ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପାରିସ

‘ବ୍ଲାକ୍‌ରୋଜ୍‌’ ବୁଡ଼ିବା ଘଟଣାକୁ ଆଠ ବର୍ଷ ବିତିଲାଣି

ପାରାଦୀପ : ବ୍ଲାକ୍‌ରୋଜ୍‌ ବୁଡ଼ିବା ଘଟଣାକୁ ଆଠ ବର୍ଷ ବିତିଲାଣି। ତଥାପି ଏହି ଜାହାଜ ସଂକ୍ରାନ୍ତରେ ସବିଶେଷ ତଥ୍ୟ ସଂଗ୍ରହ କରିବାରେ ସବୁ ବିଭାଗ ଫେଲ୍‌ ମାରିଛନ୍ତି। ଜାହାଜଟି ଜାଲ୍‌ ନଥିପତ୍ରରେ କାରବାର କରୁଥିବା ବେଳେ ଏହାର ବୀମା, ଫିଟ୍‌ନେସ୍‌ ସବୁକିଛି ନକଲି ଥିବା ସ୍ପଷ୍ଟ ପ୍ରମାଣ ମିଳିଛି। ତଥାପି ଏ ପର୍ଯ୍ୟନ୍ତ ଜାହାଜ ମାଲିକ ଓ ଏହାର ଏଜେଣ୍ଟ୍‌ମାନଙ୍କ ପାଖରେ ପୁଲିସ ପହଞ୍ଚି ପାରିନାହିଁ। ଆଜି ବନ୍ଦର ଟ୍ରଷ୍ଟ ବୋର୍ଡ ବୈଠକରେ ଏ ନେଇ ପୁଣି ଥରେ ଦାବି ରଖାଯାଇଥିଲା। ଏହି ଦାବିକୁ ଭିତ୍ତିକରି ବନ୍ଦର କର୍ତ୍ତୃପକ୍ଷ ସିବିଆଇ ତଦନ୍ତ ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଏହି ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବିରେ ଗତ ୨୯.୦୭.୨୦୧୭ ଓ ୯.୯.୨୦୧୭ରେ ଦୁଇଟି ଚିଠି ଲେଖାଯାଇଥିଲା। ମାତ୍ର ଏ ନେଇ ବନ୍ଦର କର୍ତ୍ତୃପକ୍ଷ କୌଣସି ପ୍ରକାର ପଦକ୍ଷେପ ନେଇନଥିଲେ। ପରେ ଗଣମାଧ୍ୟମରେ ଏ ନେଇ ବାରମ୍ବାର ଖବର ପ୍ରକାଶ ପାଇବା ସହ ଏହି ବୁଡ଼ି ଯାଇଥିବା ଜାହାଜ ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟା ସମ୍ପର୍କରେ ଆଜି ପୁଣି ଥରେ ଦୁଇ ଟ୍ରଷ୍ଟି ଭୁବନମୋହନ ଜେନା ଓ ପ୍ରତାପ ମିଶ୍ର ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏ ସମସ୍ତ ଘଟଣା ଶୁଣିବା ପରେ ସିବିଆଇ ତଦନ୍ତ କରିବା ପାଇଁ କେନ୍ଦ୍ରକୁ ଖୁବଶ୍ରୀଘ୍ର ସୁପାରିସ କରାଯିବ ବୋଲି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ।

ପ୍ରକାଶଥାଉ କି, ୨୦୦୯ ସେପ୍ଟେମ୍ବର ୯ ତାରିଖରେ ବ୍ଲାକ୍‌ରୋଜ୍‌ ସମୁଦ୍ରରେ ବୁଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର