ଅଧାବାଟରେ ଅଟକିଛି ପ୍ରଶାସନ : ପୂର୍ବାବସ୍ଥାକୁ ଫେରିଯିବ କି ନଗଡ଼ା?

କାଳିଆପାଣି : ଅପପୁଷ୍ଟି ପାଇଁ ଅପଖ୍ୟାତି ଅର୍ଜିଥିବା ନଗଡ଼ା ଏବେ ବି ଅସଜଡ଼ା। ପ୍ରଶାସନ ପାଦ ଥାପିବାର ୩ ବର୍ଷ ୮ ମାସ ବିତିଥିଲେ ବି ନଗଡ଼ା ବିକାଶର ଚକ ଆଗକୁ ଗଡ଼ିନି। ମୁଖ୍ୟମନ୍ତ୍ରୀଙ୍କ ‘ଆଦର୍ଶ ନଗଡ଼ା ଗାଁ ଘୋଷଣାକୁ ୩ ବର୍ଷ ୩ ମାସ ପୂରିଥିଲେ ବି ଏହା ବାସ୍ତବତାଠାରୁ ବହୁ ଦୂରରେ ରହିଯାଇଛି। ଏଠି ବିକାଶ ନାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲା ଏବେ ଲୋକାୟୁକ୍ତଙ୍କ କୋର୍ଟରେ ବିଚାରାଧୀନ ରହିଛି।

୨୦୧୬ ଜୁଲାଇ ୨୦ ତାରିଖରେ ନଗଡ଼ା ରାଜସ୍ବ ମୌଜା ଅତିରିକ୍ତ ଏହାର ପାର୍ଶ୍ବବର୍ତ୍ତୀ ଗୁହିଆଶାଳ ରାଜସ୍ବ ମୌଜା ଏବଂ ତିନି ପଡ଼ା ଗାଁ ତୁମୁଣି, ନାଲିଆଡାବ ଓ ଅଶୋକଝରର ସାମଗ୍ରିକ ବିକାଶକୁ ନେଇ ଗଠିତ ହୋଇଥିବା ସ୍ବତନ୍ତ୍ର ନଗଡ଼ା ଟାସ୍କଫୋର୍ସ ସ୍ଥାଣୁ ପାଲଟିଛି। ଟାସ୍କଫୋର୍ସ ମୁଖିଆ ଭାବେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି)ପୂର୍ବରୁ ମାସ ୱାରି ନଗଡ଼ା ବିକାଶ ସମୀକ୍ଷା କରୁଥିଲେ। ଗତ ‌୨ବର୍ଷ ହେଲା ଏହା ମଧ୍ୟ ବନ୍ଦ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ବ୍ଲକ୍‌ ପ୍ରଶାସନ ଦୃଷ୍ଟିରେ ନଗଡ଼ା ଆଉ ପୂର୍ବ ଗୁରୁତ୍ବ ବହନ କରୁନି। ଏହାର ସିଧାସଳଖ ପ୍ରଭାବ ଗୁହିଆଶାଳ ରାଜସ୍ବ ମୌଜା, ତଳଡିହ ଜୁଆଙ୍ଗ ବସ୍ତି, ନାଲିଆଡାବ, ତୁମୁଣି ଓ ଅଶୋକଝର ପଡ଼ା ଗାଁ ଉପରେ ପଡ଼ିଛି। ଗୁହିଆଶାଳ, ତଳଡିହ ଓ ତୁମୁଣି ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ ହୋଇନି। ତଳଡିହ ଓ ତୁମୁଣି ଦୁର୍ଗମ ହୋଇରହିଛି। ୨୦୧୭ଜୁଲାଇରେ ୧୩ କୋଟି ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମିତ ଅଶୋକଝର-ତଳନଗଡ଼ା ରାସ୍ତା ଏବେ ମରାମତି ଅଭାବରୁ ଅତ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ବର୍ଷା ଓ ଭୂସ୍ଖଳନ ପାଇଁ ସଡ଼କର ଅଧିକାଂଶ ଗାର୍ଡୱାଲ୍‌ ଭାଙ୍ଗି ନଷ୍ଟ ହୋଇଯାଇଛି। ଏହି କାରଣରୁ ନଗଡ଼ା ବସ୍ ସେବା ବିଫଳ ହୋଇଛି।

ସେହିପରି ଗୁହିଆଶାଳ, ତଳଡିହ, ତୁମୁଣି ଓ ଅଶୋକଝର ଗାଁର ୯୫ରୁ ଅଧିକ ଜୁଆଙ୍ଗ ପରିବାର ଅତିରିକ୍ତ ନାଲିଆଡାବ ବସ୍ତିର ୬ଟି ପଛୁଆ ବର୍ଗ ପରିବାର ପାଖେ ସ୍ଥାୟୀ ବାସଗୃହ ନାହିଁ। ଡିଏମ୍‌ଏଫ୍‌ ପାଣ୍ଠିରେ ଶହଶହ କୋଟି ଟଙ୍କା ଗଚ୍ଛିତ ଥିଲେ ମଧ୍ୟ ଖଣି ପ୍ରଭାବିତ ଏହି ୫ଗାଁରେ ବିଜୁ ପକ୍କାଘରର ମୂଳଦୁଆ ପଡ଼ିନି। ସ୍ଥାୟୀ ଜମିପଟ୍ଟା ଥିବା ଜୁଆଙ୍ଗମାନେ ପଲାମରା ଝୁମ୍ପୁଡ଼ିରେ ଦୟନୀୟ ଓ ଅସ୍ବାସ୍ଥ୍ୟକର ପରିବେଶରେ ରହୁଛନ୍ତି। ଗୋଟିଏ ବଖରାରେ କୁକୁଡ଼ା ଓ ଛେଳି ସହିତ ମଣିଷ ବାସ କରୁଥବା ଦେଖିବାକୁ ମିଳିଛି। ନଗଡ଼ାକୁ ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥା ହେଉଥିଲେ ମଧ୍ୟ ଏଥିରୁ ପାନୀୟ ଉପଯୋଗୀ ପାଣି ମିଳୁନି। ଗାଁ ଉପର ମୁଣ୍ଡରେ ଥିବା ଏହି ପ୍ରକଳ୍ପ କୂଅରେ ଶିଉଳି ମାଡ଼ି ଯାଇଛି। ନାଲିଅଡାବ ଜଳଉତ୍ସରେ ବି ସମାନ ଅବସ୍ଥା। ଗୁହିଆଶାଳ ଓ ତୁମୁଣି ନଳକୂପ ଆରମ୍ଭରୁ ଅଚଳ। ତଳଡିହରେ ନଳକୂଅ ପ୍ରତିଷ୍ଠା ହୋଇନି। ତିନି ଗାଁର ମହିଳାମାନେ ପୂର୍ବବତ୍ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି। ନଗଡ଼ାର ଅଧିକାଂଶ ଫିଲଟର ଖଣ୍ଡ ଖଣ୍ଡ ହୋଇ ଖତଗଦାରେ ପଡ଼ିଥିବା ଦେଖିବାକୁ ମିଳିଛି। ଗୁହିଆଶାଳ ଓ ତଳଡିହ ଗାଁର ୧୪ଟି ଗରିବ ଜୁଆଙ୍ଗ ପରିବାର ଖାଦ୍ୟ ନିରାପତ୍ତାରୁ ବଞ୍ଚିତ ହୋଇ ରହିଛନ୍ତି। ନଗଡ଼ାବାସୀଙ୍କ ଖାତାକୁ ହେରଫେର କରାଯାଇ ରାସନ ଚାଉଳ ବାଟ ମାରଣା ସହ କିରାସିନି ହଡ଼ପର ମାଳମାଳ ଅଭିଯୋଗ ରହିଛି। ଅଙ୍ଗନବାଡ଼ିରେ ଶିଶୁଙ୍କୁ ପୋକରା ଚାଉଳର ଭାତ, ଲୁଣ ଖାଇବାକୁ ଦିଆଯାଉଥିବା ଅଭିଯୋଗ ହେଉଛି। ତୁମୁଣି ଓ ତଳଡିହ ଅଙ୍ଗନବାଡ଼ିରେ ରନ୍ଧା ଖାଦ୍ୟ ନାଁରେ ବ୍ୟାପକ ଦୁର୍ନୀତି ନେଇ ସଂପୃକ୍ତ ଗ୍ରାମବାସୀ ଅଭିଯୋଗ କରନ୍ତି।

ଏଥିସହ ନଗଡ଼ା ସ୍ବାସ୍ଥ୍ୟସେବା ପ୍ରତି ସରକାରୀ ଆଗ୍ରହ ପରିଲକ୍ଷିତ ହେଉନି। ଗତ ୨୦୧୮ ଡିସେମ୍ବର ୨୦ରେ ନଗଡ଼ା ଜଙ୍ଗଲରେ ପେଟି ପେଟି ବୈଧ ସରକାରୀ ଔଷଧ ଓ ଫର୍ମ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ସ୍ବାସ୍ଥ୍ୟ ବିଭାଗ ତଦନ୍ତ କରି ଏହା ପଛରେ ଥିବା ଡାକ୍ତରୀଦଳର ଗଫଲତିକୁ ଧରିଥିଲା। ଦୁର୍ଗମ ତଳଡିହ ଓ ତୁମୁଣିରେ ସାପ୍ତାହିକ ଭ୍ରାମ୍ୟମାଣ ରୋଗୀସେବା କାଗଜ କଲମରେ ଚାଲିଥିବା ଅଭିଯୋଗ ହୋଇଛି। ଫଳତଃ ନଗଡ଼ା ଶିଶୁମୃତ୍ୟୁ ଅପବାଦରୁ ମୁକୁଳି ପାରୁନି। ୨୦୧୮ ମସିହାରେ ଗୁହିଆଶାଳ ତଳଡିହ ଅଙ୍ଗନବାଡ଼ି କର୍ମୀ ଆଗୁଣି ପ୍ରଧାନଙ୍କ ପୁଅ ସମେତ ତିନି ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୦୧୯ ମସିହାରେ ଆଉ ଦୁଇ ନବଜାତକଙ୍କ ମୃତ୍ୟୁ ହୋଇଥିଲା। ଶିଶୁ ମଡ଼କ ପଛରେ ମ୍ୟାଲେରିଆ ପ୍ରମୁଖ କାରଣ ହୋଇଥିଲେ ମଧ୍ୟ ନଗଡ଼ାବାସୀ ମଶାରି ବ୍ୟବହାର କରୁନାହାନ୍ତି। ଔଷଧୀୟ ମଶାରିରେ କୁକୁଡ଼ା ଚାଷ କରୁଥିବା ଦେଖିବାକୁ ମିଳୁଛି। ସୌର ଆଲୋକ ବ୍ୟବସ୍ଥା ଅଧିକାଂଶ ସ୍ଥାନରେ ଅଚଳ। ସୌର ଲଣ୍ଠନ ଆଉ ଜଳିବା ସ୍ଥିତିରେ ନାହିଁ। ଗୁହିଆଶାଳ ପ୍ରାଥମିକ ସ୍କୁଲ, ତୁମୁଣି ଅଙ୍ଗନବାଡ଼ି ଓ ଅଣ ଆବାସିକ ଶିକ୍ଷାକେନ୍ଦ୍ରର ଛପର ଉଡ଼ିଯାଇଛି।

ତିନି ବର୍ଷ ତଳୁ ପ୍ରସ୍ତୁତ ନଗଡ଼ା ଗୋଷ୍ଠୀଗତ କୃଷି ଯୋଜନା ଏଯାବତ୍ କାର୍ଯ୍ୟକାରୀ ହୋଇପାରିନି। ଚଳିତ ବର୍ଷ ରବି ଋତୁରେ ସରକାରଙ୍କ ପକ୍ଷରୁ ନଗଡ଼ାରେ ବିରି ଚାଷ ଯୋଜନା ସଂପୂର୍ଣ୍ଣ ବିଫଳ ହୋଇଛି। ୧୨ ଜଣଙ୍କୁ ୪ କିଲୋ ଲେଖାଏଁ ବିହନ ଯୋଗାଣ ହୋଇଥିଲେ ଚାଷ ସଂପୂର୍ଣ୍ଣ ଉଜୁଡ଼ିଯାଇଛି। ଚଳିତ ବର୍ଷ ନଗଡ଼ାରେ ପ୍ରଚୁର ଅମୃତଭଣ୍ଡା ଫଳିଥିଲେ ବଜାର ସୁବିଧା ଅଭାବରୁ ମଧ୍ୟ ସଂପୃକ୍ତ ଚାଷୀ ଏହାକୁ ସାମାନ୍ୟ ମୂଲ୍ୟରେ ବିକିବାକୁ ବାଧ୍ୟ ହୋଇଛି। ୨୦୧୬ନଭେମ୍ବର ୨୫ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦିନରୁ ନଗଡ଼ାରେ ୧୦ଟି ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଥିଲେ ମଧ୍ୟ କେହି ବି ସ୍ବାବଲମ୍ବୀ ହୋଇଥିବାର ନଜିର ନାହିଁ। ୯୦ ପ୍ରତିଶତ ଯୁବକ ବେରୋଜଗାର ରହିଛନ୍ତି। ଜୁଆଙ୍ଗମାନେ ଅନ୍ଧବିଶ୍ବାସରୁ ମୁକୁଳି ପାରିନାହାନ୍ତି। ପାଞ୍ଜିଆ କଥାରେ ଘର ଭାଙ୍ଗିବାକୁ ବି ପଛାଉ ନାହାନ୍ତି।

ନଗଡ଼ା ପ୍ରତି ସରକାରୀ ଅବହେଳା ସଂପର୍କରେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ(ପିଡି) ଇନ୍ଦ୍ରମଣି ନାୟକଙ୍କୁ ଯୋଗାଯୋଗ କରିବାରେ ନଗଡ଼ା ପାଇଁ ପ୍ରଶାସନ ନିରନ୍ତର ଉଦ୍ୟମ ଅବ୍ୟାହତ ରଖିଥିବା କହନ୍ତି। ଆସନ୍ତା ମାସକ ମଧ୍ୟରେ ସେ ଦୁଇ ତିନିଥର ନଗଡ଼ା ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବେ ବୋଲି ‘ସମ୍ବାଦକୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର