ସେବାୟତଙ୍କୁ ପାଳିଆ ପୁରସ୍କାର ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଲେଖିଲେ ଚିଠି, ‘ବିନ୍ ଭୋଜନ କା ଭଜନ କାହାଁ’

ମୃଣାଳିନୀଙ୍କ ୟୁ ଟର୍ଣ୍ଣ

ପୁରୀ: ଶ୍ରୀମନ୍ଦିର ସଂସ୍କାର ପାଇଁ ଲଢେଇ ଆରମ୍ଭ କରିଥିବା ଆଇନଜୀବୀ ମୃଣାଳିନୀ ପାଢୀ ହଠାତ୍‌ ୟୁ ଟର୍ଣ୍ଣ ମାରିଛନ୍ତି। ମୃଣାଳିନୀଙ୍କ ଜନସ୍ବାର୍ଥ ମାମଲାର ବିଚାର କରି ମାନ୍ୟବର ସୁପ୍ରିମକୋର୍ଟ ଶ୍ରୀମନ୍ଦିରରେ ସେବାୟତଙ୍କ ଦାନଦକ୍ଷିଣା ଉପରେ ରୋକ୍‌ ଲଗାଇଥିବା ବେ‌ଳେ ଏବେ ଖୋ‌ଦ୍‌ ମୃଣାଳିନୀ ସେବାୟତଙ୍କ ସପକ୍ଷରେ ଓକିଲାତି କରିବାକୁ ଆଗେଇ ଆସିଛନ୍ତି। ମୃଣାଳିନୀ ତାଙ୍କ ଚିଠିରେ ‘ବିନ୍ ଭୋଜନ ଭଜନ କାହାଁ’ ବୋଲି ଉଲ୍ଲେଖ କରି ଗରିବ ସେବାୟତଙ୍କ ପେଟପାଟଣା କଥା ଚିନ୍ତା କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଦୁଇଫର୍ଦ୍ଦିଆ ଚିଠି ଲେଖିଛନ୍ତି। ‘ସମ୍ବାଦ’କୁ ମିଳିଥିବା ସୂଚନା ଅନୁସାରେ, ମୃଣାଳିନୀ ଗତ ୫ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସମ୍ବୋଧନ କରି ଏହି ଚିଠି ଲେଖିଛନ୍ତି। ଚିଠିର ପ୍ରଥମ ଧାଡିରେ ସେ ସେବାୟତଙ୍କ ପାଳିଆ ପୁରସ୍କାର କଥା ଉଲ୍ଲେଖ କରିଛନ୍ତି। ତାଙ୍କ ଚିଠିର ସାରାଂଶ ହେଲା ଗତ ୪ ମାସ ଧରି ସେବାୟତମାନେ ପାଳିଆ ପୁରସ୍କାର ପାଉନଥିବାରୁ ସେମାନଙ୍କ ଜୀବନଜୀବିକା ବିପନ୍ନ ହୋଇପଡିଛି। ରାଜ୍ୟ ସରକାରଙ୍କ ଦାରିଦ୍ର୍ୟଦୂରୀକରଣ ‌ଯୋଜନାରେ (ବିପିଏଲ) ତାଲିକାରେ ସାମିଲ ଥିବା ଏହି ସେବାୟତମାନଙ୍କୁ ସହଯୋଗ କରିବାକୁ ଶ୍ରୀମତୀ ପାଢୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅନୁରୋଧ କରିଛନ୍ତି।

ପ୍ରକାଶଥା‌ଉକି, ଶ୍ରୀମନ୍ଦିର ସଂସ୍କାର ପାଇଁ ମୃଣାଳିନୀ ଜନସ୍ବାର୍ଥ ମାମଲା ରୁଜୁ କରିବା ପରେ ମାନ୍ୟବର ସୁପ୍ରିମକୋର୍ଟ ୧୨ଟି ଅନ୍ତରୀଣ ଆଦେଶକୁ ତତ୍‌କ୍ଷଣାତ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡା ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ବିଶିଷ୍ଟ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମଙ୍କୁ ଆମିକସ୍‌ କ୍ୟୁରି ଭାବେ ନିଯୁକ୍ତି ଦେଇଥିଲେ। ସଂସ୍କାରକୁ ବିରୋଧ କରି ଗତ ଅକ୍ଟୋବର ମାସ ୩ ତାରିଖରେ ପୁରୀ ବନ୍ଦ ପାଳନ ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଯେଉଁଥିରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା।

ସମ୍ବନ୍ଧିତ ଖବର