ମାଟି ତଳେ ଚାପି ହୋଇ ୨ ମୃତ

ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଖାଲିଆଗୁଡା ଜଙ୍ଗଲରେ ବେଆଇନ ଖନନ ଯୋଗୁଁ ମାଟି ଅତଡା ଧସି ଦୁଇ ଜଣ ଶ୍ରମିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି। ମୃତକ ଦ୍ୱୟ ହେଲେ ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ନୂଆଗୁଡା ଗ୍ରାମର ଡମୁ ପୂଜାରୀ (୨୭) ଓ ଈଶ୍ୱର ଭୂମିଆ (୨୯)। ସେହିପରି ଅନ୍ୟ ଦୁଇ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗ ପହଞ୍ଚି ଜେସିବି ଲଗାଇ ଦୁହିଁଙ୍କୁ ଉଦ୍ଧାର କରିଥିଲା। ଅବସ୍ଥା ସଂକଟାପନ୍ନ ରହିଥିବାରୁ ସେମାନଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଘଟଣା ପରେ ବୋରିଗୁମ୍ମା ତହସିଲଦାର ଏବଂ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଖିଆଲିଗୁଡା ଜଙ୍ଗଲରେ ଥିବା ଗୋଟିଏ ପାହାଡରେ ଆଜି ୬ ଜଣ ଶ୍ରମିକ ମାଟି ଖନନ କରୁଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଦୁଇ ଶ୍ରମିକ ଡମୁ ଓ ଈଶ୍ୱର ମାଟି ଖୋଳିବା ସମୟରେ ହଠାତ୍‌ ଗୋଟିଏ ବଡ ଅତଡା ଧସି ସେମାନଙ୍କ ଉପରେ ପଡିଥିଲା। ମାଟିତଳେ ଚାପି ହୋଇ ଦୁହିଁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ସେହିପରି ନିକଟରେ ମାଟି ଖନନ କରୁଥିବା ଅନ୍ୟ ଦୁଇ ଶ୍ରମିକ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର