ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ସ୍ନାନଯାତ୍ରାଠାରୁ ଜ୍ୱରରେ ପଡ଼ି ଅଣସର ପିଣ୍ଡିରେ ଅବସ୍ଥାନ କରୁଥିବା ମହାପ୍ରଭୁ ନବଯୌବନପ୍ରାପ୍ତି ହୋଇଛନ୍ତି। ୧୫ ଦିନ ଧରି ଗୁପ୍ତ ସେବା ପରେ ଆଜି ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ୧୫ ଦିନ ଧରି ଦେଖିନଥିବା ଭକ୍ତମାନଙ୍କ ମଧ୍ୟରେ ଆଜି ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ନବଯୌବନ ବେଶ ଦେଖି ବିମୋହିତ ହେବା ସହ ଅନେକ ଭାବବିହ୍ଵଳ ହୋଇ କାନ୍ଦି ପକାଇଥିଲେ। ସେପଟେ ପ୍ରତିବର୍ଷ ନୀତି ବିଳମ୍ବ ନେଇ ଅପବାଦର ବୋଝ ମୁଣ୍ଡାଉଥିବା ଶ୍ରୀମନ୍ଦିର ପ୍ରଶାସନ ଆଜି ସମସ୍ତ ନୀତି ସଅଳ ସଅଳ ଶେଷ କରିଥିଲା। ପ୍ରାୟ ସବୁ ନୀତି ଶୃଙ୍ଖଳିତ ଭାବେ ଶେଷ ହୋଇଥିବା ବେଳେ ଭକ୍ତମାନେ ମଧ୍ୟ ସୁରୁଖୁରୁରେ ମହାପ୍ରଭୁଙ୍କର ଶୃଙ୍ଖଳିତ ଦର୍ଶନ କରିଥିଲେ।

ଜ୍ୱର ପୀଡ଼ିତ ମହାପ୍ରଭୁ ୧୫ ଦିନ ଧରି ଅଣସରରେ ଥିବା ବେଳେ ତାଙ୍କ ଆରୋଗ୍ୟ ଲାଭ ପାଇଁ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ, ଖଳି ବିଜେ, ଖଡ଼ି ପ୍ରସାଦ ବିଜେ ଆଦି ଗୁପ୍ତ ନୀତି ସଂପନ୍ନ ହୋଇଥିଲା। ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାରରେ କସ୍ତୁରୀ, କେଶର, ହରତାଳ, ହିଂଗୁଳ ଆଦିର ମିଶ୍ରଣକୁ ଲାଗି କରାଯାଇ ବନକଲାଗି ଜରିଆରେ ଏହି ନୀତିକୁ ଶେଷ ସ୍ପର୍ଶ ଦିଆଯାଇଥିଲା। ଗତକାଲି ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ବନକଲାଗି ନୀତି ଆଜି ସକାଳ ସାଢ଼େ ୫ଟାରେ ଶେଷ ହେବା ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତ ହୋଇଥିଲେ। ଆଜି ନବଯୌବନ ଦର୍ଶନ ପାଇଁ ପୂର୍ବ ନିର୍ଦ୍ଧାରିତ ନୀତି ଅନୁସାରେ ସକାଳ ୫ଟା ୫୫ରେ ଜୟବିଜୟ ଦ୍ଵାର ଫିଟା ଯାଇଥିଲା। ସକାଳ ୬ଟା ୧୫ରେ ମଙ୍ଗଳ ଆଳତି, ୬ଟା ୫୦ରେ ଅବକାଶ ନୀତି, ୬ଟା ୫୫ରେ ଦଶ ଅବତାରଙ୍କ ବାହୁଡ଼ା ବିଜେ ନୀତି ସଂପନ୍ନ ହୋଇ ଅଣସର ତାଟି ଫିଟା ହୋଇଥିଲା। ପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହୋଇଥିଲା। ଦକ୍ଷିଣ ଦ୍ଵାର ଦେଇ ଲକ୍ଷ ଲକ୍ଷ ଭକ୍ତ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ଉତ୍ତର ଦ୍ଵାର ଦେଇ ପ୍ରସ୍ଥାନ କରିଥିଲେ।

ସକାଳ ୮ଟାରେ ପରିମାଣିକ ଦର୍ଶନ ଆରମ୍ଭ ହେବାକୁ ଥିବା ବେଳେ ସଅଳ ନୀତି ଶେଷ ଯୋଗୁ ଆଜି ସାଢ଼େ ୭ଟାରୁ ପାରିମାଣିକ ଦର୍ଶନ ଆରମ୍ଭ ହୋଇଥିଲା। ପରିମାଣିକ ଦର୍ଶନ ଟିକେଟ୍‌ ବିକ୍ରି କମ୍‌ ଥିବାରୁ ଆଜି ଏହି ଦର୍ଶନ ମଧ୍ୟ ଶୀଘ୍ର ଶେଷ ହୋଇ ଯାଇଥିଲା। ପରିମାଣିକ ଦର୍ଶନ ପରେ ସକାଳ ୮ଟା ୧୫ରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇ ସାଢ଼େ ୧୦ଟାରେ ଦର୍ଶନ ବନ୍ଦ ହୋଇଥିଲା। ସାଢ଼େ ୮ଟାରେ ସାହାଣମେଲା ଦର୍ଶନ ଥିଲେ ବି ଭକ୍ତଙ୍କ ପ୍ରବଳ ଉତ୍ସାହ ଯୋଗୁ ଆଜି ୧୫ ମିନିଟ୍‌ ଆଗୁଆ ଅର୍ଥାତ୍‌ ୮ଟା ୧୫ରେ ଭକ୍ତଙ୍କୁ ସାହାଣ ମେଲା ଦର୍ଶନର ସୁଯୋଗ ଦିଆଯାଇଥିଲା। ସାଢ଼େ ୧୧ଟାରେ ଦଇତାପତି ସର୍ବାଙ୍ଗ ବନ୍ଦାପନା, ୧୧ଟା ୫୦ରେ ନେତ୍ରୋତ୍ସବ, ୧୧ଟା ୫୫ରେ ବନ୍ଦାବନା ନୀତି ସଂପନ୍ନ ହୋଇଥିଲା। ମଧ୍ୟାହ୍ନ ୧୨ଟାରେ ରୋଷହୋମ, ୧୨ଟା ୧୦ରେ ରାଜନୀତି, ଅପରାହ୍‌ଣ ଗୋଟାଏ ୨୦ରେ ଯାତ୍ରାଙ୍ଗୀ ମହାସ୍ନାନ, ଗୋଟାଏ ୨୫ରେ ମଇଲମ, ଗୋଟାଏ ୪୦ରେ ଘଣ୍ଟଛତା ସର୍ବାଙ୍ଗ, ଅପରାହ୍‌ଣ ୨ଟାରେ ସୂର୍ଯ୍ୟପୂଜା, ୨ଟା୧୫ରେ ଦ୍ଵାରପୂଜା, ଅପରାହ୍‌ଣ ୩ଟା ୪୫ରେ ବଲ୍ଲଭ ଓ ସକାଳ ଧୂପ ଶେଷ ହୋଇଥିଲା। ନବଯୌବନ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଆଜି ଶ୍ରୀମନ୍ଦିର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର