ହକି ବିଶ୍ୱକପ୍‌ରେ ନବରଙ୍ଗପୁର ଲାଖଶିଳ୍ପ : ଖେଳାଳି ଓ ଅତିଥିଙ୍କୁ ଦିଆଯିବ ଉପହାର

ନବରଙ୍ଗପୁର : ଓଡ଼ିଶାରେ ଆୟୋଜିତ ହେଉଥିବା ବିଶ୍ୱସ୍ତରୀୟ ଇଭେଣ୍ଟ ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ନବରଙ୍ଗପୁର ଜିଲ୍ଲାର ଲାଖ ହସ୍ତଶିଳ୍ପ। ରାଜ୍ୟ ସରକାର ହସ୍ତଶିଳ୍ପ ଓ ହସ୍ତତନ୍ତର ପ୍ରଚାର ତଥା ପ୍ରସାର ନିମନ୍ତେ ଏଭଳି ନିଷ୍ପତ୍ତି ନେଇଛନ୍ତି। ନବରଙ୍ଗପୁରର ଶିଳ୍ପୀଙ୍କ ଦ୍ବାରା ପ୍ରସ୍ତୁତ ଲାଖ ସାମଗ୍ରୀକୁ ଏହି ମେଗା ଇଭେଣ୍ଟରେ ଉପହାର ସ୍ବରୂପ ପ୍ରଦାନ କରାଯିବ। ଭାଗ ନେଉଥିବା ୧୬ଟି ଦଳର ଖେଲାଳି ଏବଂ ଅତିଥିଙ୍କୁ ପ୍ରଦାନ କରିବାକୁ ସ୍ଥିର କରାଯାଇଛି। ସେହିପରି ଖେଳାଳି ଓ ଅତିଥିଙ୍କୁ ପଶ୍ଚିମ ଓଡ଼ିଶାର ବୁଣାକାରଙ୍କ ଦ୍ବାରା ଇଜ୍ଜତ ହସ୍ତତନ୍ତରେ ପ୍ରସ୍ତୁତ ଷ୍ଟୋଲସ ଦେଇ ସ୍ବାଗତ କରାଯିବ। ଏହାବ୍ୟତୀତ ଡୋକ୍ରା, କଟକ ତାରକାସି ସାମଗ୍ରୀ ବି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

ନଭେମ୍ବର ୨୮ରୁ ଡିସେମ୍ବର ୧୬ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବିଶ୍ବସ୍ତରୀୟ ଖେଳରେ ବହୁ ସଂଖ୍ୟାରେ ବିଦେଶୀ ଖେଳାଳି ଓ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହେବେ। ତେଣୁ ରାଜ୍ୟ ବାହାରେ ତଥା ବିଦେଶରେ ଓଡ଼ିଶାର ସମୃଦ୍ଧ ପରମ୍ପରା ଓ ହସ୍ତଶିଳ୍ପକୁ ପ୍ରଚାର ପ୍ରସାର କରିବା ପାଇଁ ଏଭଳି ଏକ ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର।

ପ୍ରଥମ ଥର ପାଇଁ ନବରଙ୍ଗପୁର ଜିଲ୍ଲାର ହସ୍ତଶିଳ୍ପ ଏଭଳି ଏକ ବଡ଼ ଇଭେଣ୍ଟରେ ସ୍ଥାନ ପାଇବାକୁ ଯାଉଛି। ଏଥିପାଇଁ ନବରଙ୍ଗପୁର ଶଂଖାରୀ ସାହିରେ ବାସ କରୁଥିବା ଲାଖ କାରିଗରଙ୍କୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ଲାଖରେ ତିଆରି ପେଟିକା ଖେଳାଳି ଓ ଅତିଥିଙ୍କୁ ଉପହାର ଆକାରରେ ପ୍ରଦାନ କରାଯିବ ବୋଲି କୁହାଯାଇଥିବା ପ୍ରସିଦ୍ଧ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଲାଖ କାରିଗର କୁନ୍ତଳା କୁମାରୀ ପାତ୍ର କହିଛନ୍ତି। ଏଥିପାଇଁ ତାଙ୍କୁ ୫୦୦ରୁ ଊର୍ଧ୍ବ ପେଟିକା ତିଆରି କରିବା ପାଇଁ କୁହାଯାଇଥିବା କହିଛନ୍ତି। ପ୍ରତିଯୋଗିତା ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ରହିଥିବାରୁ କରିଗର ପୂରା ଜୋରସୋରରେ ନିର୍ମାଣ କାମ କରୁଥିବା ଦେଖିବାକୁ ମିଳିଛି। ନିର୍ଧାରିତ ସମୟ ସୁଦ୍ଧା କାମ ଶେଷ ହୋଇଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର