ବରଗଡ଼ ଜିଲ୍ଲାର ବିଜେପୁର କିମ୍ବା ଭଟଲି ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବିଜେଡି ସୁପ୍ରିମୋ ନବୀନ !

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳି ନୁହେଁ ବରଂ ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାର କୌଣସି ଆସନରୁ ଠିଆ ହୋଇ ପାରନ୍ତି। ଦଳୀୟ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ବରଗଡ଼ର ବିଜେପୁର କିମ୍ବା ଭଟଲି ଆସନରୁ ପ୍ରତିଦ୍ୱନ୍ଦୀତା କରିବା ସମ୍ଭାବନା ଏକ ପ୍ରକାର ନିଶ୍ଚିତ।

ଦଳର ଅନ୍ୟତମ ବରିଷ୍ଠ ନେତା ତଥା ଦଳୀୟ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପୂର୍ବରୁ ଘୋଷଣା କରି କହିଥିଲେ ଯେ ବିଗତ ୫ବର୍ଷ ମଧ୍ୟରେ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାରେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିବାରୁ ପଶ୍ଚିମ ଓଡ଼ିଶା ସହ ବିଜେଡି ନେତା ନବୀନଙ୍କର ଏକ ଭାବଗତ ସମ୍ପର୍କ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶାର ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଲେଖକ, ଚାଷୀ ଓ ସାଧାରଣ ବର୍ଗ ସମସ୍ତେ ନବୀନଙ୍କୁ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଥିଲେ।

ଏହି ପ୍ରସ୍ତାବକୁ ସମର୍ଥନ ଦେଇ ନବୀନ ଏବେ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବା ପାଇଁ ବିଚାର କରୁଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ତେବେ ପଶ୍ଚିମ ଓଡ଼ିଶାର କେଉଁ ବିଧାନସଭା ଆସନରୁ ନବୀନ ନିର୍ବାଚନ ଲଢ଼ିବେ ତାହା ସ୍ପଷ୍ଟ କରି ନାହାନ୍ତି। କିନ୍ତୁ ଦଳୀୟ ବିଶ୍ୱସ୍ତ ସୂତରୁ ଜାଣିବାକୁ ମିଳିଛି କି ନବୀନ ବରଗଡ଼ ଜିଲ୍ଲାର ବିଜେପୁର କିମ୍ବା ଭଟଲି ନିର୍ବାଚନ ମଣ୍ଡଠଳୀରୁ ନିର୍ବାଚନ ଲଢ଼ିବେ।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନଙ୍କର ପାରମ୍ପରିକ ନିର୍ବାଚନ ମଣ୍ଡଳି ଥିଲା ହିଞ୍ଜିଳି। ଏଠାରୁ ସେ ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର