ନବନିର୍ମାଣ କୃଷକ ସଂଗଠନର ଚାଷୀ ପଦଯାତ୍ରା : ନଭେମ୍ବର ୫ରେ ରାଜଧାନୀରେ ଏକାଠି ହେବେ ୩ଲକ୍ଷ ଚାଷୀ

ଭୁବନେଶ୍ବର : ଆସନ୍ତା ମାସ ୫ତାରିଖରେ ରାଜଧାନୀରେ ୩ଲକ୍ଷ ଚାଷୀ ଏକାଠି ହୋଇ ପେନସନ୍ ଦାବି ଉପସ୍ଥାପନ କରିବେ। ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚଳିତମାସ ୨୯ତାରିଖରୁ ଆରମ୍ଭ ହେଉଥିବା ସପ୍ତାହବ୍ୟାପୀ ଚାଷୀ ପଦଯାତ୍ରାର ଆହ୍ବାନରେ ଲକ୍ଷାଧିକ ଚାଷୀ ରାଜଧାନୀରେ ଏକାଠି ହେବେ ବୋଲି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି।

ଆଜି ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁମାର କହିଲେ, ଚଳିତମାସ ୨୯ତାରିଖରୁ ଯାଜପୁର କୁଆଖିଆ ଓ ବାଲୁଗାଁରୁ ଏକକାଳୀନ ଦୁଇଟି ପଦଯାତ୍ରା ବାହାରିବ। ନଭେମ୍ବର ୫ତାରିଖରେ ସମସ୍ତ ଚାଷୀ ରାଜଧାନୀରେ ଏକାଠି ହେ‌େବ। ଏହି ସମାବେଶକୁ ସମସ୍ତ ରାଜନୈତିକ ଦଳର କର୍ମକର୍ତାଙ୍କୁ ଯୋଗଦେବା ପାଇଁ ଆହ୍ବାନ କରାଯିବ।

ପୂର୍ବରୁ ଚଳିତବର୍ଷ ମାର୍ଚ ୧୨ତାରିଖରୁ ୨୧ତାରିଖ ପର୍ଯ୍ୟନ୍ତ ସଂଗଠନ ପକ୍ଷରୁ ଅନଶନ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଶାସକ ଦଳର ପ୍ରତିନିଧି ଯୋଗ ଦେବା ସହିତ ମେ ୫ ତାରିଖ ମଧ୍ୟରେ ଦାବି ପୂରଣ ଦିଗରେ ଅଗ୍ରଗତି ନେଇ ସଚିବାଳୟରେ ଏକ ବୈଠକ ଡାକାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏ ଦିଗରେ କୌଣସି ପଦକ୍ଷେପ ନିଆଗଲା ନାହିଁ। ରାଜ୍ୟର ୩୬ଲକ୍ଷ ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ହିସାବରେ ୨୧ହଜାର ୬ଶହ କୋଟି ବ୍ୟୟବରାଦ କରିବାକୁ ସଂଗଠନ ଦାବି କରି ଆସୁଛି। ମାତ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି। ଚାଷୀଙ୍କୁ ପେନସନ ଦାବି ନେଇ ଗଞ୍ଜାମ, ଗଜପତି, କେଉଁଝର, ପୁରୀ ଓ କଟକରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିବା ଶ୍ରୀ କୁମାର କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହ ସ‌ଂଯୋଜକ ନିମାଁଇ ରାୟ, ରଶ୍ମିରଂଜନ ସ୍ବାଇଁ ଓ ଉମାକାନ୍ତ ଭାରତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର