ବଜାର ଉପଯୋଗୀ ଦକ୍ଷତା ବିକାଶ ଜରୁରୀ: ରାଜ୍ୟପାଳ

ନାଲ୍‌କୋ ସପ୍ତଦଶ ପ୍ରତିଷ୍ଠା ଦିବସ ବକ୍ତତାମାଳା

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ବଜାର ଆବଶ୍ୟକ କରୁଥିବା ଦକ୍ଷତା ବିକାଶ ଅପରିହାର୍ଯ୍ୟ ହୋଇପଡ଼ିଛି। ଯୁବଗୋଷ୍ଠୀଙ୍କୁ ବଜାର ଉପଯୋଗୀ ଗୁଣାତ୍ମକ ଦକ୍ଷତା ବିକାଶ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଆଗେଇ ଆସିବା ସମୟର ଆହ୍ଵାନ। ନାଲ୍‌କୋର ୩୮ତମ ପ୍ରତିଷ୍ଠା ଦିବସ ପାଳନର ଉଦ୍‌ଘାଟନୀ ଦିବସରେ ଆଜି ଆୟୋଜିତ ନାଲକୋ ସପ୍ତଦଶ ପ୍ରତିଷ୍ଠା ଦିବସ ବକ୍ତତାମାଳାରେ ‘ଯୁବସମାଜ ପାଇଁ ସୁଯୋଗ : ଅର୍ଥନୈତିକ ପ୍ରଗତି ଓ ସାମୂହିକ ବିକାଶ ନିମନ୍ତେ ପଥପ୍ରଦର୍ଶକ’ ଶୀର୍ଷକ ବିଷୟରେ ଅଭିଭାଷଣ ପ୍ରଦାନ କରି ରାଜ୍ୟପାଳ ଡ. ଏସ୍‌.ସି. ଜମିର ଏପରି ମତବ୍ୟକ୍ତ କରିଛନ୍ତି।

ସମଗ୍ର ଦେଶରେ କୌଶଳର ଆବଶ୍ୟକତା ଏବଂ ଉପଲବ୍ଧତା ମଧ୍ୟରେ ଥିବା ତାରତମ୍ୟକୁ ଦୂର କରିବା ଦିଗରେ କୁଶଳ ଭାରତ ଅଭିଯାନକୁ ପ୍ରଶଂସା କରି ଡ. ଜମିର କହିଲେ, ସମସ୍ତ ଶିଳ୍ପସଂସ୍ଥା ଏହି ପ୍ରକ୍ରିୟାରେ ସକ୍ରିୟ ଭାବେ କାର୍ଯ୍ୟ କରିବା ଜରୁରି। ଏହି ପରିପ୍ରେକ୍ଷୀରେ ନବରତ୍ନ କମ୍ପାନି ନାଲ୍‌କୋର ଭୂମିକା ଗୁରୁତ୍ୱପୂର୍ଣ୍ଣ। ନାଲ୍‌କୋ ଏହାର ଉତ୍କର୍ଷ ଜରିଆରେ ଦକ୍ଷତା ବିକାଶକୁ ତ୍ୱରାନ୍ଵିତ କରିବା କ୍ଷେତ୍ରରେ ସର୍ବୋତ୍କୃଷ୍ଟ ସ୍ଥାନରେ ରହିଛି। ସାମାଜିକ ବିକାଶ ଦିଗରେ ମଧ୍ୟ ନାଲ୍‌କୋର ଭୂମିକାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ।
ସ୍ୱାଗତ ଭାଷଣ ପ୍ରଦାନ କରିବା ଅବସରରେ ନାଲ୍‌କୋର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ କହିଲେ ଯେ ଏକ ଅଭିବୃଦ୍ଧିଶୀଳ କମ୍ପାନି ଭାବେ ନାଲ୍‌କୋ ୨୦୧୮ ବର୍ଷକୁ ଏହାର ସମସ୍ତ ଅଂଶୀଦାରଙ୍କ ପାଇଁ ଖୁସିର ବର୍ଷ ଭାବେ ଘୋଷଣା କରିଛି। ପ୍ରତିବଦ୍ଧତା, ନିଷ୍ଠା ଏବଂ ଶୃଙ୍ଖଳା ଉପରେ ନାଲ୍‌କୋ ଗୁରୁତ୍ୱ ଦେଇଆସିଥିବାରୁୁ ଆଜି ଉଦ୍ୟୋଗ ଜଗତରେ ନାଲକୋ ଏକ ସଫଳ ନାମ। ଉତ୍ପାଦନ, ଉତ୍ପାଦକତା ଓ ଆର୍ଥକ ଲାଭାର୍ଜନ କ୍ଷେତ୍ରରେ ଜିଏସ୍‌ଟି କାର୍ଯ୍ୟାନ୍ଵୟନ ପରବର୍ତ୍ତୀ ତ୍ରୈମାସିକରେ ନାଲ୍‌କୋ ୯୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ଉତ୍କୃଷ୍ଟ କର୍ପୋରେଟ୍‌ ପରିଚାଳନା ଦ୍ୱାରା ବିଗତ ୨ ବର୍ଷ ମଧ୍ୟରେ ନାଲ୍‌କୋ ଔଦ୍ୟୋଗିକ ଜଗତରେ ନିଜର ପରାକାଷ୍ଠା ସାବ୍ୟସ୍ତ କରିଛି। ଏକ ଦାୟିତ୍ୱସମ୍ପନ୍ନ କେନ୍ଦ୍ରୀୟ ଉଦ୍ୟୋଗ ଭାବେ ନାଲ୍‌କୋ ସର୍ବଦା ବ୍ୟବସାୟ ସହ ସାମାଜିକ ବିକାଶକୁ ଗୁରୁତ୍ୱ ଦେଇଆସିଥିବା ଡ.ଚାନ୍ଦ ପ୍ରକାଶ କରିଥିଲେ।

ଏହି ଅବସରରେ, ନାଲ୍‌କୋ ପକ୍ଷରୁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ଫିନିକ୍ସ ରୋବୋଟିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ସି.ଇ.ଓ. ତଥା ସହ-ପ୍ରତିଷ୍ଠାତା ଅମିୟ କୁମାର ସାମନ୍ତରାୟଙ୍କୁ ଇଞ୍ଜିନିୟରିଂ କ୍ଷେତ୍ରରେ ଉତ୍କର୍ଷ ଏବଂ ପରିବେଶ ପ୍ରତି ସକାରାତ୍ମକ ବୈଷୟିକ ବିଦ୍ୟାର ପ୍ରୟୋଗ ନିମନ୍ତେ ନାଲ୍‌କୋ ଗ୍ରିନ୍‌ ଏନର୍ଜି ପୁରସ୍କାର ପ୍ରଦାନ କରାଯାଇଥିଲା। ଦିବ୍ୟାଙ୍ଗମାନଙ୍କ ଥଇଥାନ ଏବଂ ବିକାଶ ନିମନ୍ତେ ଶାନ୍ତା ମେମୋରିଆଲ୍‌ ରିହାବିଲିଟେସନ୍‌ ସେଣ୍ଟରକୁ ନାଲ୍‌କୋ ସ୍ମାଇଲ୍ସ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଶିଷ୍ଟ ପଥର ଶିଳ୍ପୀ ପ୍ରଭାକର ମହାରଣା ଏବଂ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କୁ ନାଲ୍‌କୋ ଫାଇନ୍‌ ଆର୍ଟ୍‌ସ ପୁରସ୍କାର ପ୍ରଦାନ କରାଯାଇଥିଲା। ସୁଶ୍ରୀ ଆରତୀ ଦେବୀଙ୍କୁ ଚଳିତ ବର୍ଷ ପାଇଁ ନାଲ୍‌କୋ ଷ୍ଟାର୍ଟ୍‌ ଅପ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ କମ୍ପାନିର ନିର୍ଦ୍ଦେଶକ (ମାନବସମ୍ବଳ) ବି.କେ. ଠାକୁର ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର