ନଗଡ଼ାକୁ ନେଇ ଭିନ୍ନମତ : ମନ୍ତ୍ରୀଙ୍କ ସନ୍ତୋଷ, ଶ୍ରୀ ଜାମୁଦାଙ୍କ ଅସନ୍ତୋଷ

କାଳିଆପାଣି : ନଗଡ଼ାକୁ ନେଇ ଆଜି ପୁଣିଥରେ ଚର୍ଚ୍ଚା ଦେଖିବାକୁ ମିଳିଛି। ରାଜ୍ୟ ଅର୍ଥମନ୍ତ୍ରୀ ଓ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ଗସ୍ତ ଜୁଆଙ୍ଗ ଅଧ୍ୟୁଷିତ ଏହି ଅଞ୍ଚଳକୁ ଚଳଚଞ୍ଚଳ କରିଦେଇଛି। ତେବେ, ନଗଡାର ବିକାଶକୁ ନେଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସନ୍ତୋଷ ପ୍ରକଟ କରିଥିବାବେଳେ ଯୋଜନାରୁ କାର୍ଯ୍ୟକାରିତାକୁ ନେଇ ରଙ୍ଗଲାଲ ଜାମୁଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ନଗଡ଼ାକୁ ନେଇ ଏହି ଭିନ୍ନମତ ଯାଜପୁର ଜିଲ୍ଲା ପ୍ରଶାସନକୁ ଅଡ଼ୁଆରେ ପକାଇ ଦେଇଛି।

ପ୍ରଥମେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ନଗଡ଼ାରେ ପହଞ୍ଚଥିଲେ। ସ୍ଥାନୀୟ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ସାଙ୍ଗରେ ଥିଲେ। ମନ୍ତ୍ରୀ ଶ୍ରୀ ବେହେରା ନଗଡ଼ା ଚିତ୍ର ଏବେ ସଂପୂର୍ଣ୍ଣ ବଦଳି ଯାଇଛି ବୋଲି କହିବା ସହ ଏଠାକାର ବିକାଶକୁ ନେଇ ସରକାରଙ୍କୁ ପ୍ରଶଂସା କରିଥିଲେ।

ମାତ୍ର, ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଶ୍ରୀ ଜାମୁଦା ଓ ସଦସ୍ୟ ସଚିବ ସୁଶ୍ରୀ ରାଜଶ୍ରୀ ମହାନ୍ତି ଉପର, ମଝି ଓ ତଳ ନଗଡ଼ାର ଘରକୁ ଘର ବୁଲି ଜୁଆଙ୍ଗ ଜନଜାତିଙ୍କ ସ୍ଥିତି ପରଖୁଥିବା ବେଳେ ନଗଡ଼ା ଉନ୍ନୟନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଅର୍ଥମନ୍ତ୍ରୀ ଶ୍ରୀ ବେହେରା ଗସ୍ତ ସାରି ଫେରିବାର ଘଣ୍ଟାକ ପରେ ଶ୍ରୀ ଜାମୁଦାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନଗଡ଼ାରେ ପହଞ୍ଚଥିଲେ। ଉପର, ମଝି ଓ ତଳନଗଡ଼ାର ଘରକୁ ଘର ବୁଲି ସ୍ଥିତି ପରଖିଥିଲେ। ଏହି ସମୟରେ ଶ୍ରୀ ଜାମୁଦା ନଗଡ଼ାରେ ଏଯାବତ୍‌ ପାଇଖାନା ନିର୍ମାଣ କିମ୍ବା ଗୁହାଳ ମୂଳଦୁଆ ପଡ଼ିନଥିବା ଦେଖି ବିରକ୍ତ ହୋଇଥିଲେ। ସେହିପରି ରାଜ୍ୟ ସରକାରଙ୍କ ନଗଡ଼ା ଫୋକସ୍‌ରେ ଥିବା ଗୁହିଆଶାଳ ମୌଜା ଓ ତୁମୁଣି ଗାଁକୁ ଏଯାବତ୍‌ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବା ଜାଣି ଅସନ୍ତୋଷ ପ୍ରକାଶ କରିଥିଲେ। ନଗଡ଼ାରୁ ଫେରିବା ବାଟରେ ଚିଙ୍ଗୁଡ଼ିପାଳ ଆଶ୍ରମ ସ୍କୁଲ୍‌ ଗସ୍ତ କରିଥିଲେ। ଗତମାସରେ ଏହି ସ୍କୁଲ୍‌ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆନ୍ଦୋଳନ ଆଳରେ ସ୍କୁଲ୍‌ ପିଲାଙ୍କ ମଧ୍ୟାହ୍ନଭୋଜନ ବନ୍ଦ୍‌ କରିଥିବା ଜାଣି ବିରକ୍ତ ହୋଇଥିଲେ।

ଗୋଟିଏ ଦିନରେ ଦୁଇ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିବିଶେଷଙ୍କ ଭିନ୍ନ ମତ ନଗଡାର ବାସ୍ତବ ପରିବର୍ତ୍ତନ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ ଅଡ଼ୁଆରେ ପଡ଼ିଯାଇଛି।

ସମ୍ବନ୍ଧିତ ଖବର