ପେନ୍‌ସନ୍‌ ନ ହେବା ଯାଏଁ ଆନ୍ଦୋଳନ ଚାଲିବ

ନବନିର୍ମାଣ କୃଷକ ସଂଗଠନର ଅନଶନ ୫ମ ଦିନରେ

ଭୁବନେଶ୍ୱର : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜଧାନୀରେ ଚାଲିଥିବା ଅନଶନ ଓ ସତ୍ୟାଗ୍ରହ ଆଜି ୫ମ ଦିନରେ ପହଞ୍ଚିଛି। ଏଥିସହ ଆଜିଠାରୁ ସଂଗଠନ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି। ୨୦ଟି ଜିଲ୍ଲାରେ ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ୨୦ବର୍ଷ ବୟସରୁ ପ୍ରତ୍ୟେକ ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ଲେଖାଏଁ ୩୬ଲକ୍ଷ ପରିବାରକୁ ୨୧ହଜାର ୬ଶହ କୋଟି ଚଳିତ ବଜେଟ୍‌ରେ ବ୍ୟୟବରାଦ ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଗଠନ ଚେତାବନୀ ଦେଇଛି।

ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଆଜି ମଧ୍ୟ ଧାରଣାସ୍ଥଳରେ ଆନ୍ଦୋଳନ ଜାରି ରହିଛି। ସଂଗଠନର କହିବାନୁଯାୟୀ, ଦେଶ ତଥା ରାଜ୍ୟରେ ଚାଷୀମାନେ ଆଜି ଅବହେଳିତ। ରାଜ୍ୟରେ ଚାଷୀମାନେ ଆତ୍ମହତ୍ୟା କରୁଥିଲେ ହେଁ ରାଜ୍ୟ ସରକାର ଏହାକୁ ସ୍ୱୀକାର କରୁ ନାହାନ୍ତି। ଚାଷୀ ଆତ୍ମହତ୍ୟାର ସମାଧାନ କରିବା ପାଇଁ ପ୍ରତ୍ୟେକ ୨୦ବର୍ଷ ବୟସରୁ ଅଧିକ ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ସୁରକ୍ଷା ଭତ୍ତା ପ୍ରଦାନ କରାଯାଉ।

ଆଜି ଅନଶନସ୍ଥଳରେ ସଶକ୍ତ ଓଡ଼ିଶାର ବିଜୟ ପ୍ରଧାନ, ଏକତା ପରିଷଦର କର୍ମକର୍ତା, ସାମାଜିକ କର୍ମୀ ଅଭୟ ବଡ଼ଜେନା, ଗାଁ ସାଥୀ ସଂଗଠନର ଲକ୍ଷ୍ମୀଧର ବିଶ୍ୱାଳ ଓ ସୌଭାଗ୍ୟ ମିଶ୍ର ଓ ଡଲି ରଥ ପ୍ରମୁଖ ଯୋଗ ଦେଇଥିଲେ। ସଂଗଠନ ପକ୍ଷରୁ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମିରଂଜନ ସ୍ୱାଇଁ, ଦୁର୍ଗା ଚରଣ ସ୍ୱାଇଁ, ଦୁର୍ଗା ପ୍ରସାଦ ଦାସ, ରବୀନ୍ଦ୍ର ସାହୁ, ସୁରେନ୍ଦ୍ର ନାଥ ମହାରଣା, ମମତା ନାଥ, ମଧୁମିତା ସାମଲ, ମନଓ୍ଵର ଅଲ୍ଲୀ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର