ଆନ୍ଦୋଳନ ନିଷ୍ପତ୍ତି ପ୍ରତ୍ୟାହାର ଲାଗି ନବ ନିର୍ମାଣ କୃଷକ ସଂଗଠନକୁ ଅନୁରୋଧ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନର ଫେବ୍ରୁଆରି ୨୧ରେ ଓଡ଼ିଶା ବନ୍ଦ ନିଷ୍ପତ୍ତିକୁ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର ଅପିଲ କରିଛନ୍ତି। ବାର୍ଷିକ ମାଟ୍ରିକ ପରୀକ୍ଷା ଆଗାମୀ ଫେବ୍ରୁଆରି ୨୨ରୁ ଆରମ୍ଭ ହେବାକୁ ଦୃଷ୍ଟିରେ ରଖି ସରକାର ବିଜ୍ଞପ୍ତି ଜରିଆରେ ଅନୁରୋଧ କରିଛନ୍ତି। ସରକାର କହିଛନ୍ତି, ପରୀକ୍ଷାରେ ରାଜ୍ୟର ପ୍ରାୟ ୬ଲକ୍ଷ ପରୀକ୍ଷାର୍ଥୀ, ସେମାନଙ୍କର ଅଭିଭାବକ, ଶିକ୍ଷକ ଓ ଶିକ୍ଷାନୁଷ୍ଠାନର ଅନ୍ୟାନ୍ୟ କର୍ମଚାରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନାତ୍ମକ ପନ୍ଥାରୁ ବିରତ ରୁହନ୍ତୁ। ରାଜ୍ୟ ସରକାର ୨୦୧୯ ଫେବ୍ରୁଆରି ୧୮ରେ ଏକ ପ୍ରେସ ନୋଟ ଜରିଆରେ ଅନୁରୋଧ କରିଛନ୍ତି। ସରକାର କହିଛନ୍ତି, ଛାତ୍ରଛାତ୍ରୀଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ମାଟ୍ରିକ ପରୀକ୍ଷା ନିର୍ଣ୍ଣାୟକ ଅଟେ।

ଏସବୁ ସତ୍ତ୍ୱେ, ଯଦି ଉକ୍ତ ସଂଗଠନ ବନ୍ଦ ଯୋଜନା ଜାରି ରଖିବାକୁ ଅଟଳ ରୁହନ୍ତି, ରାଜ୍ୟ ସରକାର ମାଟ୍ରିକ ପରୀକ୍ଷା ସୂଚାରୁ ରୁପେ ସଂପାଦନ କରିବା ପାଇଁ ଆଇନ ଅନୁଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବେ। ସରକାର ଆଶା କରୁଛନ୍ତି ଯେ, ସଂଗଠନର କର୍ମକର୍ତ୍ତାମାନେ ସାଧାରଣ ଜନତା ଓ ଛାତ୍ର ସମାଜ ସମ୍ମୁଖୀନ ହେବାକୁ ଥିବା ସମସ୍ତ ଅସୁବିଧାର ଗୁରୁତ୍ୱକୁ ହୃଦୟଙ୍ଗମ କରି ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସେମାନଙ୍କର ବନ୍ଦ ଡାକରାକୁ ପ୍ରତ୍ୟାହାର କରିବେ।

ସମ୍ବନ୍ଧିତ ଖବର