ନବରଙ୍ଗପୁର ଯୁବକଙ୍କ କମାଲ : ପ୍ରାକୃତିକ ଉପାୟରେ ପ୍ରସ୍ତୁତ କଲେ ମଶା ତେଲ

ନବରଙ୍ଗପୁର : ମଶା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବ୍ୟବାହାର କରୁଥିବା ବିଭିନ୍ନ ନାମୀ କଂପାନିର ତେଲରେ ରହିଛି ରସାୟନିକ ପଦାର୍ଥ। ଏହା ମଣିଷର ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ। ଏହା ସହ ଏହାର ମୂଲ୍ୟ ଅଧିକା ହେଉଥିବାରୁ ଗରିବ ଲୋକେ ବ୍ୟବହାର କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଏଭଳି ସ୍ଥିତିରେ ନବରଂଗପୁରର ଜଣେ ଯୁବକ ବିଭିନ୍ନ ଉଦ୍ଭିଦ ଏବଂ ବୃକ୍ଷର ତେଲକୁ ନେଇ ପ୍ରସ୍ତୁତ କରିଛନ୍ତି ମଶାମରା ଔଷଧ। ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା ସେ ଦାବି କରିଛନ୍ତି। ଏହାକୁ ପ୍ରସ୍ତୁତ ପାଇଁ ମାତ୍ର ୫ ଟଙ୍କା ଖର୍ଚ ହେଉଥିବା ବେଳେ ବଜାରରେ ବେଶି ହେଲେ ୧୦ ଟଙ୍କାରେ ଉପଲବ୍ଧ କରାଯାଇ ପାରିବ ବୋଲି  କହିଛନ୍ତି ନବରଙ୍ଗପୁରର ଶୁଭାଶିଷ ଦାସ।

ଶୁଭାଶିଷଙ୍କ ବୟସ ମାତ୍ର ୧୯ ବର୍ଷ। ସେ ଏବେ ଜୟପୁର କଲେଜ ଅଫ ଫାର୍ମାସିରେ ବି.ଫାର୍ମାର ଦ୍ୱିତୀୟ ବର୍ଷ ଛାତ୍ର। ପିଲାଟି ଦିନରୁ ସେ ବୈଜ୍ଞାନିକ ହେବା ପାଇଁ ଲକ୍ଷ୍ୟ ରଖିଥିଲେ। ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ବୈଜ୍ଞାନିକ ମାନଙ୍କ ଆତ୍ମକାହାଣୀ ପଢ଼ି ପ୍ରଭାବିତ ହୋଇଥିଲେ। ସେ ଇଣ୍ଟରନେଟ୍‌ ଦେଖି ଘରେ ଏହାକୁ ପରୀକ୍ଷଣ କରୁଥିଲେ ବୋଲି ତାଙ୍କ ମା’ ତଥା ଡାବୁଗାଁ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁବାଷିନି  ପଣ୍ଡା ଓ ଅବସରପ୍ରାପ୍ତ କିରାଣି ସୁବାସ ଚନ୍ଦ୍ର ଦାସ କହିଛନ୍ତି। ବଜାରରେ ଯେଉଁ ମଶାମରା ତେଲ ମିଳୁଛି ସେଥିରେ କିରାସିନି, କୀଟନାଶକ , ପରଫ୍ୟୁମ  ଓ ଅନ୍ୟ ରାସାୟନ ପଦାର୍ଥ ରହୁଛି। କିରାସିନି ଓ କୀଟନାଶକ ମଶା ଘଉଡ଼ାଇବା ପାଇଁ ବ୍ୟବହାର ହେଉଥିବା ବେଳେ ବ୍ଲିଚିଂକୁ ଗନ୍ଧ ଦୂର ପାଇଁ ବ୍ୟବହାର କରାଯାଉଛି।

ଶୁଭାଶିଷ କହିଛନ୍ତି ଯେ ଫାର୍ମା ପାଠ ପଢ଼ିବା ବେଳେ ଗତ ୨ ମାସ ପୂର୍ବେ ଫାର୍ମାର କୋଗ୍ନୋସି ବିଷୟ ପାଠ୍ୟକ୍ରମରେ ପ୍ରତି ବୃକ୍ଷ ଓ ଉଦ୍ଭିଦରେ ଔଷଧୀୟ ଗୁଣ ରହିଥିବା ଜାଣିଥିଲେ। ୪୦୦୦ ପ୍ରକାର ଘାସ ରହିଛି। ସମସ୍ତ ପ୍ରକାର ଘାସର ଔଷଧୀୟ ଗୁଣ ରହିଛି। ସେଥିମଧ୍ୟରୁ ସାଇଟ୍ରୋନେଲା ଓ ଲେମୋନ ଗ୍ରାସର ତେଲକୁ ମଶାମାଛି ମାରିବା ପାଇଁ ବ୍ୟବହାର କରାଯାଉଛି। ସେ ନିମ୍ବ ତେଲ, ପାଏନ ଅଏଲ, ସାଇଟ୍ରୋନିଲା(ଏକ ପ୍ରକାର ଘାସ ) ର ତେଲକୁ ମିଶାଇ ଏହି ମଶା ତେଲ ତିଆରି କରିଥିଲେ। ଏହି ମଶା ତେଲ ତିଆରି କରିବା ପାଇଁ ଗୋଟିଏ ୟୁନିଟ ପିଛା ୫ ଟଙ୍କା ପଡୁଛି। ଯଦି ଏହାକୁ ବ୍ୟବସାୟିକ ଦୃଷ୍ଟିରୁ ପ୍ରସ୍ତୁତ କରାଯାଏ ତାହା ହେଲେ ବଜାର ରେ ୭ ଟଙ୍କାରୁ ୧୦ ଟଙ୍କାରେ ବିକ୍ରି କରିହେବ ବୋଲି କହିଛନ୍ତି।

ନିକଟରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ ପ୍ୟାଡ ମ୍ୟାନ ସିନେମା ମଧ୍ୟ ତାଙ୍କୁ ପ୍ରଭାବିତ କରିଥିଲା ବୋଲି ସେ କହିଛନ୍ତି। ସେ ୬ଷ୍ଠ ପଢ଼ିବା ବେଳେ ବଡଗଡ ଠାରେ ଅନୁଷ୍ଠିତ ସାଇନସ୍‌ କଂଗ୍ରେସ ଏବଂ ୮ମ ଶ୍ରେଣୀ ପଢ଼ିବା ବେଳେ ରାୟଗଡା ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେଇ ପୁରସ୍କୃତ ହୋଇଥିଲେ। ୨୦୧୦ ରେ ରାଜ୍ୟ ସ୍ତରୀୟ ବିଜ୍ଞାନ କଂଗ୍ରେସରେ ଭାଗ ନେଇ ରାଜ୍ୟପାଳଙ୍କ ଦ୍ୱରା ସମ୍ମାନିତ ହୋଇଥିଲେ। ସେ ନିଜେ ଘରେ ଫିନାଇଲ, ବାସନ ମଜା ଲିକ୍ୟୁଡ ଆଦି ପ୍ରସ୍ତୁତ କରି ବଜାରକୁ ଛାଡ଼ିଛନ୍ତି। ଏହି ଯୁବ ପ୍ରତିଭାଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ ଆଗକୁ ବଢ଼ିପାରିବେ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର