ପୌର ନିର୍ବାଚନ ପାଇଁ ତନାଘନା ଆରମ୍ଭ : ନଗର ଉନ୍ନୟନ ବିଭାଗକୁ ଆଲୋଚନା ପାଇଁ ଡାକିଲେ ରାଜ୍ୟ ନିର୍ବାଚନ କମିସନ

ଭୁବନେଶ୍ୱର : ପୌର ନିର୍ବାଚନରେ ସିଟ୍‌ ସଂରକ୍ଷଣ ବ୍ୟବସ୍ଥା ୫୦%ରୁ ଅଧିକ ଟପିବନି ବୋଲି ହାଇକୋର୍ଟ ରାୟ ଦେବା ପରେ ନଗର ଉନ୍ନୟନ ବିଭାଗର ପୌର ନିର୍ବାଚନ ପ୍ରସ୍ତୁତିରେ ବିଳମ୍ବ ହୋଇଛି। ଏପରିକି ରାଜ୍ୟର ପ୍ରାୟ ୯୦ରୁ ଅଧିକ ପୌର ସଂସ୍ଥା ନିର୍ବାଚନ ପାଇଁ ସେମାନଙ୍କର ଓ୍ଵାର୍ଡ ସୀମା ପୁନଃନିର୍ଦ୍ଧାରଣ, ଆସନ ସଂରକ୍ଷଣ ନେଇ ତାଲିକା ଦେଇଥିବାବେଳେ ହାଇକୋର୍ଟଙ୍କ ରାୟ ପରେ ପୁଣି ନୂଆ ତାଲିକା ପ୍ରସ୍ତୁତ ହେବ ନା ପୁରୁଣା ସଂରକ୍ଷଣ ତାଲିକାରେ ନିର୍ବାଚନ କରାଯିବ ସେନେଇ ବିଭାଗ ଦ୍ୱନ୍ଦ୍ୱରେ ପଡ଼ିଯାଇଛି। ଏପରିକି ପୌର ପ୍ରଶାସନ ନିର୍ଦ୍ଦେଶକ ବର୍ତ୍ତମାନ ଦେଖାଦେଇଥିବା ସମସ୍ୟା ନେଇ ରାଜ୍ୟ ନିର୍ବାଚନ କମିସନଙ୍କୁ ଜଣାଇଛନ୍ତି। ଏହାପରେ ରାଜ୍ୟ ନିର୍ବାଚନ କମିସନ କମିସନର ଆଲୋଚନା କରି ନିଷ୍ପତ୍ତି ନେବାକୁ ନଗର ଉନ୍ନୟନ ବିଭାଗ ସଚିବ ଏବଂ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ଡାକିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପୌର ନିର୍ବାଚନ କିପରି ହେବ ସେନେଇ ଉଭୟ ରାଜ୍ୟ ନିର୍ବାଚନ କମିସନ ଏବଂ ନଗର ଉନ୍ନୟନ ବିଭାଗ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କିପରି ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେବ ସେନେଇ ରାଜ୍ୟ ନିର୍ବାଚନ କମିସନ ପୌର ନିର୍ବାଚନ ସମ୍ପର୍କିତ ସମସ୍ତ ଆଇନକୁ ତର୍ଜମା କରିବାକୁ ଚାହିଁଛନ୍ତି। ଏଥିପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟ ନିର୍ବାଚନ କମିସନଙ୍କୁ ଓଡ଼ିଶା ମ୍ୟୁନିସପାଲ୍‌ ଆକ୍ଟ-୧୯୫୦, ଓଡ଼ିଶା ମ୍ୟୁନିସପାଲ୍‌ ରୁଲ୍‌ସ-୧୯୫୩, ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆକ୍ଟ-୨୦୦୩, ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ୍‌ (ସହରକୁ ଓ୍ଵାର୍ଡରେ ଆବଣ୍ଟନ, ଆସନ ସଂରକ୍ଷଣ ଏବଂ ନିର୍ବାଚନ ପରିଚାଳନା) ରୁଲ୍‌ସ ୨୦୦୩, ଓଡ଼ିଶା ମ୍ୟୁନିସପାଲ୍‌ କର୍ପୋରେସନ୍‌ ରୁଲ୍‌ସ-୨୦୦୪ ପୁସ୍ତିକା ମାଗିଛନ୍ତି। ଏଥିରେ କ’ଣ ନିୟମ ରହିଛି, କିପରି ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରିବ କି ଅଧିକ ସମୟ ମଗାଯିବ ସେନେଇ ବିଚାର ବିମର୍ଷ କରିବାକୁ ନିଷ୍ପତ୍ତି ହୋଇଛି।

କିନ୍ତୁ ନଗର ଉନ୍ନୟନ ବିଭାଗ ସଚିବଙ୍କ ନିକଟରେ ଏବେ ବୈଠକ ପାଇଁ ସମୟ ନଥିବାରୁ ଏବଂ ପୌର ପ୍ରଶାସନ ନିର୍ଦ୍ଦେଶକ ଦେଶ ବାହାରେ ଥିବାରୁ ପରବର୍ତ୍ତୀ ସମୟରେ ଏନେଇ ଆଲୋଚନା କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ହାଇକୋର୍ଟ ନିର୍ଦ୍ଦେଶ ଦେଲେ ବି ଏହାକୁ ଆମେ ତୁରନ୍ତ ଲାଗୁ କରିପାରିବୁନି। ଏୟା ନୁହେଁ ଯେ ଅବମାନନା କରିବୁ। ପୌର ନିର୍ବାଚନ ସଂରକ୍ଷଣ ଆଇନରେ ସଂଶୋଧନ ଆଣିବାକୁ ହେବ। ଏହି ଆଇନ ସଂଶୋଧନ ହେବା ପରେ ବିଧାନସଭାରେ ଆଗତ ହେବ। ସେଠାରେ ପାରିତ ହେବା ପରେ ଏହା ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ରାଜ୍ୟପାଳ ଏହାକୁ ମଞ୍ଜୁର କଲେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତି ଅନୁମୋଦନ କଲେ ଏହା ଲାଗୁ ହେବ। ତେଣୁ ରାଜ୍ୟ ନିର୍ବାଚନ କମିସନ କମିସନରଙ୍କୁ ଏନେଇ ଜଣାଇଛୁ। ଏହାପରେ କମିସନର ଯାହା ନିଷ୍ପତ୍ତି ନେବେ ସେହି ଅନୁଯାୟୀ ପୌର ନିର୍ବାଚନ ହେବ। ହାଇକୋର୍ଟଙ୍କ ବର୍ତ୍ତମାନ ରାୟ ଅନୁଯାୟୀ ଆସନ୍ତା ୬ମାସ ମଧ୍ୟରେ କୌଣସି ନିର୍ବାଚନ କରିବା ସମ୍ଭବ ହେବନି।

ସମ୍ବନ୍ଧିତ ଖବର