ଜୁଏଲ ବିଭେଦ ସୃଷ୍ଟି କରୁଛନ୍ତି: ମୁକ୍ତିକାନ୍ତ

ରାଉରକେଲା : ‘‘ଇସ୍ପାତ ଜେନେରାଲ୍‌ ହସ୍ପିଟାଲ (ଆଇଜିଏଚ୍‌) ସୁପର୍‌ ସ୍ପେଶାଲିଟି ହସ୍ପିଟାଲ ଓ ମେଡ଼ିକଲ୍‌ କଲେଜରେ ରୂପାନ୍ତରିତ ହେବା ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷିତ ଦୁଇଟି ପ୍ରକଳ୍ପ। ଏହା ଦ୍ୱାରା ଜାତି, ଧର୍ମ ନିର୍ବିଶେଷରେ ସମଗ୍ର ଜିଲ୍ଲାବାସୀ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ୩ ବର୍ଷ ତଳେ ଏହା ଘୋଷଣା କରିଥିଲେ ମଧ୍ୟ ପ୍ରକଳ୍ପ ଦ୍ୱୟ କାର୍ଯ୍ୟକାରୀ ହୋଇନି। ତେଣୁ ତାଙ୍କୁ ପ୍ରତିଶ୍ରୁତି ମନେପକାଇ ଦେବା ଲକ୍ଷ୍ୟରେ ଦୀର୍ଘ ୧୫୫୦ କିଲୋମିଟର ପଦଯାତ୍ରା କରି ଦିଲ୍ଲୀ ଯାଇଥିଲି। ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ଅନୁମତି ପାଇଁ ଆମ ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ସାହାଯ୍ୟ ନକଲେ ନାହିଁ, କିନ୍ତୁ ଘଟଣାକୁ ଜାତିଆଣ ରୂପ ଦେବାକୁ ବିଭ୍ରାନ୍ତି ସୃଷ୍ଟି କରିବା ଦୁଃଖଦାୟକ’’ ବୋଲି ଦିଲ୍ଲୀରୁ ଫେରି ଏଠାରେ ପହଞ୍ଚିବା ପରେ ମୁକ୍ତିକାନ୍ତ କ୍ଷୋଭ ପ୍ରକାଶ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ମୁକ୍ତିକାନ୍ତ କହିଲେ, ୭୧ ଦିନର କଷ୍ଟସାଧ୍ୟ ପଦଯାତ୍ରା ପରେ ସେ ଜୁନ୍‌ ୨୭ରେ ଦିଲ୍ଲୀ ପହଞ୍ଚିବା ପରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରାଇ ଦେବା ପାଇଁ ଅନୁରୋଧ କରିଥିଲେ। ମାତ୍ର ତାଙ୍କୁ ତାଙ୍କ ପଦଯାତ୍ରା ‘କଂଗ୍ରେସ ପ୍ରାୟୋଜିତ’ କହି ଶ୍ରୀ ଓରାମ ନାସ୍ତିବାଣୀ ଶୁଣାଇଥିଲେ। ସେଠାରେ ଉପସ୍ଥିତ ଜାତୀୟ ଗଣମାଧ୍ୟମ ସାମ୍ବାଦିକମାନେ ଶ୍ରୀ ଓରାମଙ୍କ ପ୍ରତିକ୍ରିୟା ଲୋଡ଼ିବାରୁ ସେ କହିଥିଲେ, ‘ମୁଁ ଆଦିବାସୀ ବୋଲି ମୋତେ ବଦ୍‌ନାମ କରିବାକୁ ଏହା ଏକ ଷଡ଼ଯନ୍ତ୍ର’। ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ନପାଇ ମୁକ୍ତିକାନ୍ତ ୩ ଦିନ ଅନଶନରେ ବସିଥିଲେ। ପୁଲିସ୍‌ ଧମକ ଯୋଗୁଁ ଶେଷରେ ସେ ଦିଲ୍ଲୀ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ତାଙ୍କ ପଦଯାତ୍ରାକୁ ରାଜନୈତିକ ରଙ୍ଗ ଦେବା ପରେ ସେଥିରେ ଜାତିଆଣ ବିଭେଦ ସୃଷ୍ଟି କରାଯିବା ଉଚିତ ନୁହେଁ ବୋଲି ମୁକ୍ତିକାନ୍ତ ନିବେଦନ କରିଛନ୍ତି। ସେ କହିଲେ, ରାଉରକେଲାର ସ୍ୱାର୍ଥ ପାଇଁ ଅଞ୍ଚଳବାସୀଙ୍କ ସହଯୋଗରେ ସେ ଆନ୍ଦୋଳନ ଜାରି ରଖିବେ।

ସମ୍ବନ୍ଧିତ ଖବର