ଚର୍ଚ୍ଚାରେ ନବଜ୍ୟୋତି ପଟ୍ଟନାୟକଙ୍କ ସାଇକେଲରେ ପ୍ରଚାର, ପ୍ରତାପ ଷଡଙ୍ଗୀ ରୋଡ ସୋ’

ବାଲେଶ୍ୱର : ଆସନ୍ତା ୨୯ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ । ତେବେ ଅନ୍ତିମ ଲଢ଼େଇ ପାଇଁ ୬ଟି ଲୋକସଭା କ୍ଷେତ୍ରରୁ ୪୯ ଜଣ ସାଂସଦ ପ୍ରାର୍ଥୀ ବ୍ୟଟେଲ୍ ଗ୍ରାଉଣ୍ଡକୁ ଓହ୍ଲାଇଥିବାବେଳେ ୪୨ଟି ବିଧାନସଭା ଆସନକୁ ଦଖଲ କରିବା ପାଇଁ ୪୦୯ ଜଣ ପ୍ରାର୍ଥୀ ପ୍ରସ୍ତୁତି ଚଳାଇଛନ୍ତି । ଅନ୍ତିମ ପର୍ଯ୍ୟାୟରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏବଂ ଏହା ଅଧିନସ୍ଥ ଥିବା ୪୨ଟି ଆସନରେ କଡ଼ା ମୁକାବିଲା କରିବାକୁ ପ୍ରମୁଖ ଦଳର ଶୀର୍ଷ ନେତାମାନେ ରଣାଙ୍ଗନ କ୍ଷେତ୍ରରେ ରଣ ହୁଙ୍କାର ଦେଉଛନ୍ତି । ଏହି ପ୍ରରିପେକ୍ଷୀରେ ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର ଜୋରଦାର ଚାଲିଛି । ଜନତାଙ୍କ ନିକଟତର ହେବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ତଥା ବିଜେଡି, ବିଜେପି ଏବଂ କଂଗ୍ରେସର ତୁଙ୍ଗ ନେତାମାନେ ଘର ଘର ବୁଲି ଭୋଟ୍ ଭିକ୍ଷା କରିବା ସହ ମାରାଥନ ରୋଡ ସୋ କରୁଛନ୍ତି ।

ବିଜେଡିର ରବୀନ୍ଦ୍ର ଜେନା ଓ ବିଜେପିର ବଡ ନେତା ପ୍ରତାପ ଷଡଙ୍ଗୀଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ । ନବଜ୍ୟୋତି ପଟ୍ଟନାୟକ ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । କଂଗ୍ରେସ ଏହି ଲୋକସଭା ଆସନ ପାଇଁ ନୂଆ ରଣନୀତି ଆପଣେଇଛି। ଆଉ ସାଇକେଲରେ ବୁଲି ବୁଲି ପ୍ରଚାର କରୁଛନ୍ତି ନବଜ୍ୟୋତି ଓ ଅନ୍ୟ କଂଗ୍ରେସ ପ୍ରାର୍ଥୀ । ସାଇକେଲରେ ତାଙ୍କ ସହ ବାଲେଶ୍ୱର ବିଧାୟକ ପ୍ରାର୍ଥୀ ମାନଓ ଦାସ ପଟ୍ଟନାୟକ ଓ ଅନ୍ୟ କଂଗ୍ରେସ ସମର୍ଥକ ବି ସାମିଲ ହୋଇଛନ୍ତି ।

ଅନ୍ୟପଟେ,  ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ରୋଡ ସୋ ମାଧ୍ୟମରେ ଭୋଟରଙ୍କ ପାଖକୁ ଯାଇ ଭୋଟ ମାଗୁଛନ୍ତି । ବଡ କଥା ହେଲା, ପ୍ରତାପଙ୍କ ରୋଡ ସୋ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଂସଦ ପ୍ରାର୍ଥୀ ଏବଂ ଅନ୍ୟ ପ୍ରାର୍ଥୀଙ୍କ ସହ ମିଶି ରୋଡ ସୋ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉଭୟ ବିଜେପି ଓ ବିଜେଡି ପକ୍ଷରୁ ଜିଲା ସାରା ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରାଯାଉଛି। ବାଲେଶ୍ୱର ସହରରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଓ ଅନ୍ୟ ପ୍ରାର୍ଥୀଙ୍କୁ ସାଙ୍ଗରେ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରୋଡ ଶୋରେ ସହର ପରିକ୍ରମା କରିଥିଲେ। ତେବେ ଏହି ରୋଡ ଶୋ ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ।

 

ସମ୍ବନ୍ଧିତ ଖବର