ଅଧିକାର ପାଇଁ ହଜାର ହଜାର ଚାଷୀ ଏକାଠି

ଯାଜପୁରରେ ନବନିର୍ମାଣ କୃଷକ ସଂଗଠନର ଅଭୂତପୂର୍ବ ସମାବେଶ

ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ପାଇଁ ଯୁଦ୍ଧଂଦେହି ଡାକରା
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌

ଯାଜପୁର/ଟାଉନ/ସଦର : ଭିକ୍ଷା ମାଗି କେହି କେବେ ଅଧିକାର ହାସଲ କରି ନାହିଁ। ନିଜ ଅଧିକାରକୁ ନିଜେ ଛଡ଼ାଇ ନେବାକୁ ହେବ। କେବଳ ସେତିକି ନୁହେଁ, ଚାଷୀ ସମାଜକୁ ଯିଏ ଅବହେଳା କରିବ ୨୦୧୯ ନିର୍ବାଚନରେ କ୍ଷମତା ଦଖଲ କରିବା ଆଶା ତା ପାଇଁ ସ୍ୱପ୍ନରେ ରହିଯିବ।

ଆଜି ଯାଜପୁରଠାରେ ଅନୁଷ୍ଠିତ ଐତିହାସିକ ବିଶାଳ କୃଷକ ସମାବେଶକୁ ଉଦ୍‌ବୋଧନ ଦେଇ ନବନିର୍ମାଣ କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟାନୟକ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏଭଳି ଢଙ୍ଗରେ ଚରମବାଣୀ ଶୁଣାଇଛନ୍ତି। ଶ୍ରୀ ପଟ୍ଟନାୟକ ସିଧା ସିଧା କହିଛନ୍ତି, ଚାଷୀମାନେ କୌଣସି ଦଳର ନୁହନ୍ତି। ଚାଷୀଙ୍କର ଜାତି, ଧର୍ମ, ବର୍ଣ୍ଣ ଓ ଦଳ କିଛି ବି ନାହିଁ। ସେମାନଙ୍କର ଜାତି ହେଲା ଚାଷୀ, ଧର୍ମ ହେଲା କୃଷି। ଏଣୁ ଆଗାମୀ ଦିନରେ ଯେଉଁ ରାଜନୈତିକ ଦଳ ସେମାନଙ୍କ ସ୍ୱାର୍ଥ ପାଇଁ କାମ କରିବ, ସେ ଗାଦିରେ ବସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ଚାଷୀଙ୍କୁ ତୁରନ୍ତ ସେମାନଙ୍କ ପ୍ରାପ୍ୟ ଦେବା ଦରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ଚାଷୀଙ୍କୁ ପେନସନ୍‌ ଦେବା ଆବଶ୍ୟକ। ଆଉ ଚାଷୀକୁ ନିଜ ସମ୍ମାନ ବା ପ୍ରେଷ୍ଟିଜ୍‌ ହାସଲ କରିବାକୁ ହେବ।

ଉଲ୍ଲେଖଥାଉକି, ଆଜି ନବ ନିର୍ମାଣ କୃଷକ ସଂଗଠନ ଯାଜପୁର ସଦର ମହକୁମାରେ ହଜାର ହଜାର ଚାଷୀଙ୍କୁ ନେଇ ଏକ ଐତିହାସିକ ତଥା ଅଭୂତପୂର୍ବ ଶୋଭାଯାତ୍ରା ଜରିଆରେ ନିଜର ସାଂଗଠିକ ଶକ୍ତି ପ୍ରଦର୍ଶନ କରିଛି। ଏନ୍‌ସି କଲେଜ୍‌ ଠାରୁ ପ୍ରାୟ ୩୦ ହଜାରରୁ ଅଧିକ ଚାଷୀଙ୍କୁ ନେଇ ଏହି ବିଶାଳ ଶୋଭାଯାତ୍ରା ମାନସା ପୋଲ ବାଟେ ସହର ପରିକ୍ରମା କରିଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଯାଜପୁର ସହରରେ ଗାଡି ଚଳାଚଳ ଘଣ୍ଟା ଘଣ୍ଟା ଧରି ଠପ୍‌ ହୋଇଯାଇଥିଲା। ପରେ କିଆନାଳି ଛକରେ ଆୟୋଜିତ ସମାବେଶରେ ସେମାନଙ୍କ ସ୍ୱାର୍ଥକୁ ଅଣଦେଖା କରୁଥିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଷୀ ସଂଗଠନର ନେତାମାନେ ଗର୍ଜନ ତର୍ଜନ କରିଥିଲେ।

କିଆନାଳି ଛକରେ ଆୟୋଜିତ ସଭାରେ ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଭାପତି ନିମାଇଁ ରାୟ ଅଧ୍ୟକ୍ଷତା କରିଥିଲେ। ସଂଗଠନର ରାଜ୍ୟ ମୁଖ୍ୟ ଉପଦେଷ୍ଟା ଶ୍ରୀ ପଟ୍ଟନାୟକ କହିଥିଲେ, ଚାଷୀ ସମାଜକୁ ସରକାର, ନେତା, ମନ୍ତ୍ରୀ ସମସ୍ତେ ଅଣଦେଖା କରିଆସିଛନ୍ତି। ଗତକାଲି କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ରୋକ୍‌ଠୋକ୍‌ ପ୍ରତ୍ୟାଖ୍ୟାନ କରିଛନ୍ତି। ମନ୍ତ୍ରୀଙ୍କର ଏଭଳି ମନ୍ତବ୍ୟ ତଥା ଯୁକ୍ତି ଚାଷୀଙ୍କ ପ୍ରତି ଆହ୍ଵାନ ଓ ଅପମାନ ମଧ୍ୟ। କେନ୍ଦ୍ରମନ୍ତ୍ରୀ ମନେ ରଖିବା ଦରକାର ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ମୂଲ୍ୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇ ଗାଦି ଦଖଲ କରିଥିଲେ। ଯାହା ମନେ ହେଉଛି, ଏକଥା ବୋଧହୁଏ ସେ ସେ ଭୁଲିଯାଇଛନ୍ତି। ଧାନର ଉତ୍ପାଦନ ଖର୍ଚ୍ଚ ସଂପର୍କରେ କେନ୍ଦ୍ର କୃଷି ମନ୍ତ୍ରୀ ଯେଉଁ ଆକଳନ ରଖିଛନ୍ତି, ତାହା ମଧ୍ୟ ଭୁଲ୍‌। ତଥାପି ତାକୁ ଯଦି ବିଶ୍ୱାସ କରାଯାଏ, ତେବେ କେନ୍ଦ୍ରର ପ୍ରତିଶ୍ରୁତି ଅନୁଯାଇ ଧାନର ମୂଲ୍ୟ ସର୍ବନିମ୍ନ ୨ହଜାର ଟଙ୍କା ହେବା ଆବଶ୍ୟକ। କିନ୍ତୁ ମିଳୁଛି କେତେ?

ସେହିପରି ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର ନ କରିବା ଘଟଣାରେ ଶ୍ରୀ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। କହିଥିଲେ, ଆଜିଯାଏ ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟାକୁ ପ୍ରେମଜନିତ ବୋଲି କହିଆସୁଛନ୍ତି। ନବୀନ ସରକାର ଚାଷୀ ଆତ୍ମହତ୍ୟାକୁ ଗ୍ରହଣ କରିବା ଦରକାର। ଅନ୍ୟଥା ପରିସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ରାଜ୍ୟ ସରକାର କୃଷି କର୍ମଣ ପୁରସ୍କାର ପ୍ରତ୍ୟାଖ୍ୟାନ କରିବା ଆବଶ୍ୟକ।

ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଆଚରଣ ଓ ଉଚ୍ଚାରଣକୁ କଟାକ୍ଷ କରି ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ୨୦୧୯ରେ କ୍ଷମତା ପାଇଁ ଉଭୟ ବିଜେଡ଼ି ଓ ବିଜେପି ଏବେ ବିକଳ ହେଉଛନ୍ତି। କିନ୍ତୁ ସେମାନେ ଜାଣି ରଖିବା ଦରକାର ଯେ ଚାଷୀଙ୍କୁ ଅବହେଳା କଲେ ଆଉ କ୍ଷମତା ଆଶା ସ୍ୱପ୍ନରେ ରହିଯିବ। ଏହି ବିରଜା କ୍ଷେତ୍ରରୁ ଚାଷୀ ସଂକଳ୍ପ ନିଅନ୍ତୁ, ଚାଷୀଙ୍କୁ ଅବହେଳା କରୁଥିବା ନେତାଙ୍କୁ ଉଚିତ୍‌ ଶିକ୍ଷା ଦେବାକୁ ପଡ଼ିବ। ଚାଷୀ ପୁଅକୁ ନିଯୁକ୍ତି ଓ ଚାଷୀର ସୁରକ୍ଷା ପେନ୍‌ସନ ଦେବାକୁ ପଡ଼ିବ। ଏହି ଅବସରରେ ୨୯ରେ ଢେଙ୍କାନାଳ,୩୧ରେ ନୟାଗଡ଼ରେ ଏହିଭଳି ବିଶାଳ ଚାଷୀ ସମାବେଶ କରାଯିବ ବୋଲି ସେ ଘୋଷଣା କରିଥିଲେ। ସେହିଭଳି ଫେବ୍ରୁଆରିରେ ଅନ୍ୟ ଜିଲ୍ଲା ଓ ମାର୍ଚ୍ଚରେ ଭୁବନେଶ୍ୱରରେ ଚାଷୀମାନେ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିବେ ବୋଲି ଶ୍ରୀ ପଟ୍ଟନାୟକ ସୂଚାଇଥିଲେ।

ବରିଷ୍ଠ ସାମ୍ବାଦିକ ତଥା ସଂଗଠନର ଅନ୍ୟତମ ଉପଦେଷ୍ଟା ରବି ଦାସ ମଧ୍ୟ ତାଙ୍କ ବକ୍ତବ୍ୟରେ କହିଥିଲେ, ଆଜିର ଐତିହାସିକ ବିଶାଳ ସମାବେଶ ସରକାରଙ୍କୁ ଚାଷୀଙ୍କ କଥା ବିଚାର କରିବାକୁ ବାଧ୍ୟ କରିବ। ଆଜି ପର୍ଯ୍ୟନ୍ତ ଚାଷୀ ସମାଜ ପ୍ରତି ଅବହେଳା କରିଥିବା ରାଜ୍ୟ ଓ କେନ୍ଦ୍ର ସରକାର ଯଦି ଚାଷୀଙ୍କୁ ଆଉ ଅଣଦେଖା କରନ୍ତି, ରାଜ୍ୟବାସୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ। ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଆହ୍ଵାନ ଦେଇଥିଲେ, ବଜେଟ୍‌ରେ ଚାଷୀଙ୍କର ପେନ୍‌ସନ ଅର୍ଥ ୨୧ହଜାର ୬ଶହ କୋଟି ବ୍ୟବସ୍ଥା କରିବା ସହିତ ଲୋକମାନଙ୍କର ନୀତିକୁ ନେଇ ନେତାମାନେ ରାଜନୀତି କରିବା ଦରକାର। ଆନ୍ନା ହଜାରେ ଦେଇଥିବା ଆହ୍ଵାନ ମୁତାବକ ମାର୍ଚ୍ଚ ୨୩ ତାରିଖ ସୁଦ୍ଧା ଯଦି ସରକାର ଚାଷୀଙ୍କର ଦାବି ପୂରଣ ନକରନ୍ତି, ସରକାରଙ୍କୁ ଅଚଳ କରିଦିଆଯିବ ବୋଲି ଅକ୍ଷୟ କୁମାର ଚରମ ଚେତାବନୀ ଶୁଣାଇଥିଲେ।

ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ତାଙ୍କର ଭାଷଣରେ ବିଜେପି, ବିଜେଡ଼ିର ନେତାମାନଙ୍କୁ ସମାଲୋଚନା କରିବା ସହିତ କହିଥିଲେ, ଚାଷୀମାନଙ୍କ କଥା ସରକାର ଓ ପ୍ରଶାସନ ନଶୁଣିଲେ, ଆଗାମୀ ଦିନରେ ସେମାନେ ଆଇନ୍‌କୁ ହାତକୁ ନେବାକୁ ମଧ୍ୟ ପଛାଇବେ ନାହିଁ। ସମାଜକୁ ନଷ୍ଟ କରୁଥିବା ଶାସକ ଓ ପ୍ରଶାସକଙ୍କୁ ମଧ୍ୟ ଚାଷୀମାନେ ନିୟନ୍ତ୍ରଣ କରିବା ଦରକାର ବୋଲି ଶ୍ରୀ ନନ୍ଦ ପରାମର୍ଶ ଦେଇଥିଲେ। ସଭାରେ ସଂଗଠନର ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ସାହୁ ବୈପ୍ଲବିକ ସଂଗୀତ ଗାନ କରିଥିଲେ। ଜିଲ୍ଲା ସହ ସଂଯୋଜକ ଦୁର୍ଗା ଚରଣ ଦାସ, ଧର୍ମଶାଳା ବ୍ଲକ୍‌ ସଂଯୋଜକ ବସନ୍ତ ପରିଡ଼ା, ଜିଲ୍ଲା ସହ ସଂଯୋଜକ ବସନ୍ତ ନାୟକ, ଅଶୋକ ଶାନ୍ତି, ମାଧବ ଶାନ୍ତି, ସୁରେନ୍ଦ୍ର ରାୟ, ସନାତନ ସାହୁ, ମୁକୁନ୍ଦ ମହାନ୍ତି, ନକୁଳ ରାଉତ, ରାଜ୍ୟ କମିଟି ସଦସ୍ୟ ସଭ୍ୟ ପ୍ରସନ୍ନ କୁଅଁର, କୁଳମଣି, ତ୍ରିଲୋଚନ ପଣ୍ଡା, ଅଜୟ ରାଉତ, ପୂର୍ଣ୍ଣ ଚନ୍ଦ୍ର ଜେନା, ମନୋଜ ଘଡ଼ାଇ, ପ୍ରଶାନ୍ତ ବେହୁରା, ନାରାୟଣ ଜେନା, ଅନସୂୟା ବରାଳ, ବୁଲୁ ରାଉତ, ତିଲୋଚନ ସାମଲ, ପ୍ରଶାନ୍ତ ସ୍ୱାଇଁ, ଗଗନ ସାମଲ, ସୁରେନ୍ଦ୍ର ନାଥ ମହାରଣା, ମନୋଜ ସାମଲ, ଲକ୍ଷ୍ମୀଧର ସାହୁ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର