ପାରାଦୀପ ବନ୍ଦର ଭିତରେ ମାଟି ଧସିଲା, ୫୦ ଫୁଟ ଗଭୀରର ଗର୍ତ୍ତ ସୃଷ୍ଟି

ପାରାଦୀପ : ପାରାଦୀପ ବନ୍ଦରର ଏକ ନିଷିଦ୍ଧାଞ୍ଚଳ ମଧ୍ୟରେ ଆଜି ମାଟି ଧସିଛି। ବନ୍ଦର ଅନ୍ତର୍ଗତ ଅଠରବାଙ୍କୀ-ନେହେରୁବଙ୍ଗଳା ରାସ୍ତା କଡ଼ରେ ୫୦ ଫୁଟର ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ଏହାକୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଫଳରେ, ବହୁ ସମୟ ଧରି ଉଭୟପଟୁ ଶହଶହସଂଖ୍ୟାରେ ଗାଡ଼ିମୋଟର ଅଟକି ରହିଥିଲା।

ମିଳିଥିବା ସୂଚନା ଅନୁସାରେ, ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଜେଏସ୍‌ଡବ୍ଲ୍ୟୁର ୱାଗନ ଟିପଲର କାର୍ଯ୍ୟ ଏଲ୍‌ଆଣ୍ଡଟି କମ୍ପାନି ଠିକାକୁ ନେଇ କରୁଥିଲା। ଅଳ୍ପ କିଛି ଖୋଳାଯାଇ ଏହାର କାମ ଆରମ୍ଭ କରିବାର ଥିଲା। ଖାଲ ଖୋଳାଯାଉଥିବା ବେଳେ ହଠାତ ସେଠାରୁ ମାଟି ଅତଡ଼ା ଖସିବା ଆରମ୍ଭ ହୋଇଥିଲା। ନେହେରୁ ବଙ୍ଗଳାକୁ ଯାଇଥିବା ମୁଖ୍ୟ ରାସ୍ତା କଡ଼ରେ ଏହା ହୋଇଥିବାରୁ ରାସ୍ତା ତଳେ ମଧ୍ୟ ଗର୍ତ୍ତ ସୃଷ୍ଟି ହୋଇଥିବା ସନ୍ଦେହ କରାଯାଉଛି। ଏଣୁ କୌଣସି ମୂହୂର୍ତ୍ତରେ ଏହି ମୁଖ୍ୟ ରାସ୍ତାଟି ମଧ୍ୟ ଧସିଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏଣୁ ଏହି ବାଟ ଦେଇ ବନ୍ଦର ମଧ୍ୟକୁ ପ୍ରବେଶ କରୁଥିବା ଶହ ଶହ ସଂଖ୍ୟାରେ ଟ୍ରକକୁ ଫେରାଇ ଦିଆଯାଇଛି। କୌଣସି ଅଘଟଣ ଘଟିବା ପୂର୍ବରୁ ଏହି ମୁଖ୍ୟ ରାସ୍ତାଟିକୁ ସିଲ୍‌ କରି ଦିଆଯାଇଛି। ଫଳରେ ନେହେରୁ ବଙ୍ଗଳା ପଟୁ ଆସୁଥିବା ଓ ଅଠରବାଙ୍କୀରୁ ଯାଉଥିବା ଲୋକେ ବନ୍ଦର ଗେଟ୍‌-୧ ମଧ୍ୟ ଦେଇ କାରବାର କରୁଛନ୍ତି। ବର୍ତ୍ତମାନ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ଖେଳି ଯାଇଛି।

ବନ୍ଦର ମଧ୍ୟରେ ମାଟି ଧସି ଯାଇଥିବା ଖବର ସାରା ସହରରେ ଆଜି ବିଜୁଳି ବେଗରେ ଖେଳି ଯାଇଥିଲା। ସଙ୍ଗେ ସଙ୍ଗେ ଏହି ଘଟଣା ଘଟିଥିବା ନେହେରୁ ବଙ୍ଗଳା ରାସ୍ତାରେ ଜନ ସମାଗମ ବଢ଼ିବାରେ ଲାଗିଥିଲା। ଖବର ପାଇ ଘଟଣାସ୍ଥଳରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଯାଇଥିଲେ। ଯେହେତୁ ବନ୍ଦର ନିଷିଦ୍ଧାଞ୍ଚଳରେ ଏହିପରି ସ୍ଥିତି ସୃଷ୍ଟି ହୋଇଛି, ଏହା ନେହେରୁ ବଙ୍ଗଳାକୁ ଥିବା ମୁଖ୍ୟ ରାସ୍ତା ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା।

ଏହାସହ ଏହି ରାସ୍ତାରେ ବନ୍ଦ ମଧ୍ୟକୁ ପଣ୍ୟ କାରବାର କରିବା ପାଇଁ ହଜାର ହଜାର ସଂଖ୍ୟାରେ ଟ୍ରକ ଓ ନେହେରୁବଙ୍ଗଳାକୁ ଯିବା ପାଇଁ ଶହ ଶହ ସଂଖ୍ୟାରେ ସାଧାରଣ ଲୋକେ ଯିବା ଆସିବା କରୁଛନ୍ତି। ଏଣୁ ରାସ୍ତା ଧସିଗଲେ ବହୁ ଧନଜୀବନ ନଷ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା। ଏଣୁ ସଙ୍ଗେ ସଙ୍ଗେ ଏହି ରାସ୍ତାକୁ ସିଲ୍‌ କରି ଦିଆଯାଇ ଏହା ନିକଟକୁ କାହାକୁ ଛଡ଼ା ଯାଇନଥିଲା। ଫଳରେ ଉଭୟ ପଟୁ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା ଅଠରବାଙ୍କୀ ନିକଟରୁ ରାସ୍ତାକୁ ବନ୍ଦ କରାଯାଇ ଲୋକମାନଙ୍କୁ ବନ୍ଦର ଗେଟ୍‌ ମଧ୍ୟରେ ପ୍ରବେଶ କରି ନେହେରୁ ବଙ୍ଗଳା ରାସ୍ତାକୁ ଯିବା ପାଇଁ ଛଡ଼ା ଯାଇଥିଲା। ନେହେରୁ ବଙ୍ଗଳା ନିକଟରେ ରହୁଥିବା ଲୋକମାନଙ୍କ ପାଇଁ ଯିବା ଆସିବା କରିବାର ଏହା ପ୍ରମୁଖ ବାଟ ହୋଇଥିବାରୁ ଏହି ରାସ୍ତାକୁ ନେଇ ଲୋକେ ବେଶ୍‌ ଭୟଭୀତ ଅଛନ୍ତି।

ଏ ନେଇ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ କହିଛନ୍ତି ଯେ, ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍‌ ଏପରି ମାଟି ଧସିଛି। ଭୟଭୀତ ହେବାରେ କୌଣସି କାରଣ ନାହିଁ। ଆସନ୍ତା ୧୨-୧୪ ଘଣ୍ଟା ମଧ୍ୟରେ ପୁଣି ସବୁ କାର୍ଯ୍ୟ ସ୍ୱାଭାବିକ ହୋଇଯିବ। ବର୍ତ୍ତମାନ କେଉଁ କାରଣରୁ ମାଟି ଧସିଲା, ସେ ନେଇ ଯାଞ୍ଚ କରାଯିବ। ଏହାପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ସମ୍ବନ୍ଧିତ ଖବର