ଓଡ଼ିଶା ହେବ ଦକ୍ଷତା ବିକାଶର ପ୍ରୟୋଗଶାଳା

ରାଜଧାନୀରେ ‘ମୁଦ୍ରା’ ପ୍ରୋତ୍ସାହନ ଅଭିଯାନ

ଚନ୍ଦ୍ରଶେଖରପୁର : ଓଡ଼ିଶାକୁ ଦକ୍ଷତା ବିକାଶ ଓ ଉଦ୍ୟୋଗୀ ବିକାଶ କ୍ଷେତ୍ରର ପ୍ରୟୋଗଶାଳା କରାଯିବ। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ ହଜାର ନୂଆ ଉଦ୍ୟୋଗୀଙ୍କୁ ପ୍ରଶିକ୍ଷଣ ଦିଆଯିବ। କେଉଁ ଉଦ୍ୟୋଗ, ବ୍ୟବସାୟ, ଶିଳ୍ପ ତଥା କାରବାରରେ ଅଧିକ ନିଯୁକ୍ତି ଓ ଲାଭ ମିଳିବାର ସୁବିଧା ରହିଛି ତାକୁ ଆଧାର କରି ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରଶିକ୍ଷଣ ଦିଆଯିବ। ଆଜି ଭୁବନେଶ୍ୱରଠାରେ ମୁଦ୍ରା ପ୍ରୋତ୍ସାହନ ଅଭିଯାନର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ, ରାଜ୍ୟ ସରକାର ଓ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି(ଏସଏଲ୍‌ବିସି)ର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟରେ ବ୍ୟାଙ୍କମାନଙ୍କର ଋଣ ପ୍ରଦାନ ହାର କମ୍‌ ରହିଥିବାରୁ ଘୋର ଉଦ୍‌ବେଗ ପ୍ରକାଶ କରିଥିଲେ। ସମଗ୍ର ଦେଶରେ ୧.୨୫ ଲକ୍ଷ ବ୍ୟାଙ୍କ ରହିଥିବାବେଳେ ଓଡ଼ିଶାରେ ମାତ୍ର ୫ ହଜାର ବ୍ୟାଙ୍କ କାର୍ଯ୍ୟ କରୁଛି। ଏଣୁ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଓଡ଼ିଶା ସରକାରଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରି କେଉଁ କେଉଁ ଅଂଚଳରେ ଏବଂ ଜିଲ୍ଲାରେ ବ୍ୟାଙ୍କ୍‌ସେବାର ଆବଶ୍ୟକତା ରହିଛି ତାକୁ ଚିହ୍ନଟ କରି ତୁରନ୍ତବ୍ୟାଙ୍କ ସେବା ଆରମ୍ଭ କରିବାକୁ ଏବଂ ରାଜ୍ୟରେ ବ୍ୟାଙ୍କ୍‌ମାନେ ନେଉଥିବା ଜମାର ୫୦ପ୍ରତିଶତ ଋଣ ଆକାରରେ ନିବେଶ କରୁଥିବାର ହିସାବ ଥିବ ବେଳେ ଏହାକୁ ୭୫ପ୍ରତିଶତ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ। ସେହିପରି ଷ୍ଟାଣ୍ଡ ଅପ୍‌ ଯୋଜନାରେ ମାତ୍ର ୧୩୦୦ ଋଣ ସହାୟତା ଦିଆଯାଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅସନ୍ତୋଷ ବ୍ୟକ୍ତ କରିଥିଲେ। ମହାଜନ, ଦଲାଲ ଓ ସାହୁକାରମାନଙ୍କ ସୁଧଖୋର ମନୋବୃତ୍ତି ଏବଂ ଶୋଷଣରୁ ଗରିବ ଲୋକଙ୍କୁ ରକ୍ଷା କରିବାକୁ ବ୍ୟାଙ୍କମାନେ କମ୍‌ ସୁଧ ହାରରେ ଛୋଟ, ନାମ ମାତ୍ର ଓ ମଧ୍ୟମ ଉଦ୍ୟମୀଙ୍କୁ ଋଣ ସହାୟତା ଦେବାକୁ ସେ ଆହ୍ଵାନ ଦେଇଥିଲେ।

ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ, ଓଡ଼ିଶାରେ ମୁଦ୍ରା ଋଣ ଯୋଜନା ଅଧୀନରେ ସେପ୍ଟେମ୍ବର ସୁଦ୍ଧା ୬୬.୨୦ ଲକ୍ଷ ମୁଦ୍ରା ଋଣ ଦିଆଯାଇଛି, ଯାହାର ପରିମାଣ ୧୮,୬୦୦ କୋଟି ଟଙ୍କା। ସେଥି ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ବା ୬୦ ଲକ୍ଷ ହେଉଛନ୍ତି ମହିଳା ଋଣ ଗ୍ରହୀତା ଥିବା ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେଇ ମୁଦ୍ରା ପ୍ରୋତ୍ସାହନ ଯୋଜନାକୁ ପ୍ରଶଂସା କରିଥିଲେ ମଧ୍ୟ ଏହି ଯୋଜନାର କିଶୋର ଓ ତରୁଣ ଯୋଜନାରେ ରାଜ୍ୟ ଅଧିକ ଲାଭବାନ ହେଉନଥିବା କହିଥିଲେ। ସେହିପରି ପୁରୀ ସାଂସଦ ପିନାକୀ ମିଶ୍ର ମଧ୍ୟ ଏହି ଅବସରରେ ମୁଦ୍ରା ପ୍ରୋତ୍ସାହନ ଅଭିଯାନର କିଶୋର ଓ ତରୁଣ ଯୋଜନା ରାଜ୍ୟରେ ଫେଲ୍‌ ହୋଇଥିବା ନେଇ ସମାଲୋଚନା କରିଥିଲେ। ପିଏମ୍‌ଇଜିପି ଯୋଜନାରେ ସବ୍‌ସିଡିି ପ୍ରତ୍ୟାହାର, ଉଚ୍ଚ ସୁଧ ହାର ଆଦି ଯୋଜନାକୁ ଶ୍ରୀ ମିଶ୍ର ସମାଲୋଚନା କରିଥିଲେ। ଓଡ଼ିଶାରେ ଏହି ମୁଦ୍ରା ପ୍ରୋତ୍ସାହନ ଅଭିଯାନ ୨୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ। ଅନ୍ୟମାନଙ୍କ ମଧ୍ୟରେ ଚିଲିକା ବିଧାୟକ ଡ. ବିଭୂତି ଭୂଷଣ ହରିଚନ୍ଦନ, ରାଜ୍ୟ ଅର୍ଥ ସଚିବ ଟି କେ ପାଣ୍ଡେ, ଖୋର୍ଧା ଜିଲାପାଳ ନିର୍ମଳ ମିଶ୍ର ଏବଂ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ତଥା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର