ସାଧାରଣ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଆସନ୍ତା ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନର୍‌ ନବ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ ଏବଂ କେନ୍ଦ୍ରାଞ୍ଚଳ ଆର୍‌ଡିସି ଜୋନ୍‌ ଅଧୀନ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ନୋଡାଲ ଅଧିକାରୀମାନଙ୍କୁ ନେଇ ତିନିଟି ପର୍ଯ୍ୟାୟରେ ଏହି ବୈଠକ ଗତ ୧୮, ୨୧ ଓ ୨୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନିର୍ବାଚନ ଅଧିକାରୀ, ନୋଡାଲ ଅଧିକାରୀ, ପ୍ରିଜାଇଡିଂ ଅଧିକାରୀଙ୍କ କାର୍ଯ୍ୟ, ଇଭିଏମ୍‌ ପରିଚାଳନା, ଆଦର୍ଶ ଆଚରଣ ବିଧିି, ଭୋଟର ତାଲିକା, ଭୋଟ ଗ୍ରହଣ କେନ୍ଦ୍ର, ନାମାଙ୍କନ ପ୍ରକ୍ରିୟା, ନିର୍ବାଚନ ଚିହ୍ନ ବଣ୍ଟନ, ପୋଲିଂ ଅଧିକାରୀଙ୍କ ନିଯୁକ୍ତି ଓ ତାଲିମ୍‌, ଷ୍ଟ୍ରଙ୍ଗ ରୁମ୍‌, ସୁରକ୍ଷା ବ୍ୟବସ୍ଥା, ଭୋଟଗଣତି ଏବଂ ନିର୍ବାଚନ ଫଳାଫଳ ଘୋଷଣା ଆଦି ବିଭିନ୍ନ ବିଷୟ ଉପରେ ବିଶଦ୍‌ ଆଲୋଚନା କରାଯାଇଥିଲା। ନିର୍ବାଚନକୁ କିପରି ମୁକ୍ତ, ଅବାଧ ଓ ନିରପେକ୍ଷ କରାଯିବ, ସେନେଇ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ସଚିବ ଉଦୟ ନାରାୟଣ ଦାସ, ସ୍ୱତନ୍ତ୍ର ସଚିବ ଅଶୋକ କୁମାର ଦାଶ, ଉପସଚିବ ଆଜାଦ୍‌ହିନ୍ଦ୍‌ ପାଣିଗ୍ରାହୀ, ଆଇନ ଅଧିକାରୀ ମାଧୁରୀ ମିଶ୍ର, ଅନୁସଚିବ ବାଙ୍କନିଧି ଷଡ଼ଙ୍ଗୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର