ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର : କୋଲକାତାରେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗିରଫଦାରୀକୁ ନେଇ ବିବାଦ ଉପୁଜିବା ପରେ ବିଜୁ ଜନତା ଦଳରୁ ତାଙ୍କୁ ନିଲମ୍ବିତ କରାଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି। ବିଜେଡି ପକ୍ଷରୁ ଜାରି ପ୍ରେସ ଇସ୍ତାହାରରେ  କୁହାଯାଇଛି କି  ନନ୍ଦଙ୍କୁ ତାଙ୍କ  ନିନ୍ଦନୀୟ ଅାଚରଣ ସଂପର୍କିତ ତଥ୍ୟ ଅାଧାରରେ ନିଲମ୍ବିତ କରାଯାଇଛି। ବ୍ୟବସାୟ କାମରେ କୋଲକାତା ଯାଇ ସେଠାରେ ପ୍ରଥମେ ନିଖୋଜ ହେବା ପ୍ରଚାରିତ ହେବା ଓ ପରେ କୋଲକାତା ପୁଲିସ ଦ୍ବାରା ଗିରଫ ହେବା ଘଟଣା ଜଣାପଡ଼ିବା ପରେ ନବୀନଙ୍କ ଆଚରଣ ବିବାଦ ଘେରକୁ ଆସିଥିଲା।

ଏହା ପରେ ନନ୍ଦଙ୍କୁ .ନେଇ  ରାଜନୈତିକ ବୟାନବାଜି ମଧ୍ୟ ହୋଇଥିଲା। ବିଜେପି ପକ୍ଷରୁ କୁହାଯାଇଥିଲା,ଏ ଘଟଣାରେ ଆମେ ଓଡିଶାବାସୀ ଲଜ୍ଜିତ ହୋଇଛୁ । ଓଡିଶା ପାଇଁ ଏହା ବେଶ ଲଜ୍ଜାଜନକ ଘଟଣା ଏବଂ ନେତାଙ୍କ ଉପରେ ଲଗାମ ଲଗାନ୍ତୁ ନବୀନ ବାବୁ । ଶାସକ ଦଳର ନେତାମାନେ ଓଡ଼ିଶାର ଗୌରବକୁ ହାନି କରିବା ଭଳି କୌଣସି କାମ କରନ୍ତୁ ନାହିଁ ବୋଲି ମଧ୍ୟ ବିଜେପି ପ୍ରତିକ୍ରିୟା ଦେଇଥିଲା । ଅନ୍ୟପଟେ ବିଜେଡ଼ି ପକ୍ଷରୁ ବୟାନ ରଖା ଯାଇଥିଲା କି, ଭୁଲ କରିଥିଲେ ସେ ତା’ର ଦଣ୍ଡ ପାଇବେ । ତାହା ହିଁ ଘଟିଛି, ନବୀନ ନନ୍ଦଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି।

ପ୍ରକାଶିତ ଖବର ଅନୁଯାୟୀ,  ବ୍ୟକ୍ତିଗତ କାମରେ ନବୀନ ନନ୍ଦ ଜୁନ୍ ୨୯ ତାରିଖରେ କୋଲକାତା ଯାଇଥିଲେ । ଗତକାଲି ସେ ଫେରିବାର ଥିଲା। କିନ୍ତୁ ସେ ଫେରିନଥିଲେ ଓ ତାଙ୍କ ମୋବାଇଲ୍ ସୁଇଚ-ଅଫ୍ ଥିଲା।  ଫଳରେ ତାଙ୍କ ପୁଅ  ସମ୍ବିତ ନବୀନଙ୍କୁ ଖୋଜିବାକୁ କୋଲକାତା ଆସିଥିଲେ । ସେ ରହୁଥିବା ହୋଟେଲ ରୁମରେ ତାଙ୍କର ଲ୍ୟାପଟାପ ଓ ଅନ୍ୟ ଜିନିଷପତ୍ର ଥିଲା । ହୋଟେଲ ମ୍ୟାନେଜର କୌଣସ ସଠିକ ତଥ୍ୟ ଦେଇନପାରିବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ ସମ୍ବିତ । ତେବେ ହୋଟେଲ ଛାଡିବାର ୧୩ ଘଣ୍ଟା ପରେ ଅର୍ଥାତ ସନ୍ଧ୍ୟା ପ୍ରାୟ ୫ଟା ୪୦ରେ ହୋଟଲକୁ ଫେରିଆସିଥିଲେ ନବୀନ ।

ତେବେ, ଅନ୍ୟ ସୂତ୍ରରୁ ଜଣାଯାଇଛି କି କୋଲକାତାରେ ଏକ ସ୍ପାରୁ  ଗିରଫ ହେବା ପରେ ସେ ଅଦାଲତରେ ହାଜର ହୋଇ ଜାମିନରେ ଆସିଛନ୍ତି। ପୁଲିସ ସେଇ ସ୍ପାରେ ଏକ ସେକ୍ସ ରାକେଟ ଚାଲିଥିବା ସନ୍ଦେହରେ ଚଢ଼ାଉ କରିଥିଲା। ସେଇ ସମୟରେ ସେଠାରେ ପୂର୍ବତନ ବିଧାୟକ ନବୀନ ନନ୍ଦ ଉପସ୍ଥିତ ଥିବାରୁ ଗିରଫଦାରୀର ସମ୍ମୁଖୀନ ହୋଇଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର