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।