ବଦଳୁନି ‘ନଗଡା’ ଭାଗ୍ୟ : ଲାଗି ରହିଛି ଶିଶୁ ମଡ଼କ

ତିଆରି ହୋଇଥିବା ରାସ୍ତା ସଂପୂର୍ଣ୍ଣ ନଷ୍ଟ, ସ୍ବତନ୍ତ୍ର ବାସଗୃହ ଯୋଜନା ଅଧାପନ୍ତରିଆ, ବିଜୁଳି ଆଲୁଅ ସାପ ସପନ

କାଳିଆପାଣି : ନଗଡ଼ା ଏକ ଆଦର୍ଶ ଗାଁ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବ। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଥିଲେ। ନଗଡ଼ା ବିକାଶ ପାଇଁ ତାଙ୍କ ସରକାର ଅଙ୍ଗୀକାରବଦ୍ଧ ବୋଲି ୨୦୧୬ ମସିହା ନଭେମ୍ବର ୨୫ ତାରିଖ ମୁଖ୍ୟମନ୍ତ୍ରୀ କାଳିଆପାଣି କଲରଙ୍ଗିରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ନଗଡ଼ା ସଡ଼କର ଶିଳାନ୍ୟାସ କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ନଗଡ଼ା ଗାଁ ଘୋଷଣାକୁ ଦୁଇବର୍ଷ ପୂରିବାକୁ ବସିଥିବା ବେଳେ ଏବେ ବି ଶିଶୁମଡ଼କର ଗଡ଼ ଭାବେ କୁଖ୍ୟାତ ଥିବା ନଗଡ଼ାର ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇ ରହିଛି। ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ ଓ ପରିମଳ, ପାନୀୟଜଳ, ବିଦ୍ୟୁତ୍, କୃଷି, ଜୀବନ ଓ ଜୀବିକା ସେହି ଭଳି ବହୁ ପଛରେ ରହିଯାଇଛି।

ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାରେ ଶିଶୁ ମଡ଼କ ଓ ଅପପୁଷ୍ଟିର ଉପତ୍ୟକା କୁହାଯାଉଥିବା ନଗଡ଼ା ଗାଁର ସମସ୍ୟା ବହୁଳ ଘଟଣାବଳୀ ‘ସମ୍ବାଦ’ରେ ପ୍ରଥମେ ୨୦୧୬ ମସିହା ଜୁନ ୩୦ ତାରିଖରେ ପ୍ରକାଶିତ ହୋଇଥିଲା। ଅବିଭକ୍ତ କଟକ ଜିଲ୍ଲା ଯାଜପୁର ସବ୍ ଡିଭିଜନ ଅନ୍ତର୍ଗତ ସୁକିନ୍ଦା ତହସିଲର ପ୍ରଥମ ରାଜସ୍ବ ମୌଜା ନଗଡ଼ାର ବାସ୍ତବ ସ୍ଥିତି ଯେ ଅତ୍ୟନ୍ତ ଦୟନୀୟ ବୋଲି ସାଧାରଣରେ ସ୍ପଷ୍ଟ ହୋଇଥିଲା। ସେହିଦିନଠୁ ଏହି ଗାଁ ବିଭିନ୍ନ ଗଣମାଧ୍ୟମର ଶିରୋନାମାରେ ରହି ଆସିଛି। ନଗଡ଼ା ଉନ୍ନୟନ ପାଇଁ ସରକାର ସେହିବର୍ଷ ଜୁଲାଇ ୨୦ ତାରିଖ ସ୍ବତନ୍ତ୍ର ନଗଡ଼ା ଟାସ୍କଫୋର୍ସ ଗଠନ କରିବାକୁ ବାଧ୍ୟ ହୋଇଥିଲେ। ନଗଡ଼ା ରାଜସ୍ବ ମୌଜା ଅତିରିକ୍ତ ଗୁହିଆଶାଳ ମୌଜା ଏବଂ ତିନି ପଡ଼ାଗାଁ ତୁମୁଣି, ନାଲିଆଡାବ ଓ ଅଶୋକଝରର ଉନ୍ନ୍ରୟନ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର(ଆର୍‌ଡିସି)ଙ୍କୁ ଦାୟିତ୍ବ ଦିଆଯାଇଥିଲା। ଇତି ମଧ୍ୟରେ ଦୁଇ ଜଣ ଆର୍‌ଡିସି ଓ ନଗଡ଼ା ନୋଡାଲ୍ ଅଫିସର ଥିବା ସୁକିନ୍ଦା ତହସିଲଦାର ନବକୃଷ୍ଣ ଜେନାଙ୍କ ବଦଳି ହୋଇସାରିଛି।

ଏକଦା ଜିଲ୍ଲା ପ୍ରଶାସନ ଦକ୍ଷତାର ପ୍ରତୀକ ଥିବା ୮.୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ନଗଡ଼ା ସଡ଼କ ଇତିମଧ୍ୟରେ ଅତ୍ୟନ୍ତ ଖରାପ ହୋଇଛି। ଖରାପ ରାସ୍ତା ଯୋଗୁ ବସ୍‌ ଏକ ସପ୍ତାହ ଚାଲିବା ପରେ ବନ୍ଦ ରହିଛି। ଏବେ ଏହି ରାସ୍ତାରେ ଚାଲି ଚାଲି ଯିବା ଆଦୌ ନିରାପଦ ନୁହେଁ ବୋଲି ଖୋଦ୍ ନଗଡ଼ାବାସୀ ମତ ଦିଅନ୍ତି। ନଗଡ଼ାର ଶିଶୁ ଅଙ୍ଗନବାଡ଼ି ଓ ସ୍କୁଲ୍ ଯାଉଥିଲେ ମଧ୍ୟ ସଂପୃକ୍ତ ଶିଶୁ ଓ ଅଭିଭାବକ ଶିକ୍ଷା ପ୍ରତି ଯତ୍ନବାନ ନଥିବା ଅଭିଯୋଗ ହୋଇଛି। ନଗଡ଼ା ଉପସ୍ବାସ୍ଥ୍ୟକେନ୍ଦ୍ର ଏଯାବତ୍ କାର୍ଯ୍ୟକ୍ଷମ ହୋଇନି। ଜଣେ ହୋମିଓପ୍ୟାଥିକ ଡାକ୍ତରଙ୍କୁ ନେଇ ଚାଲିଥିବା ଭ୍ରାମ୍ୟମାଣ ନଗଡ଼ା ଏମ୍ଆର୍‌ସିକୁ ସ୍ଥାନୀୟ ଜୁଆଙ୍ଗମାନେ ଏବେ ବି ଭରସୁନଥିବା ଜଣାପଡ଼ିଛି। ନଗଡ଼ା ଘଟଣାବଳୀ ପରଠୁ ଶତାଧିକ ଗର୍ଭବତୀ ନିଜ ନିଜ ଝାଟିମାଟି ଘରେ ଅତି ଅସ୍ବାସ୍ଥ୍ୟକର ପରିବେଶରେ ସନ୍ତାନ ପ୍ରସବ କରିଛନ୍ତି। ଶିଶୁ ମୃତ୍ୟୁ ଜାରି ରହିଛି। ଚଳିତ ବର୍ଷ ଏଠାରେ ତିନି ଜଣ ଶିଶୁ ଆଖିବୁଜିବା ସହ ଏଠାରେ ଶିଶୁମୃତ୍ୟୁ ସଂଖ୍ୟା ୨୫ ଛୁଇଁଛି। ରୋଗ ଉପଚାର କ୍ଷେତ୍ରରେ ଜୁଆଙ୍ଗମାନେ ଏବେ ବି ଗୁଣି ଗାରେଡ଼ି ଓ ପ୍ରାକୃତିକ ଜଡ଼ିବୁଟିକୁ ଭରସା କରୁଛନ୍ତି।

ନଗଡ଼ା ଆବାସ ଯୋଜନାରେ ପ୍ରତି ନଗଡ଼ାବାସୀଙ୍କୁ ଖଣି ପ୍ରଭାବିତ ବିଜୁ ପକ୍କାଘର ଯୋଜନାରେ ସ୍ବତନ୍ତ୍ର ବାସଗୃହ ଯୋଗାଇଦେବା ଯୋଜନା ଏବେ ବି ଅଧ ପନ୍ତରିଆ। ମୋ ଗୁହାଳ ଯୋଜନାର ଶୁଭ ବି ପଡ଼ିନି। ନଗଡ଼ାକୁ ବିଜୁଳି ଆଲୁଅ ସାତ ସପନ ହୋଇରହିଛି। ପାନୀୟଜଳ ପ୍ରକଳ୍ପ ପାଇପ୍ ଓ ଚାନ୍ଦିନି ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ମରାମତି ହେଉନି।

ନଗଡ଼ାରେ ଆଧୁନିକ କୃଷି ଫେଲ୍ ମାରିଛି। ଲୋକେ ପୂର୍ବବତ୍ ପୋଡ଼ୁଚାଷରେ ମାତିଛନ୍ତି। ନଗଡ଼ାବାସୀଙ୍କୁ ଏଯାବତ୍ ମନରେଗା ଯୋଜନାରେ ଜବ୍‌ କାର୍ଡ ମିଳିନଥିବା ଅଭିଯୋଗ ହୋଇଛି। ତିନି ପାହାଡ଼ି ଗାଁରେ ୧୦ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ପ୍ରାଥମିକ ସ୍ତରରେ ୧୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ଗୋଟିଏ ଗ୍ରୁପରେ ସଠିକ୍ ବାଟରେ ଅର୍ଥ ବିନିଯୋଗ ହୋଇନି। ପ୍ରଶାସନ ପକ୍ଷରୁ ସବୁ ଗାଁରେ ହଜାରେରୁ ଅଧିକ ବର୍ଣ୍ଣ ଶଙ୍କର କୁକୁଡ଼ା ଚିଆଁ ଓ ଛେଳି ପ୍ରଦାନ କରାଯାଇଥିଲେ ମଧ୍ୟ ଉଭୟ ଛେଳି ଓ କୁକୁଡ଼ା ଚାଷ ଏଠି ସଂପୂର୍ଣ୍ଣ ନଷ୍ଟ ହୋଇଛି।

ସମ୍ବନ୍ଧିତ ଖବର