ଲାଞ୍ଚ ନେବାବେଳେ ଧରାପଡ଼ିଲେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟର ହାଉସକିପିଂ ସୁପରଭାଇଜର

ଜୟପୁର : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହାଉସ୍‌କିପିଂ ସୁପରଭାଇଜର କବୀର ମୋହନ ଦୀପ୍ (ଟୁନୁ) ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କୁର୍ଲୁଘାଟି ଗାଁର ମାର୍ଗରିଟା ଭତ୍ରାଙ୍କୁ ଆଉଟସୋର୍ସିଂରେ ସୁଇପର୍ ଭାବେ କାମ କରାଇବା ପାଇଁ ସେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମାର୍ଗରିଟା ଏନେଇ ଜୟପୁର ଭିଜିଲାନସ୍ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଜୟପୁର ଭିଜିଲାନସ୍ ଏସପିଙ୍କ ନିର୍ଦେଶରେ ଡିଏସପି ଏସ୍ ଏନ୍ ପାଣିଗ୍ରାହୀ, ଇନିସପେକ୍ଟର ଦୀନବନ୍ଧୁ ବେହେରା, ପ୍ରମିଳା ସୁନା, ଆରଡି ନାୟକ, କନେଷ୍ଟବଳ ସୀତାଂଶୁ ପଟ୍ଟନାୟକ, ଦିଲ୍ଲୀପ ଭୁୟାଁ, ଡିଏନ୍ ବେହେରା ପ୍ରମୁଖ ଡାକ୍ତରଖାନା ସମ୍ମୁଖରେ ଲୁଚି ରହିଥିଲେ । ମାର୍ଗରିଟାଙ୍କଠାରୁ ଅଭିଯୁକ୍ତ ସୁପରଭାଇଜର କବୀର ୫ହଜାର ଟଙ୍କା ସହ ଶିକ୍ଷାଗତ ପ୍ରମାଣପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ନେଉଥିବା ବେଳେ ଭିଜିଲାନସ୍ ହାତରେ ଧରା ପଡ଼ିଥିଲେ। ଭିଜିଲାନସ୍ ଅଧିକାରୀମାନେ କବୀରଙ୍କ ପକେଟରୁ ଲାଞ୍ଚ ଟଙ୍କାକୁ ଜବତ କରିଥିଲେ । ଭିଜିଲାନସ ପକ୍ଷରୁ ଏଥିନେଇ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାଯାଇଛି । ଭିଜିଲାନସ ହାତରେ ଧରାପଡ଼ିବା ପରେ ପୂର୍ବରୁ କବୀର ଆଉଟସୋର୍ସିଂରେ କାମ କରାଇଦେବା ନାମରେ ଅନ୍ୟ ମାନଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହେଇଛି ।

ସମ୍ବନ୍ଧିତ ଖବର