ସଂସ୍କାର ଦେଖାଇଲେ ମୁସଲମାନ ମହିଳା : ସିଂହଦ୍ବାରରୁ ରହିଗଲେ

ପୁରୀ : ମୁସଲମାନ ମହିଳା ହେଲେ ବି ସେ ଦେଖାଇଛନ୍ତି ତାଙ୍କର ସଂସ୍କାର। ହିନ୍ଦୁ ଧର୍ମ ପ୍ରତି ତାଙ୍କର ସମ୍ମାନ ଓ ଆଦରକୁ ପ୍ରତିପାଦିତ କରିଛନ୍ତି। ଗୋଟିଏ ଗୋଷ୍ଠୀ ହୋଇ ହିନ୍ଦୁ ଓ ମୁସଲମାନ ମହିଳାମାନେ ପୁରୀ ଆସିଥିଲେ। ଶ୍ରୀମନ୍ଦିର ପର୍ଯ୍ୟନ୍ତ ବି ଗଲେ। ହିନ୍ଦୁମାନେ ଶ୍ରୀମନ୍ଦିରକୁ ପଶିଲେ, ମାତ୍ର ବାହାରେ ରହିଗଲେ ମୁସଲମାନ ମହିଳା ଜଣକ। ସିଂହଦ୍ବାରରେ ଲେଖା ଥିବା ଅଣହିନ୍ଦୁଙ୍କୁ ପ୍ରବେଶ ମନା ହିଁ ତାଙ୍କୁ ସେହିଠାରେ ରୋକି ଦେଇଥିଲା।

ଏହି ମହିଳା ଜଣଙ୍କୁ ନେଇ ଆଜି ବେଶ ଚର୍ଚ୍ଚା ହୋଇଛି ପୁଲିସ କର୍ମଚାରୀଙ୍କ ମଧ୍ୟରେ। ସକାଳୁ ପୁଲିସକୁ ଖବର ମିଳିଥିଲା ଜଣେ ମୁସଲମାନ ମହିଳା ଶ୍ରୀମନ୍ଦିରକୁ ଯିବେ। ସେଥି ପାଇଁ ପୁରୀ ପୁଲିସ ଓ ଶ୍ରୀମନ୍ଦିର ପୁଲିସ ସଜାଗ ରହିଥିଲେ। ନଜର ରଖିଥିଲେ କେତେବେଳେ ଆସିବେ। ଅପେକ୍ଷା କରି କରି ସଞ୍ଜ ହେଲା। ରାତି ବି ହେଲା। ମାତ୍ର କୌଣସି ମୁସଲମାନ ମହିଳା ଆସିଲେ ନାହିଁ। ରାତିରେ ଆସିଲେ ଗୋଟିଏ ମହିଳା ଓ ପୁରୁଷ ଗୋଷ୍ଠୀ। ସମସ୍ତେ ସିଂହଦ୍ବାର ନିକଟରେ ପହଞ୍ଚିଲେ। ମୁସଲମାନ ମହିଳା ଜଣକ ଜଣା ବି ପଡ଼ୁ ନଥିଲେ। ସମସ୍ତେ ଦେଉଳ ଭିତରକୁ ପଶିଲେ। ହେଲେ ମୁସଲମାନ ମହିଳା ଜଣକ ସିଂହଦ୍ବାର ପୂର୍ବରୁ ରହିଗଲେ। ପଛକୁ ଫେରି ଆସିଲେ। ଦୂରରୁ ପତିତପାବନଙ୍କୁ ମୁଣ୍ଡିଆ ମାରି ବାହାରେ ରହିଲେ। ତାଙ୍କ ସହଗାମୀମାନେ ଫେରିବା ପରେ ସମ‌ସ୍ତେ ସାଙ୍ଗ ହୋଇ ଫେରିଥିଲେ। ଘଟଣାଟି ପୁଲିସ କର୍ମଚାରୀମାନଙ୍କୁ ବେଶ ପ୍ରଭାବିତ କରିଛି। ପୂର୍ବରୁ ଅନେକ ବିଦେଶୀ ଓ ଅଣ ହିନ୍ଦୁ ଲୁଚି ଛପି ଦେଉଳ ଭିତରକୁ ପଶିଥିଲେ ମଧ୍ୟ ଆଜିର ଏହି ଘଟଣା ସମ୍ପୂର୍ଣ୍ଣ ନିଆରା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଛି।

ସମ୍ବନ୍ଧିତ ଖବର