ମୁକ୍ତିକାନ୍ତଙ୍କ ଭୁବନେଶ୍ୱରକୁ ପଦଯାତ୍ରା : ନବୀନଙ୍କୁ ଭେଟିବେ, ସହଯୋଗ ଲୋଡ଼ିବେ

ରାଉରକେଲା : ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍‌କୁ ସୁପର ସ୍ପେଶାଲିଟି ହସ୍ପିଟାଲ, ମେଡିକାଲ କଲେଜରେ ରୂପାନ୍ତର ପାଇଁ ୩ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ସ୍ମରଣ କରାଇବାକୁ ରାଉରକେଲାରୁ ଦିଲ୍ଲୀ ୧୫୫୦ କିଲୋମିଟର ପଦଯାତ୍ରା ଓ ଦିଲ୍ଲୀରେ ଅନଶନ ପରେ ବି ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ନପାଇ ଫେରିଆସିଥିବା ମୁକ୍ତିକାନ୍ତ ବିଶ୍ୱାଳ ଆଜି ସକାଳେ ଭୁବନେଶ୍ୱରକୁ ତାଙ୍କ ଦ୍ୱିତୀୟ ପଦଯାତ୍ରା ଆରମ୍ଭ କରିଛନ୍ତି।

ରାଉରକେଲାରୁ ଭୁବନେଶ୍ୱର ୪୮୦ କିଲୋମିଟର ପଦଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ଦୁଇଟି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ଵିତ ପାଇଁ ତାଙ୍କ ସହଯୋଗ ଲୋଡ଼ିବେ। ତେବେ ଏ ଦୁଇ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଓ ବିଜେପି ସିଧାସଳଖ ଟାର୍ଗେଟ୍‌ରେ ଆସୁଥିବାରୁ ମୁକ୍ତିକାନ୍ତଙ୍କ ପଦଯାତ୍ରାକୁ ପ୍ରତି ଆକ୍ରମଣ (କାଉଣ୍ଟର୍‌ ଆଟାକ୍‌) କରିଛି ଜିଲ୍ଲା ବିଜେପି। ୫ ବର୍ଷ ପୂର୍ବେ ୨୦୧୩ରେ ରାଉରକେଲା ସେକ୍ଟର-୨୦ କୋଏଲନଦୀ ବୈକୁଣ୍ଠ ଘାଟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପିତ କୋଏଲ ବ୍ୟାରେଜ ପ୍ରକଳ୍ପ ପ୍ରସଙ୍ଗକୁ ଉଠାଇଛି। ରଘୁନାଥପାଲ୍ଲି ବିଧାୟକ ସୁବ୍ରତ ତରାଇଙ୍କ ଉପସ୍ଥିତିରେ ରାଉରକେଲାବାସୀଙ୍କୁ ଦେଖାଇଥିବା ସ୍ୱପ୍ନ ଭାଙ୍ଗିଯାଇଛି। ୫ ବର୍ଷ ପରେ ପ୍ରକଳ୍ପରେ ମାଟି ମୁଠେ ପଡ଼ି ନଥିବା ବେଳେ ଶିଳାନ୍ୟାସ ଫଳକ ବି ଭାଙ୍ଗିରୁଜି ଗଲାଣି। ବାସ୍ତବରେ ରାଉରକେଲାବାସୀଙ୍କୁ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ନିର୍ବାଚନୀ ଭେଳିକି ଥିଲା ବୋଲି ଜିଲ୍ଲା ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି।

ସମ୍ବନ୍ଧିତ ଖବର