ଆଇନଜୀବୀ-ପୁଲିସ୍‌ ବିବାଦରେ ସରକାର ଦାୟିତ୍ବ ନ ଖସାନ୍ତୁ : ଧର୍ମେନ୍ଦ୍ର

ଏମ୍‌ଏସ୍‌ଏମ୍‌ଇ ଅଭ୍ୟୁତ୍‌ଥାନ କାର୍ଯ୍ୟକ୍ରମ

କଟକ : ଆଇନଜୀବୀ-ପୁଲିସ ବିବାଦରେ ସରକାର ଦାୟିତ୍ବ ଖସାନ୍ତୁ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟିପ୍ପଣୀ ଦେଇଛନ୍ତି। ଏଠାରେ ଆୟୋଜିତ ‘କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଅଭ୍ୟୁଥାନ’ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ରାଜ୍ୟର ଡିଜି, ମୁଖ୍ୟ ଶାସନ ସଚିବ ଏପର୍ଯ୍ୟନ୍ତ ଉଭୟ ପକ୍ଷଙ୍କୁ ବସାଇ ଆଲୋଚନା କରି ନାହାନ୍ତି। ରାଜ୍ୟ ସରକାର ସବୁକିଛି ସହଜରେ ହାଇକୋର୍ଟଙ୍କ ଉପରେ ଛାଡ଼ି ଦେଇ ବସି ରହିଛନ୍ତି। ଉଭୟପକ୍ଷଙ୍କୁ ବସାଇ ସମାଧାନର ରାସ୍ତା ବାହା କରିବା ଦାୟିତ୍ବ ହେଉଛି ମୁଖ୍ୟମନ୍ତ୍ରୀଙ୍କର। ସୁପ୍ରିମକୋର୍ଟ, ହାଇକୋର୍ଟଙ୍କ ହସ୍ତକ୍ଷେପର ବାହାନା ନେଇ ଘଟଣାକୁ ସବ୍‌ଜୁଡିସ୍‌ କହି ନିଜ ଦାୟିତ୍ବ ଖସାଇ ନ ଦିଅନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

‘କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଅଭ୍ୟୁଥାନ’ କାର୍ଯ୍ୟକ୍ରମ ଜରିଆରେ ଦେଶର ୧୦୦ଟି ଜିଲ୍ଲାରେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରାଳୟ ଓ ୟୁକୋ ବ୍ୟାଙ୍କର ମିଳିତ ସହଭାଗିତାରେ ଆଜି କଟକ ସହିଦ ଭବନରେ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଓଡ଼ିଶାର ଚାରିଟି ଜିଲ୍ଲାକୁ ଏହି କାର୍ଯ୍ୟକ୍ରମରେ ଯୋଡ଼ାଯାଇଛି। ବରଗଡ଼ର ଟେକ୍ସଟାଇଲ୍‌, ପାରାଦୀପର ମେରାଇନ୍‌ ଫୁଡ୍‌ ପ୍ରଡକ୍ଟ, ପୁରୀର ହ୍ୟାଣ୍ତିକ୍ରାଫ୍ଟ, କଟକର ଜେମ୍‌ସ ଆଣ୍ତ ଜୁଏଲାରୀକୁ ସାମିଲ କରାଯାଇଛି।

ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରଭାରୀ ସଚିବ ଜେ.ଏନ୍‌. ସ୍ବାଇଁ, ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଚରଣ ସି˚ହ, ବ୍ୟାଙ୍କର ସାଧାରଣ ପ୍ରବନ୍ଧକ ଚ˚ଚଲ କୁମାର ମଜୁମଦାର, ସତ୍ୟଜିତ ମହାନ୍ତି, ପ୍ରଶାନ୍ତ ପାଣିଗ୍ରାହୀ, ଅଶୋକ ସାରଣା, ଏସ୍‌.କେ. ସାହୁ, କଟକ ତାରକସୀ ସ˚ଘ ପକ୍ଷରୁ ବ୍ରହ୍ମାନନ୍ଦ ମହାରଣା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଗୌତମ ସାମଲ, ଗୌର ଘଡେ଼ଇ, ମହମ୍ମଦ ଫାରୁକ୍‌, ମେଜର‌୍‌ ସେହେନାଵାଜ୍‌ ବେଗ୍‌, ୟାସ୍ମିନ୍‌ ବେଗମ୍‌, ଉମା ବାରିକ ପ୍ରମୁଖ ସଫଳ ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର