ପୁରୀ : ସ୍ନାନଯାତ୍ରା ପରଠାରୁ ଅଣସର ଘରେ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ନବଯୌବନ ପ୍ରାପ୍ତି ହେବା ପାଇଁ ଅଣସର ପିଣ୍ଡିରେ ଚାଲିଥିବା ପ୍ରସ୍ତୁତି ପର୍ବରେ ଆଜି ମହାପ୍ରଭୁଙ୍କୁ ବନକଲାଗି କରାଯାଇଛି। ଦତ୍ତ ମହାପାତ୍ର ସେବକମାନେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିଛନ୍ତି। କସ୍ତୁରୀ, କେଶର, ହରିତାଳ, ହିଂଗୁଳ ଆଦିର ମିଶ୍ରଣକୁ ଶ୍ରୀଅଙ୍ଗରେ ଲାଗି କରାଯାଇଛି। ଏଥିପାଇଁ ପୂର୍ବରୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବା ପାଇଁ ଶ୍ରୀମନ୍ଦିରକୁ ଖଡ଼ିି ପ୍ରସାଦ ବିଜେ ହୋଇଥିଲା। ଶ୍ରୀଅଙ୍ଗରେ ଶ୍ରୀମୁଖ ହୋତା ଲାଗି ହେବା ପରେ ଏହା ଉପରେ ଖଡ଼ିପ୍ରସାଦ ଲାଗି କରାଯାଇଛି। ବିଳମ୍ବିତ ରାତିରେ ବଡଦେଉଳକୁ ଖଡି ବିଜେ ହେବା ପରେ ଶ୍ରୀମୁଖ ଶୃଙ୍ଗାର ଶୁଭାରମ୍ଭ ହୋଇଥିଲା। ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସରିବା ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତିି ହୋଇଛନ୍ତି। ଆସନ୍ତାକାଲି ଭକ୍ତମାନେ ମହାପ୍ରଭୁଙ୍କୁ ନବଯୌବନ ବେଶରେ ଦର୍ଶନ କରିବେ। ପୂର୍ବରୁ ଜଗମୋହନ ମରାମତି ଯୋଗୁ ଭକ୍ତମାନେ ବାହାର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ। ଏହା ମଧ୍ୟରେ ଜଗମୋହନ ମରାମତି କାର୍ଯ୍ୟ ସରିଥିବାରୁ ଚଳିତ ବର୍ଷ ଭକ୍ତମାନେ ମହାପ୍ରଭୁଙ୍କୁ ଭିତର କାଠରୁ ଦର୍ଶନ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଆସନ୍ତାକାଲି ନବଯୌବନ ଦର୍ଶନ ଥିବା ବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ଦର୍ଶନ ରହିଥିବା ବେଳେ ୯ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ରହିଛି। କିନ୍ତୁ ନୀତି ବିଳମ୍ବିତ ହେଲେ ଦର୍ଶନ ବ୍ୟବସ୍ଥା ମଧ୍ୟ ବିଳମ୍ବ ହେବ ବୋଲି କୁହାଯାଉଛି। ପାରିମାଣିକ ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥା ହୋଇଥିବାବେଳେ ସାହାଣମେଲାରେ ଦେଢ଼ଘଣ୍ଟା ମହାପ୍ରଭୁଙ୍କୁ ଭକ୍ତମାନେ ମାଗଣାରେ ଦର୍ଶନ କରିବେ। ଏହି ସମସ୍ତ ଦର୍ଶନ ଭିତର କାଠରୁ ହେବ। ପୂର୍ବାହ୍ନ ୧୦ଟା ୩୦ ପରେ ଦର୍ଶନ ବନ୍ଦ ହୋଇ ଅନ୍ୟାନ୍ୟ ନୀତି ଆରମ୍ଭ ହେବ। ପୂର୍ବରୁ ଚକାରେ ବିଜେ କରିଥିବା ମହାପ୍ରଭୁ ଆସନ୍ତାକାଲି ସକାଳେ ଚକାରୁ ଓହ୍ଲାଇବେ। ଏଣୁ ସକାଳ ୬ଟା ବେଳେ ଚକା ଅପସର ହେବା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ମଙ୍ଗଳ ଆଳତି ଓ ମଇଲମ ପରେ ଦଶାବତାର ଠାକୁରଙ୍କର ବାହୁଡ଼ା ବିଜେ ନୀତି ସକାଳ ସାଢ଼େ ୭ଟାରେ ଧାର୍ଯ୍ୟ ହୋଇଛି। ସର୍ବାଙ୍ଗ ସହ ନେତ୍ରୋତ୍ସବ ବନ୍ଦାପନା, ଯାତ୍ରାଙ୍ଗୀ ମହାସ୍ନାନ ସରିବା ପରେ ଅପରାହ୍ନ ୪ଟା ୧୦ରେ ରଥକୁ ଆଜ୍ଞାମାଳ ବିଜେ କରିବ। ମହାପ୍ରଭୁଙ୍କର ଏହି ଅନୁମତି ମିଳିବା ପରେ ତିନି ରଥ ରଥଖଳାରୁ ସିଂହଦ୍ଵାରରେ ଥିବା ରଥ ଚକଡ଼ାକୁ ଯିବ। ପରେ ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟାରେ ବାହୁଟକଣ୍ଟ ହେବା ସହ ମଧ୍ୟରାତ୍ରରୁ ସକାଳ ସାଢ଼େ ୫ଟା ପର୍ଯ୍ୟନ୍ତ ସେନାପଟା ଲାଗି ହେବ। ଅନ୍ୟପଟେ ଆସନ୍ତାକାଲି ସକାଳ ୬ଟାରୁ ପରଦିନ ସକାଳ ସାଢ଼େ ପର୍ଯ୍ୟନ୍ତ ନୀତି ରହିଥିବାରୁ ପହୁଡ଼ ହେବ ନାହିଁ ବୋଲି ଜଣାପଡ଼ିଛି।