ଧାନ ରୁଆଯନ୍ତ୍ର ଯୋଗାଣ ଆଳରେ ଚଞ୍ଚକତା, ରିହାତି ଟଙ୍କା ହଡ଼ପ, ଚାଷୀ ଜଳକା

ନବରଙ୍ଗପୁର : ଚାଷୀଙ୍କ ସହ ଚଞ୍ଚକତା। ଧାନ ରୁଆ ଯନ୍ତ୍ର ଯୋଗାଇ ଦେବାକୁ କହି ରିହାତି ଟଙ୍କା ହଡ଼ପ। ପ୍ରାୟ ୪୦ଜଣ ଚାଷୀଙ୍କ ସହ ହୋଇଛି ଠକେଇ। ଚାଷୀଙ୍କ ଆକାଉଣ୍ଟକୁ ଆସିଥିବା ଲକ୍ଷାଧିକ ରିହାତି ଟଙ୍କା ହୋଇଯାଇଛି ଗାଏବ। ଅନ୍ୟପଟେ ଯନ୍ତ୍ରପାତି ଯୋଗାଇ ଦେବାକୁ କହି ଦିନ ପରେ ଦିନ ଗଡ଼ାଇ ଚାଲିଛି କଂପାନି। ଏବେ କମ୍ପାନିର କର୍ମଚାରୀଙ୍କ ଦେଖା ନାହିଁ। ଫୋନରେ ମଧ୍ୟ ଯୋଗାଯୋଗ ହୋଇପାରୁନି। ଆଗକୁ ଖରିଫ ଋତୁ ରହିଥିବାବେଳେ ଧାନ ରୁଆ ମେସିନ୍ କ‌େବେ ପାଇବ ସେହି ଚିନ୍ତାରେ ଚାଷୀ ରହିଛନ୍ତି।

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦୋହଣା ପଞ୍ଚାୟତ ଅନ୍ତର୍ଗତ ପୋକନାଗୁଡ଼ା ଗାଁର ଚାଷୀ ହିମାଂଶୁ ଶେଖର ତ୍ରିପାଠୀଙ୍କ ଅଭିଯୋଗ ହେଲା, ଗତ ଡିସେମ୍ବର ମାସରେ ଜଗତସିଂହପୁରର ସିଥଲ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ କମ୍ପାନିର କର୍ମଚାରୀ ବୋଲି ପରିଚୟ ଦେଇ ବୋରିଗୁମ୍ମାର ଜଣେ ବ୍ୟକ୍ତି ତାଙ୍କ ନିକଟକୁ ଆସିଥିଲେ। ୨ଜଣ ଚାଷୀଙ୍କୁ ରିହାତି ଦରରେ ଗୋଟିଏ ଧାନ ରୁଆ ଯନ୍ତ୍ର ଯୋଗାଇ ଦିଆଯିବ ବୋଲି କହିଥିଲେ। ଏହାପରେ ଶ୍ରୀ ତ୍ରିପାଠୀ ଏବଂ ତାଙ୍କ ମା ଗୀତାଞ୍ଜଳି ତ୍ରିପାଠୀଙ୍କ କୃଷକ ପରିଚୟପତ୍ର, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଆଧାର କାର୍ଡ ଭଳି ପ୍ରମାଣପତ୍ରର ନକଲ ନେଇଥିଲେ। ସେହିପରି ଭାବେ ଡଙ୍ଗରଭେଜା ଗାଁର ଅର୍ଜୁନ ନାୟକ, ରତନ ନାୟକ, ଦେବବ୍ରତ ନାୟକ ପ୍ରମୁଖଙ୍କ ନିକଟରୁ ମଧ୍ୟ ପ୍ରମାଣ ପତ୍ର ନେଇଥିଲେ। ସପ୍ତାହେ ପରେ ପୁଣି ସେହି ବ୍ୟକ୍ତି ଗାଁକୁ ଆସି ସାଥୀରେ ବୋରିଗୁମ୍ମା ନେଇଥିଲେ। ଗୋଟିଏ ଧାନ ରୁଆ ମେସିନ ନିକଟରେ ଠିଆ କରି ‌ଫଟୋ ଉଠାଇଥିଲେ। ଏହାର କିଛି ଦିନ ପରେ ରିହାତି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିଥିଲା। ସେହି ଟଙ୍କା ପ୍ରଦାନ କଲେ ମେସିନ୍ ଦିଆଯିବ ବୋଲି ତାଙ୍କୁ କୁହାଗଲା। ମେସିନ୍ ମିଳିବ ବୋଲି ଶ୍ରୀ ତ୍ରିପାଠୀ ଆକାଉଣ୍ଟକୁ ଆସିଥିବା ୧ଲକ୍ଷ ୫ହଜାର ଟଙ୍କା ବାବଦରେ ଚେକ୍ ଦେଇଥିଲେ। ସେହି ଚେକ୍ ଜରିଆରେ ଉକ୍ତ ବ୍ୟକ୍ତି ଜଣକ ଟଙ୍କାକୁ ଅନ୍ୟ ଗୋଟିଏ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ଏହାପରେ ସେହି ବ୍ୟକ୍ତିଙ୍କ ଆଉ ଦେଖା ମିଳିନଥିଲା। ମାର୍ଚ୍ଚ ମାସ ବେଳକୁ ମେସିନ ନମିଳିବାରୁ ଶ୍ରୀ ତ୍ରିପାଠୀଙ୍କ ସହ ଅନ୍ୟମାନେ ଯୋଗାଯୋଗ ଆରମ୍ଭ କରିଥିଲେ। ତେବେ ଲକ୍‌ଡାଉନ୍ ଯୋଗୁଁ କଂପାନିର ମାଲିକ ଚିନରେ ଫସି ଯାଇଛନ୍ତି କହି ପୁଣି କିଛି ଦିନ ଗଡ଼ାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ଫୋନ ଉଠାଇ ନଥିବା ଅଭିଯୋଗ ହୋଇଛି।

ଠକାମିର ଶିକାର ହୋଇଥିବା ଜାଣିବା ପରେ ଚାଷୀମାନେ ଖୋଳାତାଡ଼ ଆରମ୍ଭ କରିଥିଲେ। ଆଉ ଯାହା ତଥ୍ୟ ମିଳିଲା ସମସ୍ତଙ୍କୁ ଚକିତ କରିଥିଲା। ଯେମିତି ଡିସେମ୍ବର ୧୪ତାରିଖ ଦିନ ହିମାଂଶୁ, ନଭେମ୍ବର ୬ତାରିଖ ଦିନ ଦେବବ୍ରତ ଏବଂ ଚଳିତ ବର୍ଷ ଜାନୁଆରି ୩୧ତାରିଖରେ ଅର୍ଜୁନ ନାୟକ ମେସିନ ପାଇଥିବା ଦର୍ଶାଇ ଜାଲ୍ ବିଲ୍ ସହ ତଥ୍ୟ ୱେବ୍‌ସାଇଟରେ ଅପଲୋଡ୍ ହୋଇଛି।

ଏ ନେଇ ଜିଲ୍ଲା ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଠକାମିର ଶିକାର ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। କୃଷି ଉପନିର୍ଦ୍ଦେଶକ ବ୍ରଜ କିଶୋର ଲେଙ୍କାଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗ ମିଳିଥିବା ପ୍ରକାଶ କରିଛନ୍ତି। କୃଷି ବିଭାଗର ଇଞ୍ଜିନିୟରିଂ ବିଭାଗର କାମ ହୋଇଥିଲେ ମଧ୍ୟ ସେ ନିଜେ ପ୍ରତି ବ୍ଲକର କୃଷି ଅଧିକାରୀଙ୍କୁ ନେଇ ଏହି ଅଭିଯୋଗର ତଦନ୍ତ କରିବେ। ତାଙ୍କ ପାଖରେ ରହିଥିବା ତଥ୍ୟ ଅନୁଯାୟୀ ପ୍ରାୟ ୭୦ପ୍ରତିଶତ ଚାଷୀ ମେସିନ୍ ପାଇଛନ୍ତି। ପାଇନଥିବା ଚାଷୀଙ୍କୁ ୭ଦିନ ମଧ୍ୟରେ ମେସିନ୍ ଯୋଗାଇଦେବା ପାଇଁ ଉକ୍ତ ସଂସ୍ଥା ଗୁଡ଼ିକୁ ତାଗିଦ୍ କରାଯାଇଛି। ଯଦି ଏଥିରେ ବ୍ୟତିକ୍ରମ ହୁଏ ତେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର