ପୌର ନିର୍ବାଚନ ଅଡ଼ୁଆ ବଢ଼ିଲା : ଦ୍ୱନ୍ଦ୍ୱରେ ପୌର ପ୍ରଶାସକ, ବିବାଦ ତେଜିଲା

0 96

ଭୁବନେଶ୍ୱର : ଚଳିତବର୍ଷ ଶେଷ ଏବଂ ଆସନ୍ତା ଜାନୁଆରି ସୁଦ୍ଧା ରାଜ୍ୟର ତିନି ମହାନଗର ନିଗମ (ଭୁବନେଶ୍ୱର, କଟକ , ବ୍ରହ୍ମପୁର) ସମେତ ବିଭିନ୍ନ ମ୍ୟୁନିସପାଲଟି, ଏନ୍‌ଏସି ଭଳି ପ୍ରାୟ ୯୦ରୁ ଅଧିକ ପୌର ସଂସ୍ଥାର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏଣୁ ସ୍ୱାଭାବିକ ଭାବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ନିର୍ବାଚନ କମିସନର ପୌର ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଆସନ ସଂରକ୍ଷଣ ବ୍ୟବସ୍ଥା ନେଇ ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଏବେ ପୌର ପ୍ରଶାସକ ଅଡ଼ୁଆରେ ପଡ଼ି ଯାଇଛନ୍ତି। ପୁରୁଣା ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାକୁ ଆଗକୁ ନେବେ ନା ନୂଆ ସଂରକ୍ଷଣ ଆଇନ କରାଯାଇ ନିର୍ବାଚନ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରାଯିବ, ସେନେଇ ନଗର ଉନ୍ନୟନ ବିଭାଗ ଏ ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନେଇପାରୁନାହିଁ।

ପୌର ନିର୍ବାଚନରେ ସିଟ୍‌ ସଂରକ୍ଷଣ ୫୦% ଟପିବନି ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଏହି ଅଡ଼ୁଆ ବଢ଼ିଛି। ହାଇକୋର୍ଟଙ୍କ ନିର୍ଦେଶ ପୂର୍ବରୁ ରାଜ୍ୟ ନିର୍ବାଚନ କମିସନଙ୍କ ନିର୍ଦେଶ ଆଧାରରେ ପୌର ପ୍ରଶାସକ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ଏମିତି କି ପୌରସଂସ୍ଥାଗୁଡ଼ିକ ସେମାନଙ୍କର କେତୋଟି ଓ୍ଵାର୍ଡରେ ନିର୍ବାଚନ ହେବ, କେଉଁ ଓ୍ଵାର୍ଡରେ କେତେ ଜନସଂଖ୍ୟା, କେତେ ଭୋଟର, ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ହୋଇଛି, ଆସନ ସଂରକ୍ଷଣ ଆଦିର ତାଲିକା ପ୍ରସ୍ତୁତ କରି ଦେଇଥିଲେ। ଏପରିକି ନଗର ଉନ୍ନୟନ ବିଭାଗ ପକ୍ଷରୁ କେତେକ ପୌରସଂସ୍ଥା ନେଇ ଆସିଥିବା ଅଭିଯୋଗ ଉପରେ ଶୁଣାଣି ଆରମ୍ଭ ହୋଇଯାଇଥିଲା। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଗାମୀ ପଦକ୍ଷେପ କ’ଣ ହେବ ସେନେଇ ଦ୍ୱନ୍ଦ୍ୱ ଉପୁଜିଛି। ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଓ୍ଵାର୍ଡ ସ୍ତରରେ ଯେଉଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି ସେଥିରେ କେବଳ ବିସିସି (ପଛୁଆବର୍ଗ)ଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି। ମୋଟ୍‌ ଉପରେ ମହିଳାଙ୍କ ପାଇଁ ୫୦% ସଂରକ୍ଷଣ ରହିଛି। ହେଲେ ମୋଟ୍‌ ସଂରକ୍ଷଣ ବ୍ୟବସ୍ଥା ୫୦%ରୁ ଅଧିକ ରହିଛି। କେଉଁ ପୌର ସଂସ୍ଥାରେ ୫୩% ଅଛି ତ କେଉଁଠ ୫୫% ରହିଛି। ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ କେତେ ସିଟ୍‌ ସଂରକ୍ଷଣ ରହିବ ସେନେଇ ନିୟମ ନାହିଁ। ତେଣୁ ଜନସଂଖ୍ୟାକୁ ନଜରରେ ରଖି ଏହି ଦୁଇ ବର୍ଗ ପାଇଁ ସିଟ୍‌ ସଂରକ୍ଷଣ ରଖାଯାଇଥାଏ। ଅନୁସୂଚିତ ଜାତି ଏବଂ ଅନସୂଚିତ ଜନଜାତିଙ୍କ ପାଇଁ ସିଟ୍‌ ସଂରକ୍ଷଣ ରହିବା ପରେ ବିବିସି ପାଇଁ ୨୭% ସଂରକ୍ଷଣ ରୁହେ। ଯେଉଁଥିପାଇଁ ଅଧିକାଂଶ ସ୍ଥାନରେ ଏହା ୫୦%କୁ ଟପିଯାଏ।

ଅପରପକ୍ଷେ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ତାଲିକା ଆସିବା ପରେ ନଗରଉନ୍ନୟନ ବିଭାଗ ନିକଟରେ ୬୬୮୪ଟି ଅଭିଯୋଗ ଆସିଛି। ଯାହାର ଏବେ ଶୁଣାଣି ଚାଲିଛି। ଏପରି ସ୍ଥିତିରେ ହାଇକୋର୍ଟ ଆସନ ସଂରକ୍ଷଣ ୫୦% ମଧ୍ୟରେ ରଖିବାକୁ ନିର୍ଦ୍ଦେଶ ଦେଇଥିବାରୁ ପୁଣି ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ତାଲିକା ପ୍ରକାଶ କରିବାକୁ ପୌରସଂସ୍ଥାଗୁଡ଼ିକୁ ଅଧିକ ସମୟ ଲାଗିବ। କିନ୍ତୁ ରାଜ୍ୟ ନିର୍ବାଚନ କମିସନ ତୁରନ୍ତ ବିଭିନ୍ନ ପୌରସଂସ୍ଥାର ସବିଶେଷ ତାଲିକା ଦେବାକୁ କହୁଥିବାରୁ ଏହା ସମ୍ଭବ ନୁହେଁ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି।

Panda Mobile only

ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ହାଇକୋର୍ଟ ନିର୍ଦ୍ଦେଶ ଦେଲେ ବି ଏହାକୁ ଆମେ ଲାଗୁ କରିପାରିବୁନି। ଏୟା ନୁହେଁ ଯେ ଅବମାନନା କରିବୁ। ପୌର ନିର୍ବାଚନ ସଂରକ୍ଷଣ ଆଇନରେ ସଂଶୋଧନ ଆଣିବାକୁ ହେବ। ଏହି ଆଇନ ସଂଶୋଧନ ହେବା ପରେ ବିଧାନସଭାରେ ଆଗତ ହେବ। ସେଠାରେ ପାରିତ ହେବା ପରେ ଏହା ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ରାଜ୍ୟପାଳ ଏହାକୁ ମଞ୍ଜୁର କଲେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତି ଅନୁମୋଦନ କଲେ ଏହା ଲାଗୁ ହେବ।

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଲାଗୁ କରିବାକୁ ବହୁତ ସାମ୍ବିଧାନିକ ପ୍ରକ୍ରିୟା କରିବାକୁ ହେବ। କିନ୍ତୁ ରାଜ୍ୟ ନିର୍ବାଚନ କମିସନ ତାଗିଦ୍‌ କରୁଛନ୍ତି ଏପ୍ରିଲ୍‌ ୩୦ସୁଦ୍ଧା ପୌର ପ୍ରଶାସକ ବିଜ୍ଞପ୍ତି ପ୍ରକାଶ କରିବାକୁ ଥିଲେ ହେଁ କାହିଁକି ପ୍ରକାଶ କଲେନି। ଧାର୍ଯ୍ୟ ସମୟ ବିତି ଗଲାଣି। ତୁରନ୍ତ ବିଭିନ୍ନ ପୌର ସଂସ୍ଥାର ସବିଶେଷ ତଥ୍ୟ ଦାଖଲ କର।

ଏନେଇ ପୌର ପ୍ରଶାସକ ସଂଗ୍ରାମଜିତ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୌର ନିର୍ବାଚନ ନେଇ କ’ଣ ସମସ୍ୟା ରହିଛି ସେନେଇ ଆମେ ରାଜ୍ୟ ନିର୍ବାଚନ କମିସନଙ୍କୁ ଜଣାଇଛୁ। ସେଠାରୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁଯାୟୀ କାର୍ଯ୍ୟ କରିବୁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.