ମୁକ୍ତିକାନ୍ତଙ୍କ ଅନଶନ ଦ୍ୱିତୀୟ ଦିନରେ, ସମର୍ଥନରେ ରାଉରକେଲାରେ ଅନଶନ, ବିକ୍ଷୋଭ

ରାଉରକେଲା : ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ (ଆଇଜିଏଚ୍‌)କୁ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ମେଡିକାଲ୍‌ କଲେଜରେ ରୂପାନ୍ତର ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତିକୁ ତାଙ୍କୁ ସ୍ମରଣ କରାଇବା ଲକ୍ଷ୍ୟରେ ଏଠାରୁ ୧୫୫୦ କିଲୋମିଟର ପଥଯାତ୍ରା କରି ଦିଲ୍ଲୀରେ ପହଞ୍ଚିଥିବା ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ମିଳି ନାହିଁ। ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ନହେବା ଯାଏ ଆମରଣ ଅନଶନ କରିବାକୁ ଘୋଷଣା କରିଥିବା ମୁକ୍ତିକାନ୍ତ ଗତକାଲିଠାରୁ ଅନଶନରେ ବସିଛନ୍ତି।

ଦିଲ୍ଲୀରେ ମୁକ୍ତିକାନ୍ତଙ୍କ ଅନଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଥିବାବେଳେ ତାଙ୍କୁ ସମର୍ଥନ କରି ରାଉରକେଲାର ବିଭିନ୍ନ ସାମାଜିକ ଓ ଯୁବ ସଂଗଠନ ଏଠାରେ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଯୁବ ଜାଗୃତି ମଞ୍ଚର ଆବାହକ ଗୋପାଳ ଜେନା ସ୍ଥାନୀୟ ସେକ୍ଟର-୨ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ଆଜି ସକାଳ ୯ଟାରୁ ଅନଶନ ଆରମ୍ଭ କରିଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦୈନିକ ୧୦ ମିଲି ଲିଟର ରକ୍ତ ପଠାଇବାକୁ ଯେଉଁ ଘୋଷଣା କରିଥିଲେ, ତାହାକୁ ମଧ୍ୟ ଆରମ୍ଭ କରିଛନ୍ତି। ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ବିଶ୍ରା ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ମୁକ୍ତିକାନ୍ତଙ୍କୁ ନୈତିକ ସମର୍ଥନ ଜ୍ଞାପନ ଉଦ୍ଦେଶ୍ୟରେ ରାଉରକେଲା ଛାତ୍ର ଓ ଯୁବ ସଂଗଠନ ପକ୍ଷରୁ ସେକ୍ଟର-୨ ବିଜୁ ପଟ୍ଟନାୟକ ଛକରୁ ବାଇକ୍‌ ପଟୁଆରରେ ଆସି ଅତିରିକ୍ତ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ସ୍ମାରକପତ୍ର ଦେଇଥିଲେ। ମୁକ୍ତିକାନ୍ତଙ୍କୁ ସମର୍ଥନ କରି ସେଣ୍ଟର୍‌ ଅଫ୍‌ ଇଣ୍ଡିଆନ୍‌ ଟ୍ରେଡ୍‌ ୟୁନିୟନ୍ସ (ସିଟୁ) କର୍ମକର୍ତ୍ତାମାନେ ମଧ୍ୟ ବିଶ୍ରା ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର