୨୫ ବର୍ଷ ପରେ ୨୦୨୦ ନଭେମ୍ବରରେ ନାଗାର୍ଜୁନ ବେଶ

ପୁରୀ : ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ଗଣନା ହୋଇଛି। ଦୀର୍ଘ ୨୫ ବର୍ଷ ପରେ ମହାପ୍ରଭୁଙ୍କ ଏହି ବିରଳ ବେଶ ଆସନ୍ତା ୨୦୨୦ ନଭେମ୍ବର ମାସ ୨୭ ତାରିଖ ଶୁକ୍ରବାର ପବିତ୍ର କାର୍ତ୍ତିକ ଦ୍ଵାଦଶୀ ତିଥିରେ ଅନୁଷ୍ଠିତ ହେବ। ଏ ସଂପର୍କରେ ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ଜ୍ୟେର୍ତିବିଦ୍ୟା ବାଚସ୍ପତି ବୈକୁଣ୍ଠନାଥ ନାୟକ ସୂଚନା ଦେଇଛନ୍ତି। ସେହି ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ଅଧିକ ୬ ଦିନ ପଡୁଥିବାର ଅତିରିକ୍ତ ଦିନଟି ନାଗାର୍ଜୁନ ବେଶ ହେବ। ଶେଷ ଥର ପାଇଁ ମହାପ୍ରଭୁଙ୍କ ଏହି ବେଶ ୧୯୯୪ ମସିହାରେ ହୋଇଥିଲା। ଏହି ବେଶ ମହାପ୍ରଭୁଙ୍କ ବୀର ବେଶ। ମହାପ୍ରଭୁଙ୍କ ବୀର ତଥା ପାର୍ବତ୍ୟ ବେଶରେ ସଜ୍ଜିତ ହେଉଥିବାରୁ ଏହାର ବିଶେଷ ଆକର୍ଷଣ ରହିଛି। ନାଗାର୍ଜୁନ ବେଶରେ ହଜାର ହଜାର ସାଧୁସନ୍ଥ ବାହାରୁ ଆସି ମହାପ୍ରଭୁଙ୍କ ଏହି ବିରଳ ନାଗାର୍ଜୁନ ବେଶ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି।

ତଥ୍ୟ ମୁତାବକ ଏହି ବେଶ ୧୯୬୬, ୧୯୮୩ ଓ ଶେଷ ଥର ପାଇଁ ୧୯୯୩ ଓ ୧୯୯୪ ମସିହାରେ ହୋଇଥିଲା। କନାଜରି ବେତରେ ନିର୍ମିତ ଏହି ବେଶରେ ଜଗନ୍ନାଥଙ୍କୁ ଏକ ଯୋଦ୍ଧା ରୂପେ ସଜାଇ ଦିଆଯାଇଥାଏ। ମହାପ୍ରଭୁଙ୍କ ଅଣ୍ଟାରେ ଏକ ନାଗା ତାଟି ଭିଡା ଯାଏ। ଧନୁଶରପୂର୍ଣ୍ଣ ତୁଣୀ, କଟାରି, ଛୁରି, ବାଘ ନଖ, ଏରାପକ୍ଷୀର ପର, ଢାଲ, ଅଣ୍ଟାରେ ଶୋଲ ତିଆରି ହାଣ୍ଡିଆ ସଜାଇ ଦିଆଯାଏ। ଢାଲ ଛୁରି କଟାରୀ ଶୋଲରେ ତିଆରି ହୁଏ। ବାଘ ଛାଲ, ସିଙ୍ଗଡା, କଲଫି ଲାଗି ହୋଇଥାଏ। ମହାପ୍ରଭୁ ଓ ବଳଭଦ୍ରଙ୍କ ବେଶ ପାଇଁ ଶ୍ରୀହସ୍ତ ଓ ଶ୍ରୀପୟର ମଧ୍ୟ ଲାଗି ହୋଇଥାଏ। ମହାପ୍ରଭୁ ଉଭୟ ହସ୍ତରେ ଦୁଇଟି ଓଳମାଳ ଧରିଥାନ୍ତି। ମହାପ୍ରଭୁଙ୍କ ବାମ ହାତରେ ରୁପା ଶଙ୍ଖ, ଦକ୍ଷିଣରେ ଚକ୍ର, ବଳଭ୍ରଦଙ୍କ ବାମ ହାତରେ ମୂଷଳ, ଦକ୍ଷିଣ ହସ୍ତରେ ହଳ ଧରିଥାନ୍ତି। ବିଭିନ୍ନ ମାଳିରେ ମହାପ୍ରଭୁଙ୍କ ବେଶ ହୋଇଥାଏ। ଘାଗଡା ମାଳି, ପଦ୍ମମାଳି, ହରିଡା କଣ୍ଠି ମାଳି, ବାଘ ନଖ ମାଳିରେ ମହାପ୍ରଭୁ ସଜ ହୋଇଥାନ୍ତି। ବାହୁ ମୂଳରେ କଲିଙ୍ଗ, କଟିରେ କଟିଢାଲ, କମରପେଟିରେ ଛୁରୀ, କଟାରୀ, ସିଙ୍ଗଡା ଓ ଜଂଘରେ ଘଣ୍ଟି ବନ୍ଧା ହୋଇଥାଏ। ସୁଭଦ୍ରାଙ୍କ ମସ୍ତକରେ ସୁନାର ମୁକୁଟ, ଚନ୍ଦ୍ରିକା, କର୍ଣ୍ଣ ଅଳଙ୍କାର ମଧ୍ୟ ଲାଗି ହୋଇଥାଏ। ୧୯୯୪ରେ ଶେଷ ଥର ପାଇଁ କାର୍ତ୍ତିିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ଏହି ବେଶ ଅନୁଷ୍ଠିତ ହୋଇଥିଲା। ଏହାକୁ ମହାପ୍ରଭୁଙ୍କ ପର୍ଶୁରାମ ବେଶ ବୋଲି ମଧ୍ୟ କୁହାଯାଏ। ହିମାଚଳ ପ୍ରଦେଶର ଭକ୍ତ ସନାତନ ବ୍ରାହ୍ମଣ ଏହି ବେଶର ପ୍ରଚଳନ କରିଥିବା ବିଶ୍ୱାସ କରାଯାଏ। ମହାପ୍ରଭୁଙ୍କୁ ପାର୍ବତ୍ୟ ନାଗା ବେଶରେ ସଜ୍ଜିତ କରାଯାଇଥାଏ। ପଞ୍ଚୁକ ୬ ଦିନ ପଡୁଥିବା ବର୍ଷ ହିଁ ଏହି ବେଶ ଅନୁଷ୍ଠିତ ହୋଇଥାଏ। ଗତ ୧୯୯୪ରେ ଏହି ବେଶ ଦିନ ଶ୍ରୀମନ୍ଦିରରେ ଦଳାଚକଟା ହୋଇ ୬ ଜଣ ଭକ୍ତ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର