୩୮ତମ ପ୍ରତିଷ୍ଠା ଦିବସ : ନାଲକୋର ୩ ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ

ଭୁବନେଶ୍ୱର : ଆଜି ନାଲ୍‌କୋ ପରିସରରେ ଅନୁଷ୍ଠିତ ନାଲ୍‌କୋର ୩୮ତମ ପ୍ରତିଷ୍ଠା ଦିବସରେ ଭିଡିଓ ବାର୍ତା ଜରିଆରେ କେନ୍ଦ୍ର ଖଣି ଓ ଷ୍ଟିମ୍‌ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ନାଲକୋର ୩ଟି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ହେଲା ପଞ୍ଚପଟ୍ଟମାଳି ସାଉଥ୍‌ ବ୍ଲକ୍‌ ମାଇନ୍‌ସ, ୧୮.୫ ମେଗାଓ୍ଵାଟର ପାଓ୍ଵାର ୟୁନିଟ୍‌ ଓ ଅନୁଗୁଳସ୍ଥିତ ଫ୍ଲୋରାଇଡ୍‌ମୁକ୍ତ ପ୍ଲାଣ୍ଟ ସ୍ମେଲ୍‌ଟର ଉତ୍ସର୍ଗ ହୋଇଛି।

ଏହି ବାର୍ତାରେ ଶ୍ରୀ ତୋମାର କହିଥିଲେ ଯେ, ନବରତ୍ନ କମ୍ପାନିଭାବେ ନାଲ୍‌କୋ ବେଶ୍‌ ପ୍ରତିଷ୍ଠା ଲାଭ କରିପାରିଛି। ୨୦୧୬ ମସିହାରେ ଶସ୍ତାରେ କମ୍‌ ଖର୍ଚରେ ଆଲୁମିନା ଉତ୍ପାଦନ କରିପାରୁଥିବା କମ୍ପାନିଭାବେ ବିଶ୍ୱସ୍ତରରେ ପ୍ରତିଷ୍ଠା ଲାଭ କରିଛି। ଆସନ୍ତା ୫ବର୍ଷ ମଧ୍ୟରେ ନାଲ୍‌କୋ ଅନେକ ପ୍ରକଳ୍ପ କରିବାକୁ ଯାଉଛି। କେବଳ ଉତ୍ପାଦନରେ ନିଜକୁ ସୀମିତ ନ ରଖି ଓଡ଼ିଶାର ସାମାଜିକ, ସାଂସ୍କୃତିକ ମୂଲ୍ୟବୋଧରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ତ୍ୱରାନ୍ଵିତ କରିବାରେ ନାଲ୍‌କୋ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସ୍ୱଚ୍ଛ ଭାରତ ଅଭିଯାନ ଓ ଶ୍ରୀଜଗନ୍ନାଥ ମନ୍ଦିର ପରିସରକୁ ସଫାସୁତରା ରଖିବା କାର୍ଯ୍ୟ ନାଲ୍‌କୋ ହାତକୁ ନେଇଥିବା ଶ୍ରୀ ତୋମାର କହିଥିଲେ।

କେନ୍ଦ୍ର ଖଣି ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଭାଷ ଚନ୍ଦ୍ର କହିଲେ, ଅନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା ସତ୍ତ୍ୱେ ନାଲ୍‌କୋ ଲାଭ କରିବାରେ ସଫଳ ହୋଇଛି। ଏହି ବର୍ଷର ଦ୍ୱିତୀୟ କ୍ୱାର୍ଟରରେ ୯୪ପ୍ରତିଶତ ପର୍ଯ୍ୟନ୍ତ ଲାଭ କରିଛି ନାଲ୍‌କୋ। ଆଗାମୀ ଦିନରେ ନାଲ୍‌କୋର ଖଣି ଓ ଆଲୁମିନା ଉତ୍ପାଦନର ଦକ୍ଷତାକୁ ବଢ଼ାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ଆସନ୍ତା ୪/୫ବର୍ଷ ମଧ୍ୟରେ ୧୦ ହଜାର କୋଟିର ପୁଞ୍ଜି ନିବେଶ କରାଯିବାକୁ ଯୋଜନା ହୋଇଛି। ଏହାସହ ନାଲ୍‌କୋ ପକ୍ଷରୁ ଶିକ୍ଷା, ଦକ୍ଷତା ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଇଛି। ପାଓ୍ଵାର ପ୍ଲାଣ୍ଟ ରହିଥିବା ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଉପରେ ମଧ୍ୟ ପଦକ୍ଷେପ ନିଆଯାଇଛି। ସ୍ୱଚ୍ଛ ଭାରତ ଅଭିଯାନରେ ନାଲ୍‌କୋ ପକ୍ଷରୁ ୫ଶହ ଟଏଲେଟ୍‌ ନିର୍ମାଣ କରାଯାଇଥିବା ଶ୍ରୀ ଚନ୍ଦ୍ର ସୂଚନା ଦେଇଥିଲେ।

ନାଲ୍‌କୋ ସିଏମ୍‌ଡି ତପନ ଚାନ୍ଦ କହିଲେ, ନାଲ୍‌କୋ ପକ୍ଷରୁ ଆସନ୍ତା ୫ବର୍ଷ ମଧ୍ୟରେ ଓଡ଼ିଶାରେ ୮ହଜାର କୋଟିର ପୁଞ୍ଜିନିବେଶ କରାଯିବ। ୨୦ହଜାର ପ୍ରକଳ୍ପ ଏବେ ଯୋଜନାରେ ରହିଛି। ୨୦୧୪ ମସିହା ସୁଦ୍ଧା ନାଲ୍‌କୋ ବାର୍ଷିକ କାରବାର ୧୮ହଜାର କୋଟିରୁ ଅଧିକ କରିବା ପାଇଁ ଯୋଜନା କରାଯାଇଛି। ଏଥିରେ କେବଳ ୧୬ଶହ କୋଟିର ଲାଭ କରିବାର ଲକ୍ଷ୍ୟ ରହିଛି। ତେବେ ଦକ୍ଷତା ବିକାଶ ପାଇଁ ଜାତୀୟ ଦକ୍ଷତା ବିକାଶ ନିଗମ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗୋଠପାଟଣାଠାରେ ଏକ ସେଣ୍ଟର ଅଫ ଏକ୍ସଲେନ୍‌ସ ପ୍ରତିଷ୍ଠା କରାଯିବ। ୨ବର୍ଷରେ ୧୫ହଜାର ଯୁବକଙ୍କୁ ଏଥିରେ ତାଲିମ୍‌ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।

ସେହିପରି ରପ୍ତାନି କ୍ଷେତ୍ରରେ ମଧ୍ୟ ନାଲ୍‌କୋ ବିଶେଷ ଖ୍ୟାତି ଲାଭ କରିଛି। ୨୦୧୬/୧୭ରେ ଆନୁମିନା ରିଫାଇନାରିରେ କମ୍‌ ଖର୍ଚ ଉତ୍ପାଦନ କରିବାରେ ନାଲ୍‌କୋ ଅର୍ନ୍ତଜାତୀୟ ସ୍ତରରେ ପ୍ରତିଷ୍ଠା ହାସଲ କରିଛି। ପବ୍ଲିକ୍‌ ଏଣ୍ଟରପ୍ରାଇଜ୍‌ ସର୍ବେକ୍ଷଣରେ ବୈଦେଶିକ ମୁଦ୍ରା କାରବାରରେ ମଧ୍ୟ ନାଲ୍‌କୋ ଦ୍ୱିତୀୟ ସ୍ଥାନ ହାସଲ କରିପାରିଛି। ନାଲ୍‌କୋର ବକ୍ସାଇଟ ରିଫାଇନାରି ପାଇଁ ଶତ ପ୍ରତିଶତ ଉପଯୋଗକୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଇସ୍ତହାରରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ଖଣି ମନ୍ତ୍ରଣାଳୟ ଆଲୁମିନିୟମକୁ ୧ ମିଲିଅନ୍‌ ଟନ୍‌ରୁ ଅଧିକ ଉତ୍ପାଦନ କରିବା ପାଇଁ ପରାମର୍ଶ ଦେଇଛି। ପୂର୍ବରୁ ସ୍ମେଲ୍‌ଟିଂ ପାଇଁ କୋଇଲା ଏକ ପ୍ରମୁଖ ସମସ୍ୟା ରହିଥିଲା। ମାତ୍ର ଏବେ ଏହି ସମସ୍ୟା ଦୂର ହୋଇଛି। ଅନୁଗୁଳରେ ସ୍ମେଲ୍‌ଟିଂ କ୍ଷମତାକୁ ୬ଲକ୍ଷ ଟନ୍‌କୁ ବୃଦ୍ଧି, ଦାମନଯୋଡ଼ିରେ ୧ମିଲିଅନ୍‌ ଟନ୍‌ର ନୂତନ ରିଫାଇନାରି, କୋରାପୁଟର ପଟ୍ଟାଙ୍ଗୀ ବକ୍ସାଇଟ ଖଣି, ଅନୁଗୁଳରେ ଆଲୁମିନିୟମ୍‌ ପ୍ଲାଣ୍ଟ, ଡୁବୁରି ଓ ପରାଦୀପରେ ପ୍ଲାଣ୍ଟ ନିର୍ମାଣ ପାଇଁ ଯୋଜନା ରହିଥିବା ଶ୍ରୀ ଚାନ୍ଦ କହିଥିଲେ।

ଏହି ଅବସରରେ ଏନ୍‌ଏସ୍‌ଡିସି ସହିତ ନାଲ୍‌କୋର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏଥିପାଇଁ ୫୦ କୋଟି ଟଙ୍କା ଖର୍ଚ ହେବ ବୋଲି ଜଣାପଡ଼ିଛି। ପରେ ବିଶିଷ୍ଟ ସଂଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ନାଲ୍‌କୋ ପକ୍ଷରୁ ଜୀବନବ୍ୟାପୀ ସାଧାନ ପାଇଁ ସମ୍ମାନିତ କରାଯାଇଥିଲା। ବିଶିଷ୍ଟ ବଂଶୀବାଦକ ହରିପ୍ରସାଦ ଚୌରାସିଆଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସଂସ୍କୃତ କ୍ଷେତ୍ରରେ ଅବଦାନ ପାଇଁ ପ୍ରଫେସର ଅତୁଲ କୁମାର ନନ୍ଦ ଓ ପ୍ରଫେସର ସୁକାନ୍ତ କୁମାର ସେନାପତିଙ୍କୁ ନାଲ୍‌କୋ କାଳିଦାସ ସମ୍ମାନ, ନିରେଦ କୁମାର ଦେହୁରୀ, ସୋନାଲି ମହାପାତ୍ର, ସୁଜ୍ଞାନୀ ମହାପାତ୍ର ଓ ମନୀଷା ମନସ୍ୱିନୀଙ୍କୁ ନାଲ୍‌କୋ ଖାରବେଳ ସମ୍ମାନ, ଦାଶରଥୀ ଦାସ ଓ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ନାଲ୍‌କୋ ସାହିତ୍ୟ ସମ୍ମାନ, ୧୦ଟି ସ୍କୁଲ୍‌କୁ ନାଲ୍‌କୋ ଗୁଲ ଗୁଲ -କୁନ ମୁନ୍‌ ସମ୍ମାନ ପ୍ରଦାନ କରାଯାଇଥିଲା। ଶେଷର ଅନୁରାଧା ପୌଡ଼ଓ୍ଵାଲ ଓ ତାଙ୍କ ଗ୍ରୁପ୍‌ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଧର୍ମେନ୍ଦ୍ରଙ୍କ ଭିଡିଓ ବାର୍ତା : ଆଲୁମିନିୟମ୍‌ ଉତ୍ପାଦନର କେନ୍ଦ୍ର ହେବ ଓଡ଼ିଶା

ଭୁବନେଶ୍ୱର : ଓଡ଼ିଶା ଆଗାମୀ ଦିନରେ ବିଶ୍ୱରେ ଆଲୁମିନିୟମ୍‌ ଉତ୍ପାଦନର କେନ୍ଦ୍ର ହେବାକୁ ଯାଉଛି ବୋଲି କହିଛନ୍ତି ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ନାଲ୍‌କୋର ୩୮ତମ ପ୍ରତିଷ୍ଠା ଦିବସ ଅବସରରେ ଭିଡିଓ ବାର୍ତା ଜରିଆରେ ଶ୍ରୀ ପ୍ରଧାନ କହିଥିଲେ, ଓଡ଼ିଶାରେ ବେଦାନ୍ତ ଓ ଆଦିତ୍ୟ ବିର୍ଲା ଭଳି ଘରୋଇ କମ୍ପାନି ସହିତ ନାଲ୍‌କୋ ରହିଛି। ଆଲୁମିନିୟମ୍‌ ଆଧାରିତ ଏକ ଔଦ୍ୟୋଗୀକରଣ ପାଇଁ ଓଡ଼ିଶା ତଥା ଦେଶକୁ ଯୋଡ଼ିବାରେ ଏହା ସହାୟକ ହୋଇପାରିବ। ଆସନ୍ତା ୨୫/୩୦ବର୍ଷ ମଧ୍ୟରେ ଓଡ଼ିଶାର ଆଲୁମିନିୟମ ବିଶ୍ୱ ବଜାରକୁ ନାଲ୍‌କୋ ନେତୃତ୍ୱ ପ୍ରଭାବିତ କରିବ। ଚଳିତ ଆର୍ଥିକ ବର୍ଷର ପ୍ରଥମ ଭାଗରେ ନାଲ୍‌କୋ ୪୨ପ୍ରତିଶତ ଲାଭ କରିଛି। ଦ୍ୱିତୀୟ ଭାଗରେ ଏହି ଲାଭାଂଶ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ଅନୁଗୁଳରେ ରାଜ୍ୟ ସରକାରଙ୍କ ସହାୟତାରେ ନାଲ୍‌କୋ ପକ୍ଷରୁ ଏକ ଆଲୁମିନିୟମ ପାର୍କ ନିର୍ମାଣ କରାଯାଉଛି। ଏହି ପାର୍କ ଓଡ଼ିଶାର ଯୁବକମାନଙ୍କ ପାଇଁ ଏକ ନୂତନ ସମ୍ଭାବନା ଆଣିବ ବୋଲି ଆଶା କରାଯାଉଛି। ଉଦ୍ୟୋଗୀ ହେବା ପାଇଁ ଏହି ପାର୍କ ଏକ ଯୁବକଙ୍କୁ ଖୋରାକ ଯୋଗାଇବ। ଏହି ଅଞ୍ଚଳକୁ ଯୋଡ଼ିବା ପାଇଁ ଭୁବନେଶ୍ୱରୁ ଏକ ରାଜପଥ ନିର୍ମାଣ ପାଇଁ ଯୋଜନା ହୋଇଛି। ଏନ୍‌ଏସ୍‌ଡିସି ଓ ନାଲ୍‌କୋ ସହିତ ୫୦ କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ଯୁବକଙ୍କୁ ପ୍ରଶିକ୍ଷିତ କରାଇବା ଦାୟିତ୍ୱ ନାଲ୍‌କୋର ବୋଲି ଶ୍ରୀ ପ୍ରଧାନ କହିଥିଲେ।

ସମ୍ବନ୍ଧିତ ଖବର