ମଦ ପିଇବାକୁ ଟଙ୍କା ନଦେବାରୁ… ବାପାକୁ କୂଅକୁ ଠେଲି ହତ୍ୟା

ସୋରଡ଼ା: ନିଶା ପାଇଁ ଜନ୍ମ କଲା ବାପାକୁ ବି ଚିହ୍ନିଲାନି ପୁଅ। ମଦ ପିଇବାକୁ ମାତ୍ର ୫ଟଙ୍କା ନଦେବାରୁ କୂଅରେ ଠେଲି ବାପାକୁ ନିର୍ମମ ଭାବେ ହତ୍ୟା କଲା। ଗଂଜାମ ଜିଲ୍ଲା ବଡ଼ଗଡ଼ ଥାନା ସିଦ୍ଧପୁର ଗ୍ରାମ ଦଳିତ ସାହିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ଭଜରାମ ଦାସ (୬୦)। ଭଜରାମ ଗାଁର କାଳୀ ମନ୍ଦିରରେ ପୂଜା କରନ୍ତି। ଦୁଇ ପୁଅ ବିଦେଶୀ ଓ ବାବୁଲା ବିବାହିତ ଓ ଦିନ ମଜୁରିଆ ଭାବେ କାମ କରନ୍ତି। ଗତକାଲି ରାତି ପ୍ରାୟ ୯ଟାରେ ବାବୁଲା ପ୍ରଚୁର ମଦ ପିଇ ଘରକୁ ଆସିଥିଲା। କିଛି ସମୟ ପରେ ମଦ ପିଇବା ପାଇଁ ବାପା ଭଜରାମଙ୍କୁ ପୁଣି ୫ଟଙ୍କା ମାଗିଥିଲା। କିନ୍ତୁ ଭଜରାମ ମନା କରିବାରୁ ବାବୁଲା ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ଘରୁ ଘୋଷାଡ଼ି ଘୋଷାଡ଼ି ବାହାରକୁ ନେଇ ଯାଇଥିଲା। ପରିବାର ଲୋକେ ବାବୁଲାର ଉଗ୍ର ରୂପ ଦେଖି ତାକୁ ଅଟକାଇବାକୁ ସାହସ କରି ପାରି ନଥିଲେ। କିଛି ସମୟ ପରେ ଗ୍ରାମ ଶିବ ମନ୍ଦିର ନିକଟ ଏକ କୂଅ ପାଖକୁ ଭଜରାମଙ୍କୁ ନେଇ ସେ ତାଙ୍କୁ ଠେଲି ଦେଇ ଥିଲା। କୂଅ ଭିତରେ ଭଜରାମ ପଡ଼ି ଚିତ୍କାର କରୁଥିଲେ ବି କେହି ଏହାକୁ ଶୁଣି ପାରି ନଥିଲେ। କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର