ଭୁବନେଶ୍ୱର: ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଥିବା ଆଇଏଏସ୍‌ ଅଧିକାରୀ ବିଜୟ କେତନ ଉପାଧ୍ୟାୟ ଏବେ ଜେଲରେ ଥିବା ବେଳେ ତାଙ୍କ ସ୍ତ୍ରୀ ତୁଷିମା ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ସ୍ୱାମୀ ନିର୍ଦ୍ଦୋଷ ବୋଲି ସଫେଇ ଦେଇଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ତୁଷିମା କହିଛନ୍ତି, ‘ମୋ ସ୍ୱାମୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫସାଇ ଦିଆଯାଇଛି ଏବଂ ବିନା କାରଣରେ ହଇରାଣ ହରକତ କରାଯାଉଛି।’

Advertisment

ଏଥିସହ ଆଇଏଏସ୍‌ ବିଜୟ କେତନଙ୍କ ଗିରଫଦାରିକୁ ନେଇ ମଧ୍ୟ ତୁଷିମା ପ୍ରଶ୍ନ ଉଠାଇଛନ୍ତି। ସେ ସରକାରୀ ଓକିଲଙ୍କ ବିରୋଧରେ ଅଭିଯୋଗ ଉଠାଇଛନ୍ତି। ସେ କହିଛନ୍ତି ଯେ ଅଦାଲତରେ ସରକାରୀ ଓକିଲ ଦର୍ଶାଇଥିଲେ ବିଜୟଙ୍କୁ ଜାମିନ ଦେଲେ ଖରାପ ବାର୍ତ୍ତା ଯିବ। ବିଜୟ କ’ଣ ଆତଙ୍କବାଦୀ ନା ଦୁଷ୍କର୍ମକାରୀ କି ବୋଲି ତୁଷିମା ପ୍ରଶ୍ନ ଉଠାଇଛନ୍ତି। ଆମଘରୁ କୌଣସି ଆପତ୍ତିଜନକ କାଗଜପତ୍ର ମିଳିଛି କି ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ଉଦ୍ୟାନ ବିିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଉପାଧ୍ୟାୟ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଜଣେ ବ୍ୟକ୍ତିଙ୍କଠାରୁ ବିଲ୍‌ ପାସ୍‌ କରାଇବା ଲାଗି ସେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଆଇଏଏସ୍‌ ଉପାଧ୍ୟାୟଙ୍କୁ ଧରି ପକାଇଥିଲେ।

ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କଠାରୁୁ ବିଭାଗର କାର୍ଯ୍ୟକାରିତା ନେଇ ମତାମତ ସଂଗ୍ରହ ସମୟରେ ଉଦ୍ୟାନ ବିଭାଗରେ ବ୍ୟାପକ ଲାଞ୍ଚ କାରବାର ହେଉଥିବା ସୂଚନା ଆସିଥିଲା। ଏଥିସହ ନିର୍ଦ୍ଦେଶକ ଦୁର୍ନୀତିରେ ଜଡ଼ିତ ବୋଲି ଅଭିଯୋଗ ଆସିଥିଲା। ଏହାପରେ ଉପରୋକ୍ତ ସୂଚନାକୁ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ପ୍ରଦାନ କରାଯାଇ ଉପଯୁକ୍ତ ପଦକ୍ଷେପ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବିଜୟ କେତନଙ୍କୁ ଧରିବାର ପ୍ରାୟ ୧୦ ଦିନ ପୂର୍ବରୁ ଭିଜିଲାନ୍‌ସ ପକ୍ଷରୁ କୃଷି ବିଭାଗ ଅଧିନସ୍ଥ ଉଦ୍ୟାନ ନିର୍ଦ୍ଦେଶାଳୟ ଉପରେ ସତର୍କ ଦୃଷ୍ଟି ରଖାଯାଇଥିଲା।