ନାକ୍‌ଚିରେ ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା : ପୀଡ଼ିତାଙ୍କ ଡାକ୍ତରୀ ମାଇନା, କୋର୍ଟରେ ବୟାନ ରେକର୍ଡ ଆଜି

ଅନୁଗୁଳ : କିଶୋରନଗର ନାକ୍‌ଚିରେ ଗୁରୁବାର ରାତିରେ ଗଣଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କୁ ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରାଯାଇଛି।

ଦୁଇ ଦିନ କାଳ ନିଖୋଜ ରହିବା ପରେ ଗତକାଲି ପୀଡ଼ିତାଙ୍କୁ ଜଗତ୍‌ସିଂହପୁର ଟାଉନ୍‌ସ୍ଥିତ ତାଙ୍କ ଭଉଣୀ ଘରୁ ଠାବ କରାଯାଇଥିଲା। ହଣ୍ଡପା ପୁଲିସ ଟିମ୍‌ ତାଙ୍କ ସ୍ୱାମୀକୁ ଧରି ସେଠାକୁ ଯାଇଥିଲା। ଆଜି ପୀଡ଼ିତାଙ୍କୁ ଧରି ପୁଲିସ ପୂର୍ବାହ୍ନରେ ଅନୁଗୁଳ ମେଡିକାଲ୍‌ରେ ପହଞ୍ଚିବା ପରେ ଏକ ଡାକ୍ତର ଦଳ ତାଙ୍କ ମାଇନା କରିଛନ୍ତି। ଆସନ୍ତାକାଲି କୋର୍ଟରେ ସିଆରପିସି ଧାରା ୧୬୪ରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି। କିନ୍ତୁ ଘଟଣା ସଂପର୍କରେ ପୁଲିସ ଅହେତୁକ ନିରବତା ଅବଲମ୍ବନ କରୁଥିବାରୁ ଗଣଦୁଷ୍କର୍ମ ମାମଲା ଏବେ ଅଧିକ ରହସ୍ୟମୟ ହେବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ରାତିରେ ସ୍ୱାମୀଙ୍କ ସହିତ ପୀଡ଼ିତା ମହିଳା ସମ୍ବଲପୁରରୁ ଜଗତ୍‌ସିଂହପୁର ଆଳି ପିଙ୍ଗଳସ୍ଥିତ ଶାଶୂଘରକୁ ଫେରୁଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ, ଏହି ଘଟଣାରେ ମହିଳାଙ୍କ ସ୍ୱାମୀଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଘଟଣାଦିନ ମହିଳା  ନାକ୍‌ଚିରେ ପରିସ୍ରା କରିବାକୁ ବାହାରକୁ ଓହ୍ଲାଇଥିଲେ। କିଛି ସମୟ ପରେ ତାଙ୍କ ସ୍ୱାମୀ ଭୁଲ୍‌ବଶତଃ ସ୍ତ୍ରୀ କାର୍‌ରେ ବସିଥିବା ଭାବି କାର୍‌ ଚଳାଇ ପଳାଇଥିଲେ। କାର୍‌ ପଳାଇଯିବାରୁ ପୀଡ଼ିତା ମହିଳା ରାତିରେ ଜାତୀୟ ରଜପଥରେ କାନ୍ଦି କାନ୍ଦି ଏକୁଟିଆ ଚାଲି ଚାଲି ଯାଉଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା କୁହାଯାଉଛି। ଏବେ ପ୍ରଶ୍ନ ଉଠିଛି ଯେ, ବାସ୍ତବରେ ପତ୍ନୀ କାର୍‌ରେ ବସିନଥିବା ସ୍ୱାମୀ ଜାଣି ପାରିଲେ ନାହିଁ ନା ସଂପର୍କରେ ମନୋମାଳିନ୍ୟ କାରଣରୁ ସ୍ୱାମୀ ଜାଣିଶୁଣି ଅଧା ବାଟରେ ତାଙ୍କୁ ଛାଡ଼ି ପଳାଇଥିଲେ? କାରଣ, ଅଭିଯୋଗପତ୍ରରେ ନାକ୍‌ଚିରୁ ବଇଣ୍ଡା ଯାଏଁ ପ୍ରାୟ ୧୦ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ପତ୍ନୀ କାର୍‌ରେ ନଥିବା ଜାଣିଲେ ବୋଲି ସ୍ୱାମୀ ଯେଉଁ ସଫେଇ ଦେଉଛନ୍ତି, ତାହା ସାଧାରଣରେ ଗ୍ରହଣୀୟ ହୋଇପାରୁନାହିଁ। ଏହା ପରୋକ୍ଷରେ ସ୍ୱାମୀ-ସ୍ତ୍ରୀର ମଧୁର ସଂପର୍କ ଉପରେ ପ୍ରଶ୍ନଚିହ୍ନ ଛିଡ଼ା କରୁଛି।

ସମ୍ବନ୍ଧିତ ଖବର