ନିଶାସକ୍ତ ବଡ଼ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ହତ୍ୟାକରି ପୋତି ଦେଇଥିଲେ ବାପା ଓ ସାନପୁଅ

ବାପା ଗିରଫ , ସାନପୁଅ ଫେରାର୍

ଖୁଣ୍ଟୁଣୀ: ନିଜର ପୁଅକୁ ହତ୍ୟାକରି ପୋତି ଦେଇଥିଲେ ବାପା । ଏଭଳି ଜଘନ୍ୟ କାଣ୍ଡ କଟକ ଜିଲ୍ଲାର ଗୁରୁଡ଼ିଝାଟିଆ ଥାନା ଅଞ୍ଚଳରେ ଘଟିଥିବା ଜଣାଯାଛି।

ପ୍ରାପ୍ତ ସୂଚନା ଅନୁଯାୟୀ, କଟକ ଜିଲ୍ଲାର ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁର ସିଆଳି ସାହିରେ ରହୁଥିବା ନରେନ୍ଦ୍ର ଦେହୁରୀଙ୍କ ବଡ଼ ପୁଅ କୁନିଆଁ (୨୮) ଜଣେ ନିଶାଡ଼ି। ସେ ନିୟମିତ ଭାବେ ମଦ, ଗଞ୍ଜେଇ ଖାଇ ଘରେ ପାଟିତୁଣ୍ଡ କରୁଥିଲା ଏବଂ ମାରପିଟ ବି କରୁଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ବିବାହିତ କୁନିଆଁର ସ୍ତ୍ରୀ ବି ପ୍ରାୟ ବର୍ଷେ ହେବ ଘର ଛାଡ଼ି ଚାଲିଯାଇଥିଲେ।

ବଡ଼ପୁଅର ଦୌରାତ୍ମରେ ଅତିଷ୍ଠ ହୋଇ ବାପା ନରେନ୍ଦ୍ର ଦେହୁରୀ ଓ ତାଙ୍କ ସାନ ପୁଅ ଟିଟୁଆ ଦୁହେଁ ମିଶି ଯୋଜନାବଦ୍ଧ ଭାବେ ଗତ ରବିବାର ଦିନ କୁନିଆଁକୁ ଟାଙ୍ଗିଆ ଓ ଠେଙ୍ଗା ସହାୟତାରେ ମାରି ବାଡ଼ିପଟେ ଗାତ ଖୋଳି ପୋତି ଦେଇଥିଲେ। ୫ଦିନ ହେଲା ପୁଅକୁ ଦେଖିନଥିଲେ ସ୍ଥାନୀୟ ଲୋକେ । ଏନେଇ ଗୁରୁଡିଝାଟିଆ ପୁଲିସ କୌଣସି ସୂତ୍ରରୁ ସୂଚନା ପାଇବା ପରେ ତଦନ୍ତ କରିବା ପରେ ଅଭିଯୁକ୍ତ ବାପା ନରେନ୍ଦ୍ର ଦେହୁରୀଙ୍କୁ ଗତକାଲି ଗିରଫ କରିଛି।

ହେଲେ ସାନ ପୁଅ ଟିଟୁଆ ଫେରାର୍ ହୋଇଯାଇଥିବା ଜଣାଯାଇଛି। ଆଜି ପୁଲିସ୍ ମୃତ କୁନିଆର ଶବ ବ୍ୟବଚ୍ଛେଦ କରିବ ଏବଂ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରିବ। ଅପରପକ୍ଷରେ ଆଜି ଅଭିଯୁକ୍ତ ନରେନ୍ଦ୍ର ଦେହୁରୀଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର