କୋର୍ଟ ଭିତରେ ହତ୍ୟା : ଖଣ୍ଡା ଚୋଟରେ ଜଣେ ମୃତ, ଦୁଇ ଗୁରୁତର

ସମ୍ବଲପୁର/ବୁର୍ଲା : କୋର୍ଟରୁମ୍‌ ଭିତରେ ବୁଲିଲା ଖଣ୍ଡା। ଓକିଲ ଓ ବିଚାରପତିଙ୍କ ଉପସ୍ଥିତିରେ ହିଁ ଜଣେ ଯୁବକ ନିଜ ପୂର୍ବତନ ପ୍ରେମିକା ତଥା ପତ୍ନୀଙ୍କୁ ଅତି ନିର୍ମର୍ମ ଭାବେ ହାଣି ହତ୍ୟା କରିଛି। ଖଣ୍ଡା ଚୋଟରେ ଯୁବତୀଙ୍କ ମା’ ଓ ଝିଆରି ବି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଯୁବତୀଙ୍କ ବାପା କୋର୍ଟ ପରିସରରେ ଥିବା ଏକ ଅଫିସ ମଧ୍ୟରେ ପଶି କବାଟ ବନ୍ଦ କରି ଦେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୋମବାର ସକାଳର ଏହି ଘଟଣା ସମ୍ବଲପୁର ଫାମିଲି କୋର୍ଟ ପରିସରରେ ଆତଙ୍କ ଖେଳାଇ ଦେଇଛି। ତିନିଜଣଙ୍କୁ ହାଣିବା ପରେ ବି ଖଣ୍ଡା ଧରି କୋର୍ଟ ପରିସରରେ ବୁଲୁଥିବା ଏହି ଯୁବକକୁ କିଛି ବରିଷ୍ଠ ଓକିଲ କୌଣସି ପ୍ରକାରେ ଶାନ୍ତ କରିଥିବା ବେଳେ ପୁଲିସ ପହଞ୍ଚି ତାକୁ ଗିରଫ କରିଛି। କୋର୍ଟ ପରିସରରେ ଏଭଳି ଆକ୍ରମଣ ଘଟଣା କେବଳ ସମ୍ବଲପୁର ନୁହେଁ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି।

ମୃତ ଯୁବତୀଙ୍କ ନାମ ସଂଗୀତା ଓରଫ ସଂଜିତା ଚୌଧୁରୀ(୧୮)। ସିନ୍ଦୁରପଙ୍କରେ ରହୁଥିବା ବିହାର ସମସ୍ତିପୁର ଅଞ୍ଚଳର ଫୁଦନ ଚୌଧୁରୀ(୫୦)ଙ୍କ ଝିଅ ସେ। ଫୁଦନ ଏଠାରେ ଗୁପ୍‌ଚୁପ୍‌ ବିକନ୍ତି। ଅଭିଯୁକ୍ତ ଯୁବକ ନାଁ ରମେଶ କୁମାର। ସେ ମଧ୍ୟ ସିନ୍ଦୁରପଙ୍କ ଅଞ୍ଚଳରେ ରହେ ଓ ଡ୍ରାଇଭର କାମ କରେ। ପରିବାର ଓ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତବର୍ଷ ରମେଶ ନାବାଳିକା ସଂଗୀତାକୁ ଅପହରଣ କରି ନେଇଥିଲା। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। କିଛି ଦିନ ପରେ ପୁଲିସ ସଂଗୀତାକୁ ଉଦ୍ଧାର କରି ବାପାମା’ଙ୍କ ଜିମା ଦେଇଥିଲା। ତେବେ କିଛି ଦିନ ପରେ ରମେଶ ପୁଣି ସଂଗୀତାକୁ ନେଇ ଯାଇଥିଲା। ସ୍ୱାମୀସ୍ତ୍ରୀ ଭାବେ ଚଳିଥିଲେ ସେମାନେ। କିନ୍ତୁ ମନୋମାଳିନ୍ୟ ଓ ନିର୍ଯାତନା ଯୋଗୁଁ କିଛି ଦିନ ପରେ ପୁଣି ସଂଗୀତା ବାପଘରକୁ ଫେରି ଆସିଥିଲେ। ଏହାପରେ ପରିବାର ଲୋକେ ବିହାରରେ ତାଙ୍କର ବିବାହ କରି ଦେଇଥିଲେ। ଏ କଥା ଜାଣିବା ପରେ ରମେଶ ସଂଗୀତାଙ୍କୁ ନିଜ ପତ୍ନୀ ବୋଲି ଦାବି କରି ସମ୍ବଲପୁର ପରିବାର ଅଦାଲତରେ ମାମଲା ଦାଏର କରିଥିଲା। ଆଜି ମାମଲାର କାଉନସେଲିଂ ତାରିଖ ଥିଲା।

ଆଜି ସକାଳେ ସଂଗୀତା ତାଙ୍କ ବାପା ଫୁଦନ ଓ ମା’ ଲଳିତାଙ୍କ ସହ ଫାମିଲି କୋର୍ଟକୁ ଆସିଥିଲେ। ସାଙ୍ଗରେ ତାଙ୍କ ବଡ଼ ଭଉଣୀର ଅଢ଼େଇ ବର୍ଷର ଝିଅ ଶିବାନୀକୁ ମଧ୍ୟ ଆଣିଥିଲେ। ଫୁଦନ ତାଙ୍କ ଓକିଲଙ୍କୁ ଖୋଜିବାକୁ ଯାଇଥିବା ବେଳେ ସଂଗୀତା ଓ ଅନ୍ୟମାନେ ଅଦାଲତ ପରିସର ଭିତରେ ଅପେକ୍ଷା କରି ରହିଥିଲେ। ପ୍ରାୟ ସାଢ଼େ ୮ ଟା ବେଳେ ରମେଶ ଅଚାନକ ସେଠାରେ ପହଞ୍ଚି ସଂଗୀତାଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଥିଲା। ପ୍ରଥମ ଚୋଟ ସଂଗୀତାଙ୍କ ମୁଣ୍ଡରେ ପଡ଼ିଥିଲା। ପ୍ରାଣ ବିକଳରେ ସଂଗୀତା ସେଠାରେ ଉପସ୍ଥିତ ଥିବା ଆଇନଜୀବୀ ନିଳିମା ପଣ୍ଡାଙ୍କ ନିକଟକୁ ଧାଇଁ ଯାଇଥିଲେ। ଜୀବନରକ୍ଷା ଲାଗି ନିବେଦନ କରିଥିଲେ। ନିଳିମା ସଂଗୀତାଙ୍କୁ ଉଦ୍ଧାର କରି ଅଦାଲତର ଏକ କକ୍ଷରେ ପୂରାଇ ଦେଇଥିଲେ। ଏତିକିବେଳେ ରମେଶ ଲଳିତା ଓ କୁନି ଝିଅ ଶିବାନୀଙ୍କୁ ମଧ୍ୟ ଖଣ୍ଡାରେ ଆକ୍ରମଣ କରିଥିଲା। ସେମାନଙ୍କୁ ଲୋକେ ବଞ୍ଚାଇବା ଉଦ୍ୟମ କରିବା ବେଳକୁ ରମେଶ ପୁଣି ସଂଗୀତାଙ୍କ ପାଖରେ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲା ସଂଗୀତା ତଳେ ପଡ଼ିଯିବା ପରେ ତାଙ୍କ ପେଟକୁ ଖଣ୍ଡାରେ ବାରମ୍ବାର ଭୁସିଥିଲା। ଫାମିଲି କୋର୍ଟ ପରିସର ରକ୍ତରଂଜିତ ହୋଇ ଯାଇଥିଲା। ଓକିଲ ନିଳିମା ବି ସଂଜ୍ଞାହୀନ ହୋଇପଡ଼ିଥିଲେ।

ଏତିକିରେ ଶାନ୍ତ ପଡ଼ିନଥିଲା ରକ୍ତମୁଖା ରମେଶ। ଖଣ୍ଡା ଧରି ଅଦାଲତ ବାହାରକୁ ଆସୁଥିବା ବେଳେ ସାମନାରେ ପଡ଼ିଥିଲେ ସଂଗୀତାଙ୍କ ବାପା ଫୁଦନ। ରମେଶ ତାଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା। ତେବେ ସେ ନିକଟସ୍ଥ ଏକ ଅଫିସ ଭିତରକୁ ପଶିଯାଇ ନିଜକୁ ରକ୍ଷା କରିଥିଲେ। ଏହାପରେ ପରିବାର ଅଦାଲତ ସମ୍ମୁଖ ପଡ଼ିଆରେ ରମେଶ ଖଣ୍ଡା ଧରି ବୁଲିଥିଲା। ଅଦାଲତ ପରିସରରେ ଆତଙ୍କ ଖେଳି ଯାଇଥିଲା। ଭିତରେ ତିନିଜଣ ରକ୍ତ ଜୁଡୁବୁଡୁ ହୋଇ ପଡ଼ି ଛଟପଟ ହେଉଥିଲେ। ବାହାରେ ଲୋକେ ଭୟରେ ଯିଏ ଯୁଆଡ଼େ ଧାଇଁଥିଲେ।

କିଛି ସମୟ ପରେ ବରିଷ୍ଠ ଆଇନଜୀବୀ ସୋନୁ ତ୍ରିପାଠୀ ରମେଶକୁ ବୁଝାଇ ତା’ଠାରୁ ଖଣ୍ଡା ନେଇ ଆସିଥିଲେ। ଏହାପରେ ଉପସ୍ଥିତ ଲୋକେ ରମେଶକୁ କାବୁ କରି ନେଇଥିଲେ। କିଛି ସମୟ ପରେ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରମେଶକୁ ଗିରଫ କରିଥିଲା।

ଅନ୍ୟପକ୍ଷରେ ଗୁରୁତର ଆଘାତପ୍ରାପ୍ତ ହୋଇ ଦୁଇ ମହିଳା ଏବଂ ଶିଶୁ କନ୍ୟା ଅଦାଲତ କକ୍ଷ ଭିତରେ ପ୍ରାୟ ଅଧଘଣ୍ଟା ଧରି ଛଟପଟ ହେଉଥିଲେ ବି ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇ ପାରିନଥିଲା। ସଂଗୀତାଙ୍କୁ ତୁରନ୍ତ ବୁର୍ଲା ପଠାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୁଣ୍ଡ, ଛାତି, ପେଟ, ଅଣ୍ଟା ଓ ମେରୁଦଣ୍ଡରେ ଗୁରୁତର ଆଘାତ ଓ ପ୍ରଚୁର ରକ୍ତକ୍ଷୟ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତରମାନେ କହିଛନ୍ତି। ଏ ନେଇ ଟାଉନ ଥାନାରେ ହତ୍ୟା ମାମଲା ରୁଜୁ କରାଯାଇଥିବା ଟାଉନ ଥାନା ଅଧିକାରୀ ପ୍ରଦୀପ ସାହୁ କହିଛନ୍ତି।

ଅନ୍ୟପକ୍ଷରେ ଗୁରୁତର ଆହତ ଲଳିତା ଓ ନାତୁଣୀ ଶିବାନୀଙ୍କୁ ମଧ୍ୟ ଆଜି ପୂର୍ବାହ୍ନ ୨ଟାରେ ସଦର ଡାକ୍ତରଖାନାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଉଭୟଙ୍କ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର